୧୫,୦୦୦ ଟନ୍‌ ପାଇଁ ଟେଣ୍ଡର ଜାରି କଲେ ସରକାର

An Independent Media

ନୂଆଦିଲ୍ଲୀ: ଦେଶରେ ପିଆଜର ଉପଲବ୍ଧତା ବଢ଼ାଇବା ପାଇଁ ସରକାର ପୁଣି ୧୨,୬୬୦ ଟନ୍‌ ପିଆଜ ଆମଦାନୀ କରିବାକୁ ଚିନ୍ତା କରୁଛନ୍ତି। ଏହି ପ୍ରକ୍ରିୟା ଡିସେମ୍ବର ୨୭ରୁ ଆରମ୍ଭ ହୋଇଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରାଳୟ ତରଫରୁ ଗୁରୁବାର ଜାରି କରାଯାଇଥିବା ଏକ ବୟାନ୍‌ରେ ଏହା କୁହାଯାଇଛି। ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଏଯାଏଁ ପାଖାପାଖି ୩୦,୦୦୦ ଟନ୍‌ ପିଆଜ କିଣାଯାଇଛି ଏବଂ ଏମଏମଟିସିକୁ ୧୫,୦୦୦ ଟନ୍‌ ଅତିରିକ୍ତ ପିଆଜ ଆମଦାନୀ ପାଇଁ ୩ଟି ଟେଣ୍ଡର ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଟେଣ୍ଡର ୫,୦୦୦ ଟନ୍‌ ପାଇଁ ଉଦ୍ଦିଷ୍ଟ। ପିଆଜ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଏହା ପୂର୍ବରୁ ଡିସେମ୍ବର ୯ରେ କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜର ଷ୍ଟକ ଲିମିଟ ୨୫ ଟନ୍‌ ରଖିବାକୁ କହିଥିଲେ। ବୟାନରେ କୁହାଯାଇଥିଲା ଯେ, କେନ୍ଦ୍ରୀୟ ଉପଭୋକ୍ତା ମାମଲା, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରୀ ରାମ ବିଲାସ ପାସଓ୍ଵାନ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ବେଆଇନ୍‌ ଭାବେ ପିଆଜ ଗଚ୍ଛିତ ରଖିଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦେଇଥିଲେ। କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଗୁରୁବାର ଲୋକସଭାରେ କହିଥିଲେ ଯେ, ପିଆଜର ଦର ବୃଦ୍ଧି ପାଇଥିବାରୁ ଏହାର ଉତ୍ପାଦନ ହ୍ରାସ ପାଇଛି। ସରକାର ପିଆଜ ରପ୍ତାନୀ ବନ୍ଦ କରି, ବିଭିନ୍ନ ଦେଶରୁ ଆମଦାନୀ କରିବା ସହ ବିଭିନ୍ନ ରାଜ୍ୟ ସହିତ ମିଶି ଏହି ସମସ୍ୟାରୁ ମୁକୁଳିବାକୁ ପଦକ୍ଷେପ ନେଇଛନ୍ତି।


error: Thank You Keep Visiting