ନୂଆ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପରେ ପ୍ରଥମ ଦିନ ଭୁବନେଶ୍ବରରେ କିପରି ଚାଲିଥିଲା ଯାଞ୍ଚ

An Independent Media

ଭୁବନେଶ୍ୱର : ନୂଆ କଟକଣା ପାଇଁ ୩ମାସ ମହଲତ ଆଜି ଶେଷ ହୋଇଥିବା ବେଳେ ଆଉ ୩ମାସ ମହଲତ ଆରମ୍ଭ ହୋଇଛି। କାଗଜପତ୍ର ଠିକ୍‌ କରାଇ ନେବା ପାଇଁ ସରକାର ସମୟ ଦେଇଛନ୍ତି ସତ, କିନ୍ତୁ ନିୟମ ଖିଲାପକାରୀଙ୍କ ପାଇଁ ଆଜିଠାରୁ କଣ୍ଟ ପୂରିଛି। ତିନିମାସ ଧରି ହାତବାନ୍ଧି ବସିଥିବା ଟ୍ରାଫିକ୍ ପୁଲିସ ଆଜି ରାଜଧାନୀର ୨୫ଟି ଛକରେ ବେଶ୍‌ ଧରପଗଡ଼ କରିଥିଲା। ଛୁଟିଦିନ ସ‌େ‌ତ୍ତ୍ବ ରବିବାର ସକାଳ ୯ଟାବେଳୁ ହେଲମେଟ୍ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଛିଡ଼ା କରି ଜୋରିମାନା ଆଦାୟ କରୁଥିବା ଦେଖାଯାଇଥିଲା। ପୁଣି ତିନିମାସ ମହଲତ ମିଳିଥିବାରୁ ଅନେକ ଲୋକ ଘରୁ ହେଲମେଟ ଆଣିବାକୁ ଉଚିତ ମନେ କରିନଥିଲେ। ଧରା ପଡ଼ିବା ପରେ ନୂଆ ନିୟମ କଥା ମନେପଡ଼ିଥିଲା।

ଜରିମାନା ଦେଇଛି, ହେଲ୍‌ମେଟ୍‌ ପିନ୍ଧିବିନି :

୧୦୦୦ ଟଙ୍କା ଜରିମାନା ଦେଇଛି, ୨୪ ଘଣ୍ଟା ପର୍ଯ୍ୟନ୍ତ ହେଲ୍‌ମେଟ୍‌ ପିନ୍ଧିବି ନାହିଁ। ରାଜମହଲ ଛକରେ ଯାଞ୍ଚ ଚାଲିଥିବା ସମୟରେ ଜଣେ ଯୁବକ ବିନା ହେଲ୍‌ମେଟ ପିନ୍ଧି ଗାଡ଼ି ଚଳାଉଥିବା ବେଳେ ପୁଲିସ ତାକୁ ଧରିଥିଲା। ଏହାପରେ ପୁଲିସ ସହ ଦୀର୍ଘସମୟ ଯୁକ୍ତିତର୍କ ପରେ ୧୦୦୦ ଟଙ୍କା ଜରିମାନା ଦେଇଥିଲା। ଏହାପରେ ବିନା ହେଲ୍‌ମେଟ୍‌ରେ ପୁଲିସ ଯାଞ୍ଚ କରୁଥିବା ଅଞ୍ଚଳରେ ସେ ବୁଲିଥିଲା। ପ୍ରାୟ ୨ ଘଣ୍ଟା ବିନା ହେଲ୍‌ମେଟ୍‌ରେ ବୁଲି ରାଜମହଲ ଛକରେ ଟ୍ରାଫିକ୍‌ କର୍ମଚାରୀଙ୍କୁ ହଇରାଣ ହରକତ କରିଥିଲା।

ନିୟମ କୋହଳ :

ଫାଇନ ଦବୁନିସରକାର ନିୟମ କୋହଳ କରିଛନ୍ତି। ତମେ କାହିଁକି ଆଜିଠାରୁ ଲୋକଙ୍କୁ ଧରୁଛ। ଆଜି ଛାଡ଼ି ଦିଅ। ବିମାନବନ୍ଦର ଛକରେ ଯାଞ୍ଚ ସମୟରେ ଧରାପଡ଼ିଥିବା ଜଣେ ବ୍ୟକ୍ତି ପୁଲିସ କର୍ମଚାରୀଙ୍କୁ ଏପରି କହି ଖସିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କିଛି ସୁଫଳ ମିଳିଲାନି। ହେଲମେଟ ନପିନ୍ଧିଲେ କାଗଜପତ୍ର ଯାଞ୍ଚ ପାଇଁ ସରକାର କହିଛନ୍ତି ବୋଲି ସମ୍ପୃକ୍ତ କନେଷ୍ଟବଳ ତାଙ୍କୁ ସଫା ସଫା ଶୁଣାଇ ଦେଇଥିଲେ। ଜୋରିମାନା ନଦେଲେ ଘରେ ଚାଲାଣ ପହଞ୍ଚିବ ବୋଲି ଜାଣିବା ପରେ ଗାଡ଼ି ଚାଳକ ଜଣକ ଏଟିଏମ୍‌ରୁ ଟଙ୍କା ଆଣି ଜୋରିମାନା ଗଣିଥିଲେ।

ନଜର ରଖୁଛି ସିସିଟିଭି :

