ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ଘଟଣାରେ ଏସଆଇ ନିଲମ୍ବିତ, ୩ ଗିରଫ
ବାରିପଦା : ରାଇରଙ୍ଗପୁର କଲେଜର ପଦାର୍ଥ ବିଜ୍ଞାନ ଅଧ୍ୟାପିକା ରୁକ୍ମଣି ମଣ୍ଡଳ(୨୩) ରହୁଥିବା ହଷ୍ଟେଲ ଗୃହରେ ଆତ୍ମହତ୍ୟା କରିଥିବାର କୁହାଯାଉଥିଲେ ମଧ୍ୟ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ତାଙ୍କ ପିତା ଅଭିମନ୍ୟୁ ମଣ୍ଡଳ ରବିବାର ରାଇରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ୬ ଜଣ ଅଭିଯୁକ୍ତ ସୌମ୍ୟରଂଜନ ସାହୁ, ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳ, ମିନ୍ମିୟୀ ସାହୁ, ରତିକାନ୍ତ ସାହୁ ଓ ଶୈଳଶାଳ ସାହୁ ମିଳିତଭାବେ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ହଷ୍ଟେଲ ଗୃହରେ ଝୁଲାଇ ଦେଇଥିବା ଏତଲାରେ ଉଲ୍ଲେଖ କରାଯାଇଥିଲା। ଏହି ଏତଲା ଆଧାରରେ ରବିବାର ରାଇରଙ୍ଗପୁର ଟାଉନ ଥାନାରେ ୧୫୯/୧୯ ନମ୍ବରର ଏକ ମାମଲା ୩୦୨ ଓ ୩୪ ଦଫାରେ ରୁଜୁ ହୋଇ ମୟୁରଭଞ୍ଜ ଏସପି ସ୍ମିତ ପି.ପରମାର ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସୌମ୍ୟରଂଜନ ସାହୁ(ଧର୍ଷଣକାରୀ ଅଭିଯୁକ୍ତ), ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ଅଭିଯୁକ୍ତ ମିନ୍ମିୟୀ ସାହୁ(ଦେବବ୍ରତ ମଣ୍ଡଳଙ୍କ ପତ୍ନୀ), ରତିକାନ୍ତ ସାହୁ ଓ ଶୈଳଶାଳ ସାହୁ ଗିରଫ ହୋଇ ନ ଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ମୃତ ଅଧ୍ୟାପିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପୀଡିତା ଅଧ୍ୟାପିକା ନିଜେ ମାସକ ତଳେ ଅର୍ଥାତ୍ ଗତ ଅକ୍ଟୋବର ୩୦ ତାରିଖରେ ଝାଡପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏହି ଘଟଣାର ତଦନ୍ତରେ ଅବହେଳା ସହ ଅଭିଯୁକ୍ତକୁ ଗିରଫ କରିବାରେ ବିଳମ୍ବ ଯୋଗୁଁ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ। ଏ ସଂପର୍କରେ ସେତେବେଳେ ଝାଡପୋଖରିଆ ଥାନାରେ ୧୨୫/୧୯ ନମ୍ବରର ଏକ ମାମଲା ୩୭୬ ଓ ୫୦୬ ଦଫାରେ ରୁଜୁ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ସାହୁଙ୍କୁ ଗିରଫ କରିବାରେ ପୁଲିସର ଅବହେଳା