ସମସ୍ତ ଆଶଙ୍କାର ଅବସାନ ଘଟାଇ ଶାନ୍ତିଶୃଙ୍ଖଳାରେ ଇଦ ପାଳିତ

Straight to the Point

ଶ୍ରୀନଗର : ସମସ୍ତ ଆଶଙ୍କାର ଅବସାନ ଘଟାଇ କାଶ୍ମୀର ଉପତ୍ୟକାରେ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଇଦ୍‌ ପାଳିତ ହୋଇଛି। ଏହି ଉପଲକ୍ଷେ ସୁରକ୍ଷାବାହିନୀ ପକ୍ଷରୁ ରାଜ୍ୟର ୧୧ଟି ଜିଲାରେ କଟକଣା କୋହଳ କରାଯାଇଥିଲା; କିନ୍ତୁ ଧର୍ମାନୁଷ୍ଠାନ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଥିଲା। ରାଜ୍ୟବାସୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିଥିବା ଓ କୌଣସିଠାରେ କିଛି ଅଘଟଣା ଘଟିବାର ସୂଚନା ନ ଥିବା ପୁଲିସ, ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଧାରା ୩୭୦ ଉଚ୍ଛେଦ ଘୋଷଣା ପରଠାରୁ ଗୃହବନ୍ଦୀ ଥିବା ରାଜ୍ୟର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ପାଇଁ ଚଳିତବର୍ଷର ଇଦ ସମ୍ପୂର୍ଣ୍ଣ ନିରାଡମ୍ବର ରହିଛି। ସେମାନଙ୍କ ଘରେ ସମ୍ପର୍କୀୟ, ବନ୍ଧୁ ଓ ସମର୍ଥନଙ୍କ ଭିଡ ଦେଖିବାକୁ ମିଳିଥିଲା। ସେମାନଙ୍କ ଘର ବାହାରେ ସୁରକ୍ଷାବାହିନୀର କେବଳ ଗୋଟିଏ ଗାଡି ପହରା ଦେଉଥିଲା। ଏତଦ୍‌ବ୍ୟତୀତ ଅଗଷ୍ଟ ୫ରୁ ଅଟକ ରହିଥିବା ଅନ୍ୟ ବହୁ ନେତା ସେନ୍ତୁର ହଲଠାରେ ଇଦ୍‌ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆକାଶମାର୍ଗରୁ ଶ୍ରୀନଗର ଓ ଦକ୍ଷିଣ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ ଏବଂ ସେନା କମାଣ୍ଡରମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।

error: Thank You Keep Visiting