‘ସିସିଡି’ର ପ୍ରତିଷ୍ଠାତା ନିଖୋଜ

An Independent Media

ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଏସଏମ କୃଷ୍ଣାଙ୍କ ଜ୍ୱାଇଁ ତଥା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ କେଉଁଆଡେ ନିଖୋଜ ହୋଇଯାଇଛନ୍ତି। ସିଦ୍ଧାର୍ଥ ନିଖୋଜ ହେବା ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ସିଦ୍ଧାର୍ଥ କାଫେ କଫି ଡେ’ର କର୍ମଚାରୀ ଏବଂ ନିର୍ଦେଶକ ମଣ୍ଡଳୀକୁ ଏକ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ କହିଥିଲେ ଯେ ସବୁ ଆର୍ଥିକ ନେଣଦେଣ ମୋ ଦାୟିତ୍ୱ ଓ ଆଇନ ପାଖରେ କେବଳ ମୁଁ ଜବାବଦେହୀ। ମୋ ଉପରେ ଆସ୍ଥା ରଖିଥିବା ସମସ୍ତ ଲୋକଙ୍କୁ ନିରାଶ କରିଥିବାରୁ ମୁଁ ଦୁଃଖିତ। ଜଣେ ଉଦ୍ୟୋଗପତି ଭାବେ ମୁଁ ବିଫଳ ହୋଇଛି।

ମୁଁ ଦୀର୍ଘ ଦିନ ସଂଘର୍ଷ କଲି, କିନ୍ତୁ ଏବେ ଆଉ ମୁଁ ପାରିବିନାହିଁ। ୬ ମାସ ତଳେ ଜଣେ ସାଙ୍ଗଠାରୁ ଅନେକ ଟଙ୍କା ଧାର ଆଣି କିଛି ନେଣଦେଣ କରିଥିଲି। ସେହି ନେଣଦେଣର ସେୟାରକୁ ପୁନଃ କିଣିବା ପାଇଁ ମୋ ଉପରେ ଏକ ଘରୋଇ ଅଂଶୀଦାର ପ୍ରବଳ ଚାପ ପକାଉଛନ୍ତି। ଏହାସହ ଅନ୍ୟ ଋଣଦାତାଙ୍କ ଚାପରୁ ସୃଷ୍ଟି ପରିସ୍ଥିତି ମୋତେ ମାରିଦେଇଛି ।

ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ ବ୍ୟାପକ ପୁଲିସ୍‍ ବଳକୁ ତଲାସୀ ଅଭିଯାନରେ ଲଗାଯାଇଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ତାଙ୍କ ଫୋନ ସ୍ୱିଚ ଅଫ ରହିଛି। ମାଙ୍ଗାଲୁରୁ ପୁଲିସ କମିଶନର ସନ୍ଦୀପ ପାଟିଲ କହିଛନ୍ତି ଯେ ସିଦ୍ଧାର୍ଥ ସୋମବାର ବେଙ୍ଗାଲୁରୁରୁ ସକଲେଶପୁର ଅଭିମୁଖେ ଯାଉଥିଲେ। ମାତ୍ର ଅଧା ରାସ୍ତାରେ ସେ ଡ୍ରାଇଭରକୁ ମାଙ୍ଗାଲୁରୁ ଯିବାକୁ କହିଥିଲେ। ନେତ୍ରାବଦୀ ନଦୀ ପୋଲ ଉପରେ ସେ ଗାଡ଼ି ରଖି ଓହ୍ଲାଇପଡିଥିଲେ। କିଛି ଦୂରରେ ଯାଇ ତାଙ୍କୁ ଅପେକ୍ଷା କରିବାକୁ ସେ ଡ୍ରାଇଭରକୁ କହିଥିଲେ। ତେଣୁ ନେତ୍ରାବତୀ ନଦୀରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି। ସ୍ଥାନୀୟ ମତ୍ସ୍ୟଜୀବୀ ଏବଂ ନାବିକ ତଲାସୀ ଅଭିଯାନରେ ସହଯୋଗ କରୁଛନ୍ତି।

error: Thank You Keep Visiting