ଯୋଗୁଁ ଅଭିଯୋଗକାରିଣୀ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିବା ଦୁର୍ଭାଗ୍ୟଜନକ। କିନ୍ତୁ ଏହି ଘଟଣାର ତଦନ୍ତରେ ପୁଲିସର ଅବହେଳା ପାଇଁ ଝାଡପୋଖରିଆ ଥାନାର ଆଇଆଇସି ଶରତ ମାହାଲିକଙ୍କୁ ରବିବାର ସେଠାରୁ ହଟାଯାଇ ଜିଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ କରାଯାଇଥିବା ସହ ତଦନ୍ତକାରୀ ପୁଲିସ ସବ୍ଇନ୍ସପେକ୍ଟର ପିକେ ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଏବଂ ତିରିଂ ଥାନାର ଆଇଆଇସି ସୁଦର୍ଶନ ଗାଙ୍ଗୋଇଙ୍କୁ ଝାଡପୋଖରିଆ ଥାନାର ନୂତନ ଆଇଆଇସିଭାବେ ଅବସ୍ଥାପିତ କରାଯାଇଥିବା ସହ ଝାଡପୋଖରିଆ ଥାନାରେ ଅକ୍ଟୋବର ୩୦ ତାରିଖରେ ରୁଜୁ ହୋଇଥିବା ୧୨୫/୧୯ ନମ୍ବର ମାମଲାର ତଦନ୍ତକାରୀ ଅଧିକାରୀଭାବେ ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ପ୍ରକାଶ ଯୋଗ୍ୟ, ଝାଡପୋଖରିଆ ଥାନାରେ ଗତ ଅକ୍ଟୋବର ୩୦ ତାରିଖ ସନ୍ଧ୍ୟାରେ ଲିଖିତଭାବେ ମୃତ ଅଧ୍ୟାପିକାଙ୍କ ଦ୍ୱାରା ଦିଆଯାଇଥିବା ଅଭିଯୋଗ ଅନୁଯାୟୀ କେନ୍ଦୁଝରରେ ରହୁଥିବା ତାଙ୍କ ଭାଉଜ ମିନ୍ମିୟୀ ସାହୁଙ୍କ ପାଖରୁ ମୋବାଇଲ ଫୋନ ଯୋଗେ କେନ୍ଦୁଝର ଯିବା ପାଇଁ ଅନୁରୋଧ କରାଯାଇଥିଲା ଏବଂ ସେହି ଅନୁଯାୟୀ ସେ ତାଙ୍କ ଭାଉଜଙ୍କ କେନ୍ଦୁଝରସ୍ଥ ଘରକୁ ଯାଇ ରାତିରେ ରହିଥିଲେ। ପରଦିନ ଅର୍ଥାତ୍ ୨୭/୨୮ ତାରିଖ ମଧ୍ୟରାତି ପ୍ରାୟ ୧ଟା ସମୟରେ ତାଙ୍କ ଭାଉଜଙ୍କ ଭାଇ େଔମ୍ୟରଂଜନ ସାହୁ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ରୁମ୍ରେ ପ୍ରବେଶ କରି ଜୋରଜବରଦସ୍ତି ବଳାତ୍କାର କରିବା ଯୋଗୁଁ ସେ ଅଚେତ୍ ହୋଇ ପଡିଥିଲେ। ଏହି ଘଟଣା ସଂପର୍କରେ ତାଙ୍କ ଭାଉଜଙ୍କୁ କହିଥିଲେ ମଧ୍ୟ ତାହା କାହାରି ନିକଟରେ ପ୍ରକଟ କରିବାକୁ ମନା କରିଥିଲେ। ଏହି ଘଟଣା ସଂପର୍କରେ ଝାଡପୋଖରିଆ ଥାନାରେ ଗତ ଅକ୍ଟୋବର ୩୦ ତାରିଖରେ ଏତଲା ଦେଇଥିଲେ ମଧ୍ୟ ତାଙ୍କୁ କୁଆଡେ ତାଙ୍କର ଅଶ୍ଲୀଳ ଫଟୋମାନ ଭାଇରାଲ କରି ଦେବେ ବୋଲି ଧମକ ଦିଆଯାଉଥିବା ଏବଂ ଝାଡପୋଖରିଆ ପୁଲିସ ଅଭିଯୁକ୍ତକୁ ଗିରଫ କରିବାରେ ଅବହେଳା ଯୋଗୁଁ ସେ ସଂପୂର୍ଣ୍ଣଭାବେ ବିବ୍ରତ ହୋଇଯାଇଥିବାର ସମୟ ଅତିବାହିତ କରୁଥିଲେ ବୋଲି ପ୍ରକାଶ।