ଭଦ୍ରକର ପବିତ୍ର ସନ୍ଥିଆ ପୀଠ:ଯେଉଁଠି ଭଗବାନ ଅପୁତ୍ରିକ ଭକ୍ତର ପିଣ୍ଡଦାନ କରନ୍ତି

Straight to the Point
ଶ୍ରୀଚୈତନ୍ୟଙ୍କ ୫ଶହ ବର୍ଷତଳର ଚନ୍ଦନ ଚର୍ଚ୍ଚିତ କନ୍ଥାବସ୍ତ୍ର ପ୍ରଦର୍ଶନ ଉତ୍ସବ

ଭଦ୍ରକ: ଯୁଗେ ଯୁଗେ ବହୁ ଗୌରବମୟ ଐତିହ୍ୟର ସ୍ୱାକ୍ଷର ବହନ କରିଥିବା ଭଦ୍ରକ ମାଟି ବହୁ ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭକରି କଳାପାହାଡ଼ ଭଳି ହିନ୍ଦୁ ଦ୍ରୋହୀକୁ ମଧ୍ୟ ଆକୃଷ୍ଟ କରିଛି । ଯାହାର ଉଦାହରଣ ଏବେ ଏହି ଭୂମିର କୋଣେ କୋଣେ ଦେଖିବାକୁ ମିଳେ । ସେହିଭଳି ଏକ ଭକ୍ତି ଭାବନାରେ ପରିପୂର୍ଣ୍ଣ ଭଦ୍ରକର ଗୁପ୍ତ ବୃନ୍ଦାବନ ସନ୍ଥିଆ ପୀଠ । ଯେଉଁ ପୀଠରେ ଶ୍ରୀ ଶ୍ରୀଚୈତନ୍ୟ ଦେବ ତାଙ୍କର ଦ୍ୱିତୀୟ ଥର ଓଡ଼ିଶା ଆଗମନ କାଳ ୧୫୧୪ ଖ୍ରୀଷ୍ଟାବ୍ଦରେ ଗୌଡ଼ିୟ ବୈଷ୍ଣବ ଧର୍ମର ପ୍ରଚାର-ପ୍ରସାର ନେଇ ୫ଦିନ ପାଇଁ ଅବସ୍ଥାନ କରିଥିଲେ । ଆଉ ତାଙ୍କର ସେହି ରହଣୀ କାଳ ମଧ୍ୟରେ ସେ ସେଠାରେ ନିଜର ଉତ୍ତରୀୟ, କନ୍ଥାବସ୍ତ୍ରକୁ ତତ୍କାଳୀନ ମହନ୍ତ ମହାରାଜଙ୍କୁ ଅର୍ପଣ କରିଯାଇଥିଲେ । ଯେଉଁ ଚନ୍ଦନ ଚର୍ଚ୍ଚିତ ୫ଶହ ବର୍ଷ ତଳର କନ୍ଥାବସ୍ତ୍ର ସେ ଛାଡ଼ିଯାଇଥିଲେ ଏବେ ତାହା ସେଠାରେ ସୁରକ୍ଷିତ ରହି ପ୍ରତ୍ୟେକ ବର୍ଷ ହେରା ପଞ୍ଚମୀ ତିଥିରେ ଦିନକ ପାଇଁ ସର୍ବ ସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ ହୋଇଆସୁଛି । ସେହିଭଳି ଏହି ପୀଠର ଅଧିଷ୍ଠାତା ଶ୍ରୀ ଶ୍ରୀ ରାଧାମଦନ ମୋହନ ଜୀଉ ସ୍ୱୟଂ ନିଜେ ଅଙ୍ଗୁଷ୍ଠିରେ କୁଶବଟୁ ଓ ଉପବିତ ଧାରଣ ପୂର୍ବକ ସିଂହାସନରୁ ଓହ୍ଲାଇ ଆସନ୍ତି ବ୍ରାହ୍ମଣ ସମ୍ମୁଖକୁ ଏହି ପବିତ୍ର ହେରା ପଞ୍ଚମୀ ତିଥିରେ ନିଜର ପିତୃପ୍ରତୀମ ନବମ ଶତାବ୍ଦୀର ଅପୁତ୍ରିକ ଭକ୍ତ ସ୍ୱର୍ଗତ ବିଦ୍ୟା ବାଚସ୍ପତି ଗଙ୍ଗାନାରାୟଣଙ୍କୁ ପିଣ୍ଡଦାନ ଦେବା ନିମିତ୍ତ । ଭଦ୍ରକର ବହୁ ପ୍ରାଚୀନତମ ବୈଷ୍ଣବ ପୀଠଭାବେ ସନ୍ଥିଆର ଶ୍ରୀ ଶ୍ରୀ ରାଧାମଦନ ମୋହନ ମନ୍ଦିରର ଇତିହାସ ବେଶ୍ ଗୌରବମୟ । ଏହି ମନ୍ଦିରର ଇତିହାସ ଯାହା କହେ, ବଙ୍ଗ ପ୍ରଦେଶର ବର୍ଦ୍ଧମାନ ଜିଲା କାଟୁଆ ସଦର ମହକୁମା ସ୍ଥିତ ପଲସା ଗ୍ରାମରେ କୃଷ୍ଣ ଭକ୍ତ ସାର୍ବଭୌମ ଗଙ୍ଗା ନାରାୟଣ ବିଦ୍ୟା ବାଚସ୍ପତିଙ୍କ ଘର । ସେ ସୁଦୂର ଗୌଡ଼ ଦେଶରୁ ନିଜର ଅଙ୍ଗ ଦେବତା ରାଧାମଦନ ମୋହନଙ୍କୁ ସାଙ୍ଗରେ ଧରି କିଛି ଭକ୍ତଙ୍କ ସହ ଉଡ୍ର ଦେଶ ଶ୍ରୀକ୍ଷେତ୍ର ପୁରୀଧାମ ଅଭିମୁଖେ ଯାତ୍ରା କରିଥିଲେ । ଯାତ୍ରା ସମୟର ବିଶ୍ରାମ କାଳରେ ସେ ଶ୍ରୀବିଗ୍ରହଙ୍କ ସ୍ୱପ୍ନାଦେଶ ମତେ ଭଦ୍ରକର ଏହି ପୂଣ୍ୟତୋୟା କାଳିନ୍ଦୀ ରୂପିଣୀ ସାଳନ୍ଦୀ କୂଳରେ ପ୍ରତିଷ୍ଠା କରାଇଥିଲେ । କାଳକ୍ରମେ ଘଞ୍ଚ ବନାନୀରେ ପୂର୍ଣ୍ଣଥିବା ଏହି ପବିତ୍ର ପୀଠରେ ଏକ ଆଶ୍ରମ ଗଢ଼ିଉଠି ବହୁ ସାଧୁ-ସନ୍ଥଙ୍କର ସମାବେଶ ହୋଇଥିଲା । ଏଣୁ ପରବର୍ତ୍ତୀ ସମୟରେ ଏହି ଅଞ୍ଚଳର ନାମ ସନ୍ଥ ନଗର ଓ ପରେ ସନ୍ଥିଆ ଗ୍ରାମରେ ରୂପାନ୍ତରିତ ହୋଇଥିଲା । ଏହି ପୀଠର ପ୍ରତିଷ୍ଠାତା ପୂଣ୍ୟାତ୍ମା ସାର୍ବଭୌମଙ୍କର ସ୍ୱର୍ଗାରୋହଣ ହୁଏ ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ । ଫଳରେ ତାଙ୍କର ଜାମାତା ଆଶ୍ରମର ଦାୟିତ୍ୱ ବହନ କରନ୍ତି । ସେହିଦିନ ଠାରୁ ତାଙ୍କ ଜାମାତାଙ୍କର ବଂଶଧର ରୂପେ ବର୍ତ୍ତମାନର ଗୌସ୍ୱାମୀ ପରିବାର ପୁରୁଷାନୁକ୍ରମେ ଠାକୁରଙ୍କ ସେବାପୂଜା ବିଧିବଦ୍ଧଭାବେ କରିଆସୁଛନ୍ତି । ଏବେ ମହନ୍ତ ରୂପେ ଅଧିଷ୍ଠିତ ଆଶିଷ କୁମାର ଦେବଗୋସ୍ୱାମୀ ଠାକୁରଙ୍କ ପୂଜାର୍ଚ୍ଚନା କରିଆସୁଛନ୍ତି । ଏହି ପୀଠଦେଇ ପୁରୁଷୋତ୍ତମ ଗୌରାଙ୍ଗ ମହାପ୍ରଭୁ ୧୫୧୪ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ପୁରୀ ଧାମରୁ ବୃନ୍ଦାବନ ଯିବା ଅବସରରେ ଯେଉଁ ୫ଦିନ ଅବସ୍ଥାନ କରିଥିଲେ, ସେହି ସମୟର ତାଙ୍କ କନ୍ଥାବସ୍ତ୍ର ଏବେ ଏଠାରେ ସଯତ୍ନେ ସୁରକ୍ଷିତ ରହି ପୂଜା ହୋଇଆସୁଅଛି । ଏବଂ ତାଙ୍କର ସ୍ୱପ୍ନାଦେଶ ଅନୁସାରେ ବର୍ଷରେ ଥରେ ସେହି ଦିବ୍ୟବସ୍ତ୍ର ପବିତ୍ର ଆଷାଢ଼ ଶୁକ୍ଳ ହେରା ପଞ୍ଚମୀ ତିଥିରେ ଭକ୍ତଗଣଙ୍କ ଦର୍ଶନ ପାଇଁ ଖୋଲାଯାଇଥାଏ । ସବୁଠାରୁ ବଡ଼କଥା ଏହିଦିନ ପ୍ରଭୁ ଶ୍ରୀ ଶ୍ରୀ ରାଧାମଦନ ମୋହନ ସ୍ୱୟଂ ନିଜେ ଅଙ୍ଗୁଷ୍ଠିରେ କୁଶବଟୂ ଓ ଉପବିତ ଧାରଣ ପୂର୍ବକ ତାଙ୍କର ମୂଳ ପ୍ରତିଷ୍ଠାତା ଅପୁତ୍ରିକ ଭକ୍ତ ଗଙ୍ଗା ନାରାୟଣଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ଭଳି କ୍ରିୟା ସମ୍ପୂର୍ଣ୍ଣ ବୈଷ୍ଣବ ପଦ୍ଧତିରେ କରିଥାନ୍ତି । ଏହି ଅପୂର୍ବ ଓ ନିଆରା ପରମ୍ପରାମୂଳେ ଯେଉଁ କଥା ଲୁଚି ରହିଛି, ତାହା ହେଲା ଅପୁତ୍ରିକ ଭକ୍ତ ଗଙ୍ଗା ନାରାୟଣ ଶ୍ରୀ ଶ୍ରୀ ରାଧାମଦନ ମୋହନଙ୍କ ସେବାକାଳରେ ନିଜ ଅନ୍ତେ ତାଙ୍କର ବାର୍ଷିକ କ୍ରିୟା କିଏ ସମାପନ କରିବା ନେଇ ଚିିନ୍ତିତ ଥିଲେ । ଏଣୁ କାଳେ କାଳେ ଭଗବାନ ଭକ୍ତପାଇଁ କ୍ଷୀର ଚୋରାଇବାଠାରୁ ଆରମ୍ଭକରି ଅସ୍ତ୍ର ଧାରଣ ଓ ନିଜ ଦିବ୍ୟ ଛାତିରେ ଭକ୍ତର ପାଦ ଚିହ୍ନ ସାଇତିଥିବାବେଳେ ଏଭଳି ସାମାନ୍ୟ ଘଟଣାରେ ଗଙ୍ଗା ନାରାୟଣଙ୍କୁ ବିବ୍ରତ ନହେବାପାଇଁ କହିଥିଲେ । ସ୍ୱପ୍ନାଦେଶ ଅନୁସାରେ ସେହିଦିନରୁ ଭଗବାନ ନିଜେ ଭକ୍ତ ଗଙ୍ଗା ନାରାୟଣଙ୍କ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ତାଙ୍କର ଶ୍ରାଦ୍ଧ ଦେବାଭଳି ଯେଉଁ ଅପୂର୍ବ ପରମ୍ପରା ସୃଷ୍ଟି କରିଛନ୍ତି, ତାହା ଅନ୍ୟତ୍ର ବିରଳ । ଏଣୁ ଉପରୋକ୍ତ ଦୁଇଟି ଘଟଣାପାଇଁ ଭଦ୍ରକର ଏହି ସନ୍ଥିଆ ପୀଠ ଯୁଗେ ବହୁ ଦେଶୀ-ବିଦେଶୀ ଭକ୍ତଙ୍କୁ ଆକୃଷ୍ଟ କରିଛି ।

error: Thank You Keep Visiting