ଦୀର୍ଘ ୭ ବର୍ଷର ପ୍ରତୀକ୍ଷା ପରେ ନିର୍ଭୟା କୁ ମିଳିଲା ନ୍ୟାୟ : ଦୋଷୀ ପାଇଲେ ଫାଶୀ

An Independent Media


ନୂଆଦିଲ୍ଲୀ: ଆଜି ସମୟ ଥିଲା ଭୋର ସକଳ । ଆଉ ଏଭଳି ଏକ ସମୟରେ ୭ ବର୍ଷ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓ ପରେ ପ୍ରାଣ ହରାଇଥିବା ‘ନିର୍ଭୟା’ଙ୍କୁ ମିଳିଥିଲା ନ୍ୟାୟ। ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ଜୀବିତ ଥିଲେ ହୁଏତ ଏ ମୁହୂର୍ତ୍ତରେ ନିର୍ଭୟାଙ୍କ ଆତ୍ମାକୁ ଟିକେ ସନ୍ତୋଷ ମିଳିଥା’ନ୍ତା। ଫାଶୀ ପ୍ରକ୍ରିୟା ଭୋର ୪ଟା ରୁ ଆରମ୍ଭ ହୋଇଥିଲା । ପ୍ରଥମେ ସେମାନଙ୍କୁ ଫାଶୀ ଗୃହକୁ ନିଆଯାଇଥିଲା। ମାଜିଷ୍ଟ୍ରେଟ୍ ଓ ଜେଲ୍ ଅଧିକାରୀଙ୍କ ଉପସ୍ଥିତିରେ ସେମାନଙ୍କ ମୁହଁରେ କପଡ଼ା ଘୋଡ଼ାଇ ଦିଆଯାଇଥିଲା। ତା’ସହିତ ହାତ ଓ ଗୋଡ଼ ବାନ୍ଧି ଦିଆଯାଇଥିଲା। ଆଉ ଠିକ୍ ସାଢ଼େ ୫ଟାରେ ସେମାନଙ୍କୁ ଦିଆଯାଇଥିଲା ଫାଶୀ। ଜହ୍ଲାଦ ପବନ ସେମାନଙ୍କୁ ଫାଶୀ ଦେଇଥିଲେ। ଅକ୍ଷୟ, ପୱନ, ବିନୟ ଓ ମୁକେଶ ନିୟମ ଅନୁଯାୟୀ ଅଧା ଘଣ୍ଟା ଧରି ଫାଶୀ ଖୁଣ୍ଟରେ ଝୁଲି ରହିଥିଲେ। ତା’ପରେ ଡାକ୍ତର ସେମାନଙ୍କୁ ଯାଞ୍ଚ କରିଥିଲେ ଓ ମୃତ ଘୋଷଣା କରିଥିଲେ। ଏହା ସହିତ ୭ ବର୍ଷ ଧରି ଚାଲିଥିବା ‘ନିର୍ଭୟା’ ମାମଲାରେ ଯବନିକା ପଡ଼ିଥିଲା। ସୂଚନାଯୋଗ୍ୟ, ତିହାର ଜେଲ୍‌ରେ ଆଜି ପ୍ରଥମ ଥର ପାଇଁ ଚାରି ଜଣଙ୍କୁ ଏକ ସଙ୍ଗେ ଫାଶୀ ଦିଆଯାଇଥିଲା। ସୂଚନା ଅନୁଯାୟୀ, ଏହି ଚାରି ଦୋଷୀ ଗତକାଲି ରାତି ସାରା ଶୋଇ ନଥିଲେ। ତିହାରର ଜେଲ୍‌ ନମ୍ବର ