ପୁଣି ୩ ଦିନ ଭିଜିବ ଓଡିଶା : କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର : ମଙ୍ଗଳବାର ହୋଲିରୁ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ପାଗ ଶୁଖିଲା ରହିବ, କିନ୍ତୁ ମଙ୍ଗଳବାର ବର୍ଷା ଆରମ୍ଭ ହେବ। କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା, ନବରଙ୍ଗପୁର ଆଦି ଜିଲାରେ ବର୍ଷା ହେବ। ବୁଧବାର ଠାରୁ ଦୁଇଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ବଢ଼ିବ। ଉପରୋକ୍ତ ଜିଲା ବ୍ୟତୀତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ବର୍ଷା ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ମଧ୍ୟରେ ରହିବ। ଏସବୁ ଜିଲା ପାଇଁ ତିନିଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ସକାଳୁ ପାଗରେ ପରିବର୍ତ୍ତନ ଆସିବ।