ମଧ୍ୟପ୍ରଦେଶ ସରକାରରେ ରାଜନୈତିକ ସଂକଟ : ୨୦ମନ୍ତ୍ରୀଙ୍କ ସାମୁହିକ ଇସ୍ତଫା
ଭୋପାଳ: ମଧ୍ୟପ୍ରଦେଶ ସରକାରରେ ରାଜନୈତିକ ସଂକଟ ଦେଖାଯାଇଛି । କଂଗ୍ରେସର ବରିଷ୍ଠ ନେତା ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଛନ୍ତି, ତାଙ୍କ ଦଳର ନେତା ଜ୍ୟୋତିରାଦିତ୍ୟଙ୍କୁ ସ୍ୱାଇନ ଫ୍ଲୁ ହୋଇଯାଇଛି । ଏହାରି ମଧ୍ୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ସେ ଭାରତୀୟ ଜନତା ପାର୍ଟି ସହିତ ସଂପର୍କ କରୁଛନ୍ତି ଏବଂ ପାର୍ଟି ସାମଲି ହୋଇପାରନ୍ତି । ମଧ୍ୟପ୍ରଦେଶ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଏବେ ସ୍ଥାନୀୟ ରାଜନୀତିକୁ ଉଷ୍ମ କରିଛି। ଗତକାଲି ୧୭ କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ମେଳି କରିବା ପରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାତି ଅଧିଆ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।
କମଲ ନାଥ ଇଶାରା ଦେଇଛନ୍ତି, ସେ କ୍ୟାବିନେଟ୍ରେ ପରିବର୍ତ୍ତନ ଆଣି ବିଦ୍ରୋହର ସମାଧାନ କରିବେ। ଏହି କ୍ୟାବିନେଟ୍ ବୈଠକ ପୂର୍ବରୁ କମଲ ନାଥ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏଥି ସହ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଥମେ ଏହି ଆଲୋଚନା ରାଜ୍ୟସଭା ଆସନ ସମ୍ପର୍କିତ ବୋଲି ସେ କହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ କହିବା ପାଇଁ କିଛି ବି ବାକି ନଥିଲା।
ବିଜେପି ମଧ୍ୟ ପରିସ୍ଥିତିର ଲାଭ ଉଠାଇବାକୁ ଚେଷ୍ଟା କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବାସଭବନଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସ୍ଥିତି ବାବଦରେ ଅବଗତ କରିଛନ୍ତି। ବିଜେପି ବିଧାୟକମାନଙ୍କୁ ଭୋପାଲ ଡାକି ଶକ୍ତି ପ୍ରଦର୍ଶନ କରିବାର ଅଛି। ଏହାପରେ ଶିବରାଜଙ୍କୁ ବିଧାୟକ ଦଳର ନେତା ବଛାଯିବାର ଅଛି। କଂଗ୍ରେସ ସରକାରରେ କିଛି ଏପଟ ସେପଟ ହୁଏ ବିଜେପି ସରକାର ଗଠନ ଦାବି କରିବ ବୋଲି ଜଣାପଡ଼ିଛି।
ଜ୍ୟୋତିରାଦିତ୍ୟ ସିନ୍ଧିଆ ସୋମବାର ନିଜର ଦିଲ୍ଲୀ ନିବାସରେ ଦେଖିବାକୁ ମିଳିଥିଲେ । କଂଗ୍ରେସର ବରିଷ୍ଠ ନେତା ଶ୍ରୀ ସିଂହ କହିଛନ୍ତି, ଯେଉଁଲୋକମାନେ ପ୍ରକୃତ କଂଗ୍ରେସ ନେତା, ସେମାନେ ପାର୍ଟିରେ ରହିବେ । ଜନାଦେଶକୁ ଖାରଜ କରୁଥିବା ଲୋକଙ୍କୁ ଜବାବ ଦିଆଯିବ । ସୂତ୍ର ଅନୁସାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ସମୂହ ଗଢ଼ିଛନ୍ତି, ଯେଉଁଥିରେ ୧୧ ଜଣ ନେତା ଅଛନ୍ତି । ଏଥିରେ ସାଂସଦ ଏବଂ ବିଧାୟକ ମଧ୍ୟ ସାମିଲ ରହିଛନ୍ତି ଏବଂ ସେମାନଙ୍କର ମୋବାଇଲ ଫୋନ ସୁଇଚ ଅଫ ଅଛି । ମଧ୍ୟ ପ୍ରଦେଶର ୨୦ ଜଣ କ୍ୟାବିନେଟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ତେଣୁ ଏବେ ପୁଣି ଥରେ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ । ଏହା ପୂର୍ବରୁ କଂଗ୍ରେସ ନେତାମାନେ ଘୋଡ଼ାବେପାର ଅଭିଯୋଗ ଆଣିଥିଲେ । କଂଗ୍ରେସ ନେତାମାନେ କହିଥିଲେ, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ବିରୋଧରେ ଷଡ଼ଯନ୍ତ୍ର ହେଉଛି ।