ଆଜି ଅନେକ ଛକରେ ପୁଲିସ ଯାଞ୍ଚ ହେଉନଥିଲେ ସୁଦ୍ଧା କିଛି ଗାଡ଼ି ଚାଳକ ନିୟମ ଉଲ୍ଲଘଂନ କରି ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। କାଲିଠାରୁ ଅନ୍ୟ ଛକମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ସେମାନଙ୍କ ଘରକୁ ପୁଲିସ ଇ-ଚାଲାଣ ପଠାଇବ ବୋଲି ଜଣାପଡ଼ିଛି। ଯେଉଁମାନେ ନିର୍ଦ୍ଧାରିତ ସମୟରେ ଆସି ଜୋରିମାନା ନଦେବେ ସେମାନଙ୍କ ନାମରେ ଜୋରିମାନା ଉପରେ ସୁଧ ଗଡ଼ିବ।

ରାଜମହଲ ଛକରେ ପୁଲିସ ମୁତୟନ :

୩ମାସ ତଳେ କାଗଜପତ୍ର ଯାଞ୍ଚ କରିବାକୁ ନେଇ ପୁଲିସ-ଜନତାଙ୍କ ମଧ୍ୟରେ ରାଜମହଲ ଛକରେ ଖଣ୍ଡଯୁଦ୍ଧ ହୋଇଥିଲା। ପୁଣି ଉକ୍ତ ଛକରେ ପୁଲିସ ଟ୍ରାଫିକ୍‌ ଯାଞ୍ଚ କରୁଥିଲାବେଳେ କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ କମିସନରେଟ ପୁଲିସ ସତର୍କ ହୋଇଛି। ଯାଞ୍ଚ କରାଯାଉଥିବା ସ୍ଥାନରେ ବ୍ୟାପକ ପରିମାଣର ପୁଲିସ ମୁତୟନ କରାଯାଇଥିଲା।

ପ୍ରମୁଖ ଛକ ମୁକୁଳା:

ରାଜଧାନୀର ପ୍ରମୁଖ ଛକଗୁଡ଼ିକ ମୁକୁଳା ପଡ଼ିଥିଲା। ନଥିଲା ପୁଲିସ ଯାଞ୍ଚ। ଜିରୋ ଟଲରାନ୍ସ ଛକ ଏଜି, କଳ୍ପନା ଭଳି ଗୁରୁତ୍ବପୂର୍ଣ୍ଣ ଛକରେ ଟ୍ରାଫିକ୍‌ ଯାଞ୍ଚ କରାଯାଉନଥିଲା। ସକାଳୁ କିଛି ‌ସ୍ବେଚ୍ଛାସେବୀ ସଂଗଠନ ଲିଫ୍‌ଲେଟ୍‌ ଦେଇ ଲୋକଙ୍କୁ ସଚେତନ କରୁଥିଲେ। ଯାଞ୍ଚ କରାଯାଉନଥିବାରୁ ନିୟମ ଉଲ୍ଲଘଂନ କରି ଚାଳକ ଯାଉନଥିବା ଦେଖାଯାଇଥିଲା। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଥିବା କିଛି ଚାଳକଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯାଇଥିଲା। ଚିହ୍ନଟ ଖିଲାପିଙ୍କ ନିକଟକୁ ଚାଲାଣ ପଠାଯିବ।

ଅନେକ ସିସିଟିଭି ଅଚଳ:

ରାଜଧାନୀର ବିଭିନ୍ନ ଛକରେ ଲାଗିଥିବା ଅନେକ ସିସିଟିଭି ଅଚଳ ଥିବା ଜଣାପଡ଼ିଛି। ପ୍ରାୟ ୩୫୦ କ୍ୟାମେରାରୁ ୮୦ଟି ଅଚଳ ହୋଇପଡ଼ିଛି। ସିସିଟିଭିରେ ଗାଡ଼ି ଚାଳକଙ୍କୁ ଚିହ୍ନଟ କରି ଇ-ଚାଲାଣ ପଠାଇବା ପାଇଁ ପୁଲିସ ଯୋଜନା କରୁଥିବାବେଳେ ଅଚଳ ସିସିଟିଭି ଏଥିରେ ବାଧକ ସାଜିଛି।

୫ଲକ୍ଷ ଟପିଲା ଜୋରିମାନା :

୩ମାସ ଟ୍ରାଫିକ୍‌ କଟକଣା ହଟାଇ ସଚେତନତା କାର୍ଯ୍ୟକ୍ରମ ଉପରେ କମିସନରେଟ ପୁଲିସ ଗୁରୁତ୍ବ ଦେଲେ। ପ୍ରତିଦିନ ଲିଫ୍‌ଲେଟ୍‌, ଚକୋଲେଟ୍‌, ହେଲ୍‌ମେଟ୍‌ ବାଣ୍ଟିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଟ୍ରାଫିକ୍‌ ସଚେତନତା ଉପରେ କର୍ମଶାଳା କଲେ। ଟ୍ରାଫିକ୍‌ କଟକଣା ରବିବାରଠାରୁ ଲାଗୁ କରାଯିବ ବୋଲି ଟେଲିଭିଜନ୍‌ ଓ ଖବରକାଗଜରେ ପ୍ରସାରିତ ହେଲା। ହେଲେ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀଙ୍କ ଜୋରିମାନାର ପରିମାଣ ଦେଖିଲେ ପୁଲିସ ଓ ବିଭିନ୍ନ ସଂଗଠନର ମାସ ମାସ ଧରି ସଚେତନତା ଫସର ଫାଟିଥିବା ଜଣାପଡ଼ୁଛି। ରାଜଧାନୀର ବିଭିନ୍ନ ଅଞ୍ଚଳରୁ ରବିବାର ଟ୍ରାଫିକ୍‌ ତନାଘନାବେଳେ ପ୍ରାୟ ୫ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି।

error: Thank You Keep Visiting