କଟକ ଏସସିବିରୁ ଫେରାର କୋରୋନା ସନ୍ଦିଗ୍ଧ ଏକ ହୋଟେଲରେ ଠାବ
କଟକ: କଟକ ଏସସିବି ମେଡିକାଲ୍ରୁ ଫେରାର ହୋଇଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଛି। ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି। ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବହୁ ଖୋଜାଖୋଜି ପରେ ସନ୍ଦିଗ୍ଧ ବ୍ୟକ୍ତିଜଣକ ଭୁବନେଶ୍ୱରର ଏକ ହୋଟେଲ୍ରେ ରହିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ ତାପମାତ୍ରା ଥିବା ଜଣାପଡିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରୁ ବଡ ମେଡିକାଲକୁ ରେଫର କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ଆୟର୍ଲାଣ୍ଡର ଏହି ନାଗରିକ ଜଣକ ଫେରାର ହୋଇଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ମୌଖିକ ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ, ଏସ୍ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ଜଣକ କ୍ୟାପିଟାଲ ହସ୍ପିଟାଲରୁ ରେଫର ହୋଇ ସହଯୋଗୀଙ୍କ ସହ କଟକ ଆସିଥିଲେ। ସନ୍ଦିଗ୍ଧଙ୍କ ଜଣେ ସହଯୋଗୀ ରେଫରାଲ ଟିକେଟ୍ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ। ସନ୍ଦିଗ୍ଧଙ୍କୁ ଆଣି ଆଡମିଟ କରିବାକୁ ତାଙ୍କୁ କୁହାଯିବାରୁ ସେ ତାଙ୍କୁ ଆଣିବା ପାଇଁ ତଳକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ନ ଫେରିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା। ଏହା ପରଠୁ ସନ୍ଦିଗ୍ଧ କେଉଁ ଆଡ଼େ ଫେରାର ହୋଇଯାଇଥିବା ପୁଲିସ୍ର ଦୃଷ୍ଟି ଆକର୍ଷଣ କରାଯାଇଥିଲା।