କଂଗ୍ରେସକୁ ଚକମା ଦେଇ ମୋଦୀଙ୍କ ସହ ହାତ ମିଶାଇଲେ ସିନ୍ଧିଆ
ହୋଲି ଅବସରରେ ଜାତୀୟ ରାଜନୀତିରେ ଦେଖିବାକୁ ମିଳିଛି ନୂଆ ରଙ୍ଗ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କୁ ଚକ୍ମା ଦେଇ କଂଗ୍ରେସକୁ କ୍ଷମତାସୀନ କରାଇଥିବା ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଶାହା ମଧ୍ୟ ଅଛନ୍ତି। ତେଣୁ ସିନ୍ଧିଆ ଏବେ ଗେରୁଆ ରଙ୍ଗରେ ରଙ୍ଗେଇ ହେବାର ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଛି। ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଥିଲା ଯେ , କମଲ ନାଥଙ୍କ ସରକାର ଭାଙ୍ଗିବା ନିଶ୍ଚିତ। ଏହି ସରକାର ଭାଙ୍ଗିଲେ ବିଜେପି ସରକାର ଗଠନ ଦାବି କରିବ। ଜଣେ ସିନ୍ଧିଆଙ୍କ ସମର୍ଥକ କହିଥିଲେ, ତାଙ୍କୁ ଅଣଦେଖା କରାଯାଉ ଥିବାରୁ ଲୋକଙ୍କ ସହ ଲଢ଼ୁଛନ୍ତି ସିନ୍ଧିଆ। ଦଳର ବରିଷ୍ଠ ନେତାଙ୍କ ଦ୍ୱାରା ସେ ଅବହେଳାର ଶିକାର ହୋଛନ୍ତି। ତେଣୁ ବେଙ୍ଗାଲୁରୁରେ ୧୬ ନୁହେଁ, ୨୦ ଜଣ ବିଧାୟକ ସିନ୍ଧିଆଙ୍କ ସମର୍ଥନରେ ଏକାଠି ହୋଇଛନ୍ତି। କୁହାଯାଉଛି ବିଜେପିରେ ସାମିଲ ହେଲେ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଯିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିବ। ଯଦି ଏଥିରେ ସେ ସହମତି ପ୍ରକାଶ କରନ୍ତି, ଭାରତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଚର୍ଚା ଆରମ୍ଭ ହୋଇଯାଇଛି ।ସେପଟେ ସିନ୍ଧିଆଙ୍କୁ ବୁଝାଇବାର ସମସ୍ତ ପ୍ରୟାସ ଆରମ୍ଭ କରିଛି କଂଗ୍ରେସ । ମଧ୍ୟପ୍ରଦେଶ ସରକାର ଏବଂ ସେଠାକାର କଂଗ୍ରେସ ସଂଗଠନକୁ ବଞ୍ଚାଇବାର ଏହା ଏକମାତ୍ର ଉପାୟ ହୋଇଥିବାରୁ ଦଳ ସବୁ ପ୍ରକାର ଚେଷ୍ଟା ଚଳେଇଛି । ଅନ୍ୟପକ୍ଷରେ ସିନ୍ଧିଆଙ୍କ ସାଥୀ ସଚିନ୍ ପାଇଲଟ୍ ମଧ୍ୟ ସମସ୍ୟାର ସମାଧାନ ନେଇ ଆଶାବାଦୀ ଅଛନ୍ତି। ସେ କହିଛନ୍ତି, ଆଶା କରୁଛି ଏହାର ସମାଧାନ ହେବ ଏବଂ ମଧ୍ୟପ୍ରଦେଶ ରାଜନୀତିକ ସଙ୍କଟର ଅନ୍ତ ଘଟିବ।