ଅନାଜ୍ ମଣ୍ଡି ଅଞ୍ଚଳରେ ଅଗ୍ନିକାଣ୍ଡ; ଫ୍ୟାକ୍ଟ୍ରି ମାଲିକ ଗିରଫ

An Independent Media

ନୂଆଦିଲ୍ଲୀ: ଦିଲ୍ଲୀର ଅନାଜ ମଣ୍ଡି ଇଲାକାରେ ଆଜି ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ପୋଲିସ ଫ୍ୟାକ୍ଟ୍ରି ମାଲିକ ରେହାନଙ୍କୁ ଗିରଫ କରିଛି। ସେ ଘଟଣା ପରେ ଫେରାର ହୋଇ ଯାଇଥିଲେ। ଏହା ସହିତ ପୋଲିସ ମ୍ୟାନେଜର ଫୁରକାନଙ୍କୁ ମଧ୍ୟ ଗିରଫ କରିଛି। ସୂଚନା ଅନୁଯାୟୀ ଯେଉଁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି, ତାହା ବେଆଇନ ଭାବେ ଚାଲୁଥିଲା। ରେହାନଙ୍କ ବିରୋଧରେ ଆଇପିସିର ଧାରା ୩୦୪(ଅନିଚ୍ଛା କୃତ ହତ୍ୟା) ଓ ୨୮୫ ଆଧାରରେ ମାମଲା ରୁଜୁ ହୋଇଛି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷର ଜେଲ ଦଣ୍ଡ ହୋଇପାରେ ଓ ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ। ଉତ୍ତର ଦିଲ୍ଲୀର ଡିସିପି ମୋନିକା ଭରଦ୍ଵାଜ କହିଛନ୍ତି ଯେ, ଉଦ୍ଧାର ଓ ରିଲିଫ କାର୍ଯ୍ୟ ଶେଷ ହୋଇ ସାରିଛି। ପୁରୁଣା ଦିଲ୍ଲୀର ଫିଲ୍ମିସ୍ତାନ ଇଲାକାରେ ବେଆଇନ ଭାବେ ଏକ ଘରେ ଫ୍ୟାକ୍ଟ୍ରି ଚାଲିଥିଲା। ଅନ୍ୟପଟେ ନିର୍ଦ୍ଧାରିତ ନିୟମଠୁ କୋଠାଟି ବହୁତ ଉଚ୍ଚ ଥିଲା। ଫ୍ୟାକ୍ଟ୍ରି ସଞ୍ଚାଳନ ଲାଗି ଅଗ୍ନିଶମ ବିଭାଗରୁ ଏନଓସି ନିଆଯାଇନଥିଲା। ଅଣଓସରିଆ ଗଳିରେ ନିର୍ମିତ ଏହି କୋଠାରେ ଅଗ୍ନିକାଣ୍ଡ ହେବା ପରେ ଲୋକେ ପଳାୟନ କରି ନିଜର ଜୀବନ ବଞ୍ଚାଇବାକୁ ରାସ୍ତା ପାଇନଥିଲେ ଏବଂ ଅକାରଣରେ ନିଜର ଜୀବନ ହରାଇଲେ। ଡାକ୍ତରଙ୍କ ମୁତାବକ ଏହି ଘଟଣାରେ ଅଣ ନିଃଶ୍ଵାସୀ ହୋଇ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନ ପ୍ରତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କ ପ୍ରତି ଏକ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପା ଦେବାକୁ ଘୋଷଣା କରିଛନ୍ତି।

error: Thank You Keep Visiting