ନାଗରିକତ୍ଵ ସଂଶୋଧନ ଆଇନ; ୫ ଦିନରେ ୬ ମୃତ, ଆଜି ଦକ୍ଷିଣ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ
ଦିଲ୍ଲୀ: ନାଗରିକତ୍ଵ ସଂଶୋଧନ ବିଧେୟକ ୨୦୧୯ ଆଇନରେ ହେବ ପୂର୍ବରୁ ଆସାମରେ ଆରମ୍ଭ ହୋଇଥିବା ବିଦ୍ରୋହ ଏବେ ରାଜଧାନୀ ଦିଲ୍ଲୀକୁ ଗ୍ରାସିବା ଆରମ୍ଭ କରିଛି। ରବିବାର ଦିଲ୍ଲୀରେ ପ୍ରଦର୍ଶନକାରୀ ଓ ପୁଲିସ ମଧ୍ୟରେ ବିଭିନ୍ନ ସ୍ଥାନରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ସଂଶୋଧିତ ନିୟମ ଅନୁଯାୟୀ ତିନୋଟି ମୁସଲିମ ବହୁଳ ଦେଶରୁ ଭାରତକୁ ପଳାୟନ କରି ଶରଣାର୍ଥୀ ଭାବେ ରହୁଥିବା ଅଣ-ମୁସଲିମମାନଙ୍କୁ ନାଗରିକତ୍ଵ ଦେବା ନିୟମ ରହିଛି। ରବିବାର ପ୍ରଦର୍ଶନକାରୀମାନେ କେତେକ ବସରେ ନିଅଁ ଲଗାଇଦେବା ସହ ରାସ୍ତା ବ୍ଲକ କରିଥିଲେ ଫଳରେ ପୁଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା। ଏହି ବିଧେୟକ ଆଇନରେ ପରିଣତ ହେବା ପରେ ପୂର୍ବ ଏବଂ ଉତ୍ତର ଭାରତରେ କେତେକ ସଂଗଠନ ଓ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଗତ ୫ଦିନ ମଧ୍ୟରେ ଏ ନେଇ ହିଂସାରେ ୬ ଜଣକ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ପ୍ରଦର୍ଶନକାରୀମାନେ ଜାତୀୟ ରାଜପଥ ଅବରୋଧ କରିବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ବେଳେ ଆସାମ ସରକାର ଲୋକମାନଙ୍କୁ ଆବଶକୀୟ ଜିନିଷ ପତ୍ର କିଣିବା ପାଇଁ କେତେକ ସ୍ଥାନରେ କର୍ଫ୍ୟୁ କୋହଳ କରିଥିଲେ। ଭାରତର କିଛି ଅଂଚଳରେ ଏଭଳି ହିଂସା ଜନିତ ଘଟଣା ଦୃଷ୍ଟିରୁ ଆମେରିକା, କାନାଡ଼ା ଓ ଇଂଲଣ୍ଡ ସେମାନଙ୍କ ନାଗରିକମାନଙ୍କୁ ଉତ୍ତର ଓ ପୂର୍ବ ଭାରତ ଗସ୍ତ ସମୟରେ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି।