କରୋନା ପାଇଁ ପ୍ରଭାବିତ ପୁରୁଣା ଭୁବନେଶ୍ବରର ପର୍ଯ୍ୟଟନସ୍ଥଳ
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ପର୍ଯ୍ୟଟନ ଶିଳ୍ପ ଉପରେ କରୋନା ପ୍ରଭାବ ଦେଖାଦେଇଛି। ଦିନକୁ ୫୦ରୁ ୬୦ ତୀର୍ଥଯାତ୍ରୀ ବସ୍ ଆସୁଥିବା ବେଳେ ଆଜି ମାତ୍ର ୧୦ଟି ବସ୍ ଏକାମ୍ର କ୍ଷେତ୍ରକୁ ଆସିଛି। ଶ୍ରୀଲିଙ୍ଗରାଜ ମନ୍ଦିର ସହ ଧଉଳି, ଖଣ୍ଡଗିରି, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର କିର୍ତ୍ତୀରାଜି ଦେଖିବାକୁ ପ୍ରତିଦିନ ଶହଶହ ବ୍ୟକ୍ତି ଆସନ୍ତି। କିନ୍ତୁ ଏବେ କରୋନା ଭୟ ଯୋଗୁଁ ତୀର୍ଥଯାତ୍ରୀ ଗାଡ଼ି ସଂଖ୍ୟା କମୁଛି। ପ୍ରତିବର୍ଷ ଏହି ଦିନରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ୨ଶହରୁ ୩ଶହ ତୀର୍ଥଯାତ୍ରୀ ବସ୍ ଆସୁଥିବା ବେଳେ ଗତକାଲି ପ୍ରାୟ ୫୦ଟି ଟୁରିଷ୍ଟ ବସ୍ ଆସିଥିଲା। ତେବେ ଆଜି ଏହି ସଂଖ୍ୟା ୧୦ରେ ସୀମିତ ରହିଛି। ଧଉଳି ଓ ଖଣ୍ଡଗିରିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଗତକାଲି ଧଉଳିକୁ ପ୍ରାୟ ୬୦ଟି ବସ୍ ଆସିଥିବା ବେଳେ ଆଜି ୧୨ଟି ଟୁରିଷ୍ଟ ବସ୍ ଆସିଛି। ଖଣ୍ଡଗିରିଠାରେ ଗତକାଲି ପ୍ରାୟ ୬୦ଟି ବସ୍ ଆସିଥିବା ବେଳେ ଆଜି ୧୨ଟି ଟୁରିଷ୍ଟ ବସ୍ ଆସିଛି। ସେହିପରି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବହୁ ପରିମାଣରେ କମିଛି। ୧୫ଦିନ ତଳେ ବିଦେଶୀ ପର୍ଯ୍ୟଟକମାନେ ପ୍ରତିଦିନ ୱାଚ୍ ଟାୱାରରୁ ଶ୍ରୀଲିଙ୍ଗରାଜ ମନ୍ଦିର ଦେଖିବାକୁ ଆସୁଥିବା ବେଳେ ଏବେ ସେମାନଙ୍କ ଦେଖା ମିଳୁନି। ଗତକାଲି ଆଦୌ ଆସି ନଥିବା ବେଳେ ଆଜି ମାତ୍ର ଦୁଇଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ସେହିପରି ରାଜାରାଣୀ ମନ୍ଦିରକୁ ଗତକାଲି କୌଣସି ବିଦେଶୀ ପର୍ଯ୍ୟଟକ ଆସି ନଥିବା ବେଳେ ଆଜି ଦୂରରୁ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଦେଖି ପଳାଇଛନ୍ତି। କରୋନା ପ୍ରଭାବ ଯୋଗୁଁ ବିଦେଶୀ ପର୍ଯ୍ୟଟକ କମିଛନ୍ତି ବୋଲି ରାଜାରାଣୀ ମନ୍ଦିରଠାରେ କାର୍ଯ୍ୟରତ କର୍ମଚାରୀ କହିଛନ୍ତି।