ନାଗରିକତ୍ବ ସଂଶୋଧନ ବିଧେୟକକୁ ନେଇ ଜେଡି(ୟୁ)ରେ ବିବାଦ
ପାଟନା : ସିଏବିକୁ ସମର୍ଥନ କରି ସଂକଟକୁ ଡାକି ଆଣିଛି ନୀତୀଶ କୁମାରଙ୍କ ଜେଡି(ୟୁ)। ଏହି ପ୍ରସଙ୍ଗ ନେଇ ଦଳରେ ଭିନ୍ନ ମତ ପ୍ରକାଶ ପାଇଛି। ନୀତୀଶଙ୍କ ପରାମର୍ଶଦାତା ପ୍ରଶାନ୍ତ କିଶୋର ଓ ଦଳର ବରିଷ୍ଠ ନେତା ପବନ ବର୍ମା ଏଥିନେଇ ପ୍ରକାଶ୍ୟରେ ଦଳୀୟ ଭୂମିକାକୁ ସମାଲୋଚନା କରିଛନ୍ତି। ନୀତୀଶ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟର ପୁନର୍ବିଚାର କରିବାକୁ ବର୍ମା ନିବେଦନ କରିଥିଲାବେଳେ ପ୍ରଶାନ୍ତ କହିଛନ୍ତି ଯେ ସିଏବିକୁ ସମର୍ଥନ କରିବା ଦଳୀୟ ସମ୍ବିଧାନର ପରିପନ୍ଥୀ। ଜେଡି(ୟୁ) ସମ୍ବିଧାନର ପ୍ରଥମ ପୃଷ୍ଠାରେ ତିନି ଥର ‘ଧର୍ମ-ନିରପେକ୍ଷ’ ଶବ୍ଦ ଉେଲ୍ଲଖ ଥିବାବେଳେ ଓ ଦଳର ନେତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉଥିବାବେଳେ ଏହି ଧର୍ମ ଆଧାରିତ ବିଧେୟକକୁ ସମର୍ଥନ କରିବା ନୀତି-ଆଦର୍ଶର ପରିପନ୍ଥୀ ବୋଲି ପ୍ରଶାନ୍ତ ଟ୍ବିଟ୍ କରିଛନ୍ତି। ଏଥିନେଇ ସେ ‘ଅସନ୍ତୁଷ୍ଟ’ ବୋଲି ଲେଖିଛନ୍ତି। ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ କୂଟନୀତିଜ୍ଞ ବର୍ମା କହିଛନ୍ତି ଯେ ଏହି ବିଧେୟକ ଅସାମ୍ବିଧାନିକ, ପକ୍ଷପାତମୂଳକ ଏବଂ ଦେଶର ସଂହତି ତଥା ଧର୍ମ-ନିରପେକ୍ଷ ଆଦର୍ଶ ପ୍ରତି କଟାକ୍ଷ। ମହାତ୍ମା ଜୀବିତ ଥିଲେ ଘୋର ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତେ କହି ରାଜ୍ୟସଭାରେ ନୀତୀଶ ବିଧେୟକକୁ ସମର୍ଥନ ଦେବେ ନାହିଁ ବୋଲି ବର୍ମା ଆଶା ପ୍ରକଟ କରିଛନ୍ତି।