ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ସ୍ବଚ୍ଛଳ ବର୍ଗ ପ୍ରଯୁଜ୍ୟ ନୁହେଁ : କେନ୍ଦ୍ର ସରକାର

Straight to the Point

ନୂଆଦିଲ୍ଲୀ: ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ସୁବିଧାରୁ ସ୍ବଚ୍ଛଳ ବର୍ଗଙ୍କୁ ବାଦ୍‌ ଦେବା ପାଇଁ ସୁପ୍ରିମକୋର୍ଟ ୨୦୧୮ରେ ରାୟ ଦେଇଥିଲେ। ଉକ୍ତ ରାୟର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୋମବାର ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। ୨୦୧୮ରେ ଜର୍ନେଲ ସିଂଙ୍କ ମାମଲାରେ ୫ ଜଣିଆ ପୀଠ ଦେଇଥିବା ରାୟର ଯଥାର୍ଥତା ଉପରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ସନ୍ଦେହ ବ୍ୟକ୍ତ କରିଥିଲେ। ଏହି ମାମଲା ୭ ଜଣିଆ ପୀଠରେ ପୁନର୍ବାର ଶୁଣାଣି କରାଯିବା ସରକାର ଚାହାନ୍ତି ବୋଲି ସେ କହିଥିଲେ। ସ୍ବଚ୍ଛଳ ବର୍ଗ (କ୍ରିମି ଲେୟର) ଧାରଣା ଏସ୍‌ସି/ଏସ୍‌ଟିଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରିବ ନାହିଁ ବୋଲି ଆଟର୍ନି ଜେନେରାଲ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ କହିଥିଲେ। ୨୦୦୮ରେ ଇନ୍ଦ୍ର ସାହନି (ମଣ୍ଡଳ ମାମଲା) ରାୟରେ ଅନ୍ୟତମ ୫ ଜଣିଆ ଖଣ୍ଡପୀଠ ଏସ୍‌ସି/ଏସ୍‌ଟି ବର୍ଗଙ୍କୁ ସ୍ବଚ୍ଛଳ ବର୍ଗ ବାହାରେ ରଖିଥିଲେ ବୋଲି ବେଣୁଗୋପାଳ କହିଥିଲେ। ତେବେ ତାଙ୍କର ଏହି ଯୁକ୍ତିକୁ ସମତା ଆନ୍ଦୋଳନ ସମିତି ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ବିରୋଧ କରିଥିଲେ। ସ୍ବଚ୍ଛଳ ବର୍ଗ ଅବଧାରଣା ଉପରେ ଅଦାଲତଙ୍କ ୨୦୧୮ ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏହି ମାମଲାର ପୁନର୍ବାର ଶୁଣାଣି ହେବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Thank You Keep Visiting