କାଳିଆରେ କାରସାଦି; ଜିଲ୍ଲାରେ ୧୯ ହଜାର ଅଯୋଗ୍ୟ ହିତାଧିକାରୀ

Straight to the Point

୯ କୋଟି ୫୦ ଲକ୍ଷ ଟଙ୍କା ହଡପ

ଭଦ୍ରକ (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲାରେ ମିଥ୍ୟା ତଥ୍ୟ ଦେଇ ୯ କୋଟି ୫୦ ଲକ୍ଷ କାଳିଆ ଟଙ୍କା ହଡପ କରାଯାଇଛି । ଏହି ଅର୍ଥକୁ ହଡପ କରିଛନ୍ତି ପ୍ରାୟ ୧୯ ହଜାର ହିତାଧିକାରୀ । କାଳିଆରେ କାରସାଦି ଧରାପଡିବା ପରେ ଏବେ ଏହି ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରାଇବେ । ଏଥିନେଇ ସରକାରୀ ଭାବେ ଜିଲାକୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ନାମା ଆସିନଥିଲେ ମଧ୍ୟ ରାଜ୍ୟରେ କାଳିଆ ଟଙ୍କା ହଡପ ନେଇ ସରକାରଙ୍କ ଆଭିମୁଖ୍ୟରୁ ଏହି କଥା ସ୍ପଷ୍ଟ ହୋଇଛି । ରାଜ୍ୟର ଅନ୍ୟାନ୍ୟ ଜିଲା ଭଳି ଭଦ୍ରକ ଜିଲାରେ ଏହି ଯୋଜନାରେ ବହୁ ସରକାରୀ ଚାକିରିଆ, ପେନସନ ପାଉଥିବା ସରକାରୀ କର୍ମଚାରୀ, ବଡ ଚାଷୀ, ନାବାଳକ, ଗୋଟିଏ ପରିବାରର ଏକାଧିକ ଲୋକ ଏପରିକି ଗୋଟିଏ ପରିବାରରେ ସ୍ୱାମୀ-ସ୍ତ୍ରୀ ଏହି ଅର୍ଥ ହଡପ କରିଥିବା ଜଣାପଡିଛି । ଭଦ୍ରକ ଜିଲାରେ କାଳିଆ ଯୋଜନା ପାଇଁ ମୋଟ ୩ ଲକ୍ଷ ୫୫ ହଜାର ୬୦୪ ଟି ଦରଖାସ୍ତ ଗ୍ରହଣ କରାଯାଇଥିବାବେଳେ ସେଥିରୁ ୧ ଲକ୍ଷ ୬୫ ହଜାର ୦୮୦ ଜଣଙ୍କୁ କାଳିଆରେ ସାମିଲ କରାଯାଇ ଥିଲା ।
ଏଥିରେ ୧ ଲକ୍ଷ ୩୦ ହଜାର ୩୪୮ ଜଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ସାମିଲ ହୋଇଥିବା ବେଳେ ୩୪ ହଜାର ୭୩୨ ଜଣ ଭୂମିହୀନ ଚାଷୀଙ୍କୁ ସାମିଲ କରାଯାଇଥିଲା । ଏହି ଲୋକଙ୍କୁ ସରକାର ଯୋଜନାର ପ୍ରଥମ କିସ୍ତି ଅର୍ଥ ବାବଦକୁ ୮୨ କୋଟି ୫୪ ଲକ୍ଷ ଟଙ୍କା ପୈଠ କରିଥିଲେ । ତେବେ ଏଥିରେ ବହୁ ଅଯୋଗ୍ୟ ଲୋକ ସାମିଲ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ସରକାରଙ୍କ ପକ୍ଷରୁ ଗତମାସ ଏହାର ଯାଞ୍ଚ ଆରମ୍ଭ ହୋଇଥିଲା । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ମଧ୍ୟରୁ ୧୧ ହଜାର ୮୧୬ ଜଣ ଏବଂ ଭୂମିହୀନଙ୍କ ମଧ୍ୟରୁ ୭ ହଜାର ୧୬୩ ଜଣ ଏହିପରି ମୋଟ ୧୮ ହଜାର ୯୭୯ ଜଣ ଅଯୋଗ୍ୟ ହିତାଧିକାରୀ ତଞ୍ଚକତା କରି ଅନ୍ୟୁନ ୯ କୋଟି ୫୦ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି ବୋଲି ଯାଞ୍ଚରୁ ଜଣାପଡିଥିଲା । ଏହି ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକ୍ରେ ସର୍ବାଧିକ ୬ ହଜାର ୧୦୪ ଜଣ, ଭଦ୍ରକ ବ୍ଲକ୍ରେ ୨ ହଜାର ଏକ ଜଣ, ଭଣ୍ଡାରିପୋଖରୀ ବ୍ଲକ୍ରେ ୨ ୫୮୭ ଜଣ, ବନ୍ତ ବ୍ଲକ୍ରେ ୨ ହଜାର ୨୬୩ ଜଣ, ଚାନ୍ଦବାଲି ବ୍ଲକ୍ରେ ୧ ହଜାର ୭୪୭ ଜଣ, ଧାମନଗର ବ୍ଲକ୍ରେ ୨ ହଜାର ୫୭୭ ଜଣ ଏବଂ ତିହିଡି ବ୍ଲକ୍ରେ ୧ ହଜାର ୭ ଶହ ଜଣ ହିତାଧିକାରୀ କାଳିଆ ହିତାଧିକାରୀ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି । ଯେଉଁମାନେ କି ସରକାରଙ୍କୁ ମିଥ୍ୟା ତଥ୍ୟ ଦେଇ ଏହି ଅର୍ଥ ହଡପ କରିଥିବା କୁହାଯାଉଛି । ଏହି କଥା ଜଣାପଡିବା ପରେ ଏବେ ମିଥ୍ୟା ତଥ୍ୟ ଦେଇ ହଡପ କରିଥିବା କାଳିଆ ହିତାଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସରକାରୀ କାର୍ଯ୍ୟାନୁଷ୍ଠାନ ଭୟରେ କିଛି ଆଗୁଆ ସେମାନେ ନେଇଥିବା ଅର୍ଥ ଫେରସ୍ତ କରିଦେବାକୁ ଆଗ୍ରହ ପ୍ରକାଶ କରିଥିବା ବେଳେ ଆଉ କେତେକ ସରକାର ନିର୍ଦ୍ଦେଶନାମାକୁ ଅପେକ୍ଷା କରିଥିବା ଜଣାପଡିଛି ।

error: Thank You Keep Visiting