ଉନ୍ନତି ଆଣିବା ପାଇଁ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ

Straight to the Point

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲାରେ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଜିଲ୍ଲାର ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ଚଳିତ ବର୍ଷ (୨୦୧୯-୨୦) ୫.୨୧ କୋଟି ଟଙ୍କା ବିନିଯୋଗ ହେବ । ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ଏବଂ ଏଥିପାଇଁ ନୂଆ ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଇଛି । ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ । ଏହି ମଲ୍ଟି ଡାଇମସନାଲ୍ ପାଇଲଟ୍ ପ୍ରୋଜେକ୍ଟ ଦ୍ୱାରା ଜିଲ୍ଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡ଼ା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ । ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହିତ କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ଓ ବିକାଶ ସଂସ୍ଥା (ଆର୍ ଆଣ୍ଡ୍ ଡି) ସହଯୋଗ କରୁଛନ୍ତି । ସିଏସ୍ଆଇଆର୍, ଆଇସିଏଆର୍, ଆଇସିଏମ୍ଆର୍, ଡିପାର୍ଟମେଣ୍ଟ୍ ଅଫ୍ ବାୟୋ ଟେକ୍ନଲୋଜି ଅଧୀନରେ କାର୍ଯ୍ୟ କରୁଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି ।
ଏହି କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟିକ ନର୍ସରୀ ପ୍ରତିଷ୍ଠା, ମକା, କନ୍ଦମୂଳ, ଦେଶୀ ଆଳୁ ଆଦି ପନିପରିବା ଚାଷ, ଲେମନ ଗ୍ରାସ୍ ଓ ହଳଦୀ ପରି ସୁଗନ୍ଧିତ ଦ୍ରବ୍ୟ ଚାଷ ଓ ତୈଳ ଉତ୍ପାଦନ, ଅଗରବତୀ, ମଶାଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଶୁଖିଲା ଫୁଲରୁ ବିଭିନ୍ନ ହସ୍ତଶିଳ୍ପ ପଦାର୍ଥ ଉତ୍ପାଦନ, ଜୈବସାର ଉତ୍ପାଦନ, ମତ୍ସ୍ୟ ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡ଼ି ବଗିଚାରେ ପନିପରିବା ସହିତ କୁକୁଡ଼ା ଓ ମତ୍ସ୍ୟ ଚାଷ ଇତ୍ୟାଦି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହିସବୁ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳର ଉପଯୋଗ କ୍ଷେତ୍ରରେ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ । କୃଷି ସହିତ ସ୍ୱାସ୍ଥ୍ୟ ଓ ପୁଷ୍ଟି ନିରାକରଣ, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

error: Thank You Keep Visiting