ମନମୁଖୀ ନୀତି ପାଇଁ ରାଜ୍ୟ ରାଜକୋଷ ଖାଲି; ଚିନ୍ତାରେ ରାଜ୍ୟ ଅର୍ଥ ବିଭାଗ
ଭୁବନେଶ୍ବର : ଦେଶରେ ୨୦୧୭ ଜୁଲାଇ ପହିଲାରେ ଜିଏସଟି ଲାଗୁ ପରେ ରାଜ୍ୟ ସରକାର ଆଶା କରିଥିଲେ ଯେ ରାଜସ୍ବ ବୃଦ୍ଧି ପାଇବ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ସବୁ ବିଭାଗର ଟଙ୍କା ଉଠାଣ ଓ ବଣ୍ଟନ ଅଧିକାରୀ(ଡିଡିଓ)ମାନଙ୍କୁ ଜାରି କରାଯାଇଥିଲା। ହେଲେ କୌଣସି ବିଭାଗ ଡିଡିଓ ଏହାକୁ ତିଳେ ହେଲେ ଖାତିର କରୁନାହାନ୍ତି। ଫଳରେ ରାଜ୍ୟର ରାଜସ୍ବ ବଢ଼ିବା ଅପେକ୍ଷା ଆର୍ଥିକ ପରିସ୍ଥିତି ଖରାପ ଆଡକୁ ଗତି କରୁଛି। କେନ୍ଦ୍ର ସରକାରଙ୍କ ଜିଏସଟି ନିୟମ ଅନୁଯାୟୀ ଯଦି ରାଜ୍ୟ ସରକାର ଭାଟ ତୁଳନାରେ ଜିଏସଟିରେ କମ୍ ରାଜସ୍ବ ପାଆନ୍ତି ତେବେ କେନ୍ଦ୍ର ସରକାର ଉକ୍ତ ଅର୍ଥ ଭରଣା କରିବା କଥା। ତେବେ ଏହି ଅବଧି ମଧ୍ୟରେ ଜିଏସଟି ଆକଳନ ବାବଦକୁ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ୧୧୦୦କୋଟିରୁ ଅଧିକ ଟଙ୍କା ପାଇବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଅନୁରୋଧପତ୍ର ପ୍ରଦାନ କରାଗଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ଗୋଟିଏ ପଟେ ଡ଼ିଡ଼ିଓଙ୍କ ମନମାନି ଓ ଅନ୍ୟପେକ୍ଷା କେନ୍ଦ୍ର ସରକାରଙ୍କ କାଳକ୍ଷେପଣନୀତି ଯୋଗୁଁ ଓଡ଼ିଶାର ରାଜକୋଷକୁ ଦୁର୍ବଳ କରୁଛି। ଏହାକୁ ନେଇ ଅର୍ଥବିଭାଗ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଡିଡିଓମାନଙ୍କ ଯୋଗୁଁ ରାଜ୍ୟର ରାଜସ୍ବ ଆଶାନୁରୂପ ହୋଇପାରୁ ନାହିଁ ବୋଲି ଅର୍ଥବିଭାଗର ଏକ ନିର୍ଦେଶନାମାରୁ ଜଣାଯାଇଛି।