କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ କୋହଳ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯିବ: ବିସିସିଆଇ

Straight to the Point

ମୁମ୍ବଇ : ରବିବାର ଏଠାରେ ଭାରତୀୟ କ୍ରିକେଟ କ​ଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୮ତମ ବାର୍ଷିକ ସାଧାରଣ ପରିଷଦ (ଏଜିଏମ୍‌) ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ପ୍ରସଙ୍ଗ ହେଲା ବିସିସିଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ଅବଧି କୋହଳ କରିବାର ପ୍ରୟାସ କରାଯିବ। ଲୋଧା ସଂସ୍କାରରେ ଥିବା ଏହି ଧାରାକୁ ପରିବର୍ତ୍ତନ କରିବା ଲାଗି ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହାସହ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି (ସିଇସି) ବୈଠକରେ ବିସିସିଆଇର ସିଇଓ ରାହୁଲ ଜୋହ୍‌ରିଙ୍କ ସ୍ଥାନରେ ବିସିସିଆଇର ସମ୍ପାଦକ ଜୟ ଶାହା ଯୋଗଦେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବିସିସିଆଇର ନୂତନ ସମ୍ବିଧାନ ଅନୁସାରେ, ଏହାର ଯେକୌଣସି କର୍ମକର୍ତ୍ତା ବିସିସିଆଇ କିମ୍ବା ରାଜ୍ୟ କ୍ରିକେଟ ଆସୋସିଏସନ୍‌ରେ ୨ଟି ୩ ବର୍ଷିଆ କାର୍ଯ୍ୟକାଳ ପୂରଣ କରିସାରିବା ପରେ ୩ ବର୍ଷ ବାହାରେ ରହିବେ ବା ତାଙ୍କ ପାଇଁ କୁଲିଂ ଅଫ୍ ପିରିୟଡ୍‌ ନିୟମ ଲାଗୁହେବ। ଏହା ଅନୁସାରେ, ବିସିସିଆଇର ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଆସନ୍ତାବର୍ଷ ପଦ ତ୍ୟାଗ କରିବାକୁ ପଡ଼ିବ। ​ତେବେ ବିସିସିଆଇ ସମ୍ବିଧାନରେ ଥିବା ଏହି ୬ ବର୍ଷିଆ ନିୟମ ପରିବର୍ତ୍ତନ ଲାଗି ଯଦି ସୁପ୍ରିମକୋର୍ଟ ଅନୁମତି ଦିଅନ୍ତି; ତେବେ ଗାଙ୍ଗୁଲି ପୂରା ୩ ବର୍ଷ ଲାଗି ବିସିସିଆଇର ସଭାପତି ଏବଂ ସମ୍ପାଦକ ଜୟ ଶାହା ୨ ବର୍ଷ ପରିବର୍ତ୍ତେ ପୂରା ୩ ବର୍ଷ ରହିପାରିବେ। ବିସିସିଆଇ ଏଜିଏମ୍ ଏହି ନିଷ୍ପତ୍ତି ନେଇଛି ଯେ ଯଦି ଜଣେ କର୍ମକର୍ତ୍ତା ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇରେ ପୃଥକ୍ ଭାବେ କ୍ରମାଗତ ୬ ବର୍ଷ କର୍ମକର୍ତ୍ତା ରହିବା ପରେ ତାଙ୍କ ପାଇଁ କୁଲିଂ ଅଫ୍ ପିରିୟଡ୍ ଲାଗୁ କରାଯିବ। ତେଣୁ ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇର କାର୍ଯ୍ୟକାଳକୁ ମିଶାଇ ୬ ବର୍ଷ ଅବଧି ନିୟମ ପରିବର୍ତ୍ତନ ପାଇଁ ବିସିସିଆଇ ଚାହୁଁଛି। ଏବେ ସବୁକିଛି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭରକରେ। ବିସିସିଆଇ ସମ୍ବିଧାନରେ ଏହା ଉଲ୍ଲେଖ ରହିଛି ଯେ ଏହାର କୌଣସି ଧାରା ବଦଳାଇବା ଲାଗି ତିନି ଚତୁର୍ଥାଂଶ ମତରେ ଏହା ପାସ୍ ହେବା ଆବଶ୍ୟକ। ରବିବାର ବିସିସିଆଇର ଏଜିଏମ୍ ଆରମ୍ଭହେବା ପରେ ସଭାପତି ସୌରଭ ଗାଙ୍ଗୁଲି ଜଣେ କର୍ମକର୍ତ୍ତା ରାଜ୍ୟ କ୍ରିକେଟ ଆସୋସିଏସନ୍‌ ଓ ବିସିସିଆଇରେ ପୃଥକ୍ ଭାବେ କ୍ରମାଗତ ୬ ବର୍ଷ କର୍ମକର୍ତ୍ତା ରହିବା ପରେ ତାଙ୍କ ପାଇଁ କୁଲିଂ ଅଫ୍ ପିରିୟଡ୍ ଲାଗୁ କରାଯିବା ନେଇ ବିସିସିଆଇ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ କରିଥିଲେ। ଏହାସହ ମୋଟ ୬ଟି ସଂଶୋଧନ ପ୍ରସ୍ତାବ ଗାଙ୍ଗୁଲି ରଖିଥିଲେ। ଆଉ ଏକ ପ୍ରସ୍ତାବ ଥିଲା ଯେ ବିସିସିଆଇ ଯଦି ତା’ର ସମ୍ବିଧାନରେ ସଂଶୋଧନ କରିବାକୁ ଚାହେଁ; ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନାହିଁ। ପୁଣି ବିସିସିଆଇ ସମ୍ବିଧାନ ଅନୁସାରେ, ସଭାପତି ନୁହନ୍ତି; ବିସିସିଆଇ ସମ୍ପାଦକଙ୍କ ହାତରେ ସର୍ବାଧିକ କ୍ଷମତା ରହିବ। ଏହିସବୁ ପ୍ରସ୍ତାବକୁ ନେଇ ଭୋଟିଂ ହୋଇନଥିଲେ ମଧ୍ୟ ଅଧିକାଂଶ ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଅନୁମୋଦନ ନ ନେଇ ସମ୍ବିଧାନରେ ସଂଶୋଧନ କଲେ; ଏହା ଅଦାଲତ ଅବମାନନା ବୋଲି ଗଣନା କରାଯିବ ବୋଲି ଏଜିଏମ୍‌ରେ ଉପସ୍ଥିତ ଅଧିକାଂଶ ସଦସ୍ୟ ମତ ଦେଇଥିଲେ। ତେଣୁ ଉପରୋକ୍ତ ସମ୍ବିଧାନ ସଂଶୋଧନ ନେଇ ମତଦାନ କରା ଯାଇନଥିଲା। ଅଦାଲତଙ୍କ ସବୁଜ ସଙ୍କେତ ମିଳିବା ପରେ ଭୋଟିଂ ହୋଇପାରେ। ପୁଣି ନିଷ୍ପତ୍ତି ନିଆ ଯାଇଥିଲା ଯେ ପ୍ରଶାସକ କମିଟି (ସିଓଏ) ବିସିସିଆଇକୁ ପରିଚାଳନା କରୁଥିବା ବେଳେ ସିଇଓ ରାହୁଲ ଜୋହରିଙ୍କ ହାତରେ କ୍ଷମତା ନ୍ୟସ୍ତ ରହିଥିଲା। ତେବେ ବିସିସିଆଇ ନିର୍ବାଚନ ସମ୍ପନ୍ନହେବା ପରେ ସିଓଏର କାର୍ଯ୍ୟକାଳ ଶେଷ ହୋଇଯାଇଛି। ତେଣୁ ଆଗକୁ ଆଇସିସିର ସମସ୍ତ ଗୁରୁତ୍ବପୂର୍ଣ୍ଣ ବୈଠକରେ ସିଇଓ ଜୋହରିଙ୍କ ବଦଳରେ ବିସିସିଆଇ ସମ୍ପାଦକ ଜୟ ଶାହା ଯୋଗଦେବେ। ଏହା ହିଁ ଆଇସିସିର ନିୟମ ଏବଂ ଏହାକୁ ପାଳନ କରାଯିବ। ଏହାସହ ଜାତୀୟ ମନୋନୟନ କମିଟି ବାଛିବା ଲାଗି ଆବଶ୍ୟକ କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ଗଠନକୁ ଘୁଞ୍ଚାଇବା ଲାଗି ବିସିସିଆଇ ଏଜିଏମ୍‌ରେ ନିଷ୍ପତ୍ତି ନିଆଯାଇଛି। କାରଣ ସିଏସି ଗଠନ ବାଟରେ କଣ୍ଟାସାଜିଛି ବିବାଦୀୟ ସ୍ବାର୍ଥଜଡ଼ିତ ସମସ୍ୟା। ଏପରିକି ସିଓଏ ବିସିସିଆଇ ଚଳାଉଥିବା ବେଳେ ମଧ୍ୟ ଏହି ବିବାଦୀୟ ପ୍ରସଙ୍ଗର ସମାଧାନ ଖୋଜି ପାଇନଥିଲା। ଫଳରେ ପୂର୍ବରୁ ଗଠିତ ସିଏସିରେ ଥିବା ୩ ସଦସ୍ୟ- ଭିଭିଏସ୍ ଲକ୍ଷ୍ମଣ, ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ପରେ କପିଳ ଦେବ, ଶାନ୍ତା ରଙ୍ଗସ୍ବାମୀ ଓ ଅଂଶୁମାନ ଗାଏକ୍‌ୱାଡ୍‌ଙ୍କୁ ନେଇ ଗଠିତ ସିଏସି ଭାରତୀୟ ସିନିୟର ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ରବି ଶାସ୍ତ୍ରୀଙ୍କୁ ମନୋନୀତ କରିଥିଲେ। ଏବେ ଶାନ୍ତା ରଙ୍ଗସ୍ବାମୀ ଓ ଅଂଶୁମାନ ଗାଏକ୍‌ୱାଡ୍‌ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ର ପ୍ରତିନିଧି ଭାବେ ବିସିସିଆଇ ଆପେକ୍ସ କାଉନ୍‌ସିଲର ସଦସ୍ୟ ଅଛନ୍ତି। ତେଣୁ ଦୁହେଁ ସିଏସିରୁ ଇସ୍ତଫା ଦେଇଛନ୍ତି। ଏବେ ନୂତନ ସିଏସି ଗଠନ କରିବା ବିସିସିଆଇର ଦାୟିତ୍ବ।

Leave a Reply

Your email address will not be published. Required fields are marked *

error: Thank You Keep Visiting