ବଢୁଛି ୮ ନଦୀ ; ମହାନଦୀରେ ବନ୍ୟା ଆଶଙ୍କା

Straight to the Point

ଭୁବନେଶ୍ୱର : ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେବାର ଆଶଙ୍କା ରହିଛି। ବୁଧବାର ହୀରାକୁଦର ଗୋଟିଏ ଫାଟକ ଖୋଲାଯିବ। ମହାନଦୀ ନିମ୍ନ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଆସନ୍ତା ୧୫ତାରିଖ ସକାଳ ୬ଟାରୁ ୧୦ଟା ମଧ୍ୟରେ ମୁଣ୍ଡଳୀ ଦେଇ ୧୧.୫ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ଜଳସମ୍ପଦ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହାଦ୍ବାରା ମହାନଦୀ ଓ ଏହାର ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଉପୁଜିବାର ଆଶଙ୍କା ରହିଛି। ତେଣୁ ପରିସ୍ଥିତିର ମୁକାବିଲା ପାଇଁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସୁନ୍ଦରଗଡ଼ରେ ଇବ, ଜେନାପୁରଠାରେ ବ୍ରାହ୍ମଣୀ, ଆନନ୍ଦପୁର ଓ ଆଖୁଆପଦାଠାରେ ବୈତରଣୀ, ଜାମଶୋଳାଘାଟ ଓ ରାଜଘାଟଠାରେ ସୁବର୍ଣ୍ଣରେଖା, କାଶୀନଗରଠାରେ ବଂଶଧାରା, ପୁରୁଷୋତ୍ତମପୁରଠାରେ ଋଷିକୂଲ୍ୟା ଜଳସ୍ତର ବଢ଼ୁଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି। କାଶୀନଗରଠାରେ ବଂଶଧାରା ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦସଙ୍କେତ ୫୪.୬୦ମିଟର ଥିବାବେଳେ ସନ୍ଧ୍ୟା ସୁଦ୍ଧା ଜଳସ୍ତର ୫୪.୭୪ମିଟର ଉପରେ ପ୍ରବାହିତ ହେଉଥିଲା।

ଜଳସମ୍ପଦ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବଲାଙ୍ଗୀରରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୦୦ମିମି ବର୍ଷା ହୋଇଥିବାରୁ ତେଲ ନଦୀ ଜଳସ୍ତର ବଢ଼ିବାରେ ଲାଗିଛି। ମଙ୍ଗଳବାର ରାତି ୮ଟା ସୁଦ୍ଧା ତେଲ ନଦୀରେ ୯ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ପଥର୍ଲାଠାରେ ୯ଲକ୍ଷ ୨୫ହଜାର ୮୪୦କ୍ୟୁସେକ ପାଣି ପ୍ରବାହିତ ହେଉଥିବାବେଳେ ଖଇରମାଳଠାରେ ୧୦ଲକ୍ଷ ୬୦ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଥିଲା। ତେବେ ଆସନ୍ତା ୧୫ତାରିଖ ସକାଳ ସୁଦ୍ଧା ମୁଣ୍ଡଳୀ ଦେଇ ୧୧ଲକ୍ଷ କ୍ୟୁସେକରୁ ଅଧିକ ଜଳ ନିଷ୍କାସିତ ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୋଳ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୧୩ଟି ଜିଲାର ଜିଲାପାଳଙ୍କ ସହିତ ଭିଡ଼ିଓକନଫରେନ୍ସିଂ ଯୋଗେ ଜିଲାସ୍ତରରେ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ପରିସ୍ଥିତିର ମୁକାବିଲା ପାଇଁ ନିର୍ଦେଶ ଦେଇଥିବା ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

error: Thank You Keep Visiting