ୟେସ୍ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥଙ୍କ ଟଙ୍କା ଫସିଥିବା ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର
ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ ବର୍ଷିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏପ୍ରକାର ଗମ୍ଭୀର ମାମଲାରେ ଏଯାଏ ସରକାର କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ତେଣୁ ଏସବୁ ସରକାରଙ୍କ ଜାଣତରେ ହୋଇଥିବା ଅଭିଯୋଗ କରିଛନ୍ତି ବିଜୟ । ମନ୍ଦିରକୁ ଲୁଟ କରିବାକୁ ରାଜ୍ୟ ସରକାର ଏକ ଗ୍ୟାଙ୍ଗ ତିଆରି କରିଥିବା ସନ୍ଦେହ ସୃଷ୍ଟି ହେଉଛି। ଯାହାଦ୍ୱାରା ଏପରି କାମ ହେଉଥିବା କହିଛନ୍ତି ବିଜୟ। ଇଡି ହସ୍ତକ୍ଷେପ କଲେ ବହୁ ବିସ୍ଫୋରକ ତଥ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି। ୟେସ୍ ବ୍ୟାଙ୍କ ବୁଡ଼ିବା ସ୍ଥିତିକୁ ଚାଲି ଆସିଥିବା ବେଳେ ତାହାର ଅଧିକାରୀମାନଙ୍କୁ ଜେରା କରାଯାଇଛି। କିନ୍ତୁ ଏଥିରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିଥିବା ଅଧିକାରୀଙ୍କୁ କୌଣସି ପଚରାଉଚରା କରାଯାଇ ନାହିଁ। ସରକାରଙ୍କ ଜ୍ଞାତସାରରେ ଜଗନ୍ନାଥଙ୍କ କୋଟି କୋଟି ଟଙ୍କା ଏହି ଘରୋଇ ବ୍ୟାଙ୍କରେ ରହିଛି। କିନ୍ତୁ ସରକାର ଏହି ଟଙ୍କା ଫେରାଇ ଆଣିବାକୁ ତତ୍ପରତା ପ୍ରକାଶ କରୁ ନ ଥିବା ଆଶ୍ଚର୍ଯ୍ୟ ଲାଗୁଥିବା କହିଛନ୍ତି ଏହି ବରିଷ୍ଠ ବିଜେପି ନେତା। ଅନ୍ୟ ପଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ସମୀର ଦାଶ। ରାଜ୍ୟ ସରକାର ଟଙ୍କା ଉଠାଇବା ନେଇ ଆରବିଆଇ ସହ ଆଲୋଚନା କରିଛନ୍ତି। ଟଙ୍କା ରଖିବା ନିଷ୍ପତ୍ତି ମନ୍ଦିର ପରିଚାଳନା କମିଟିର ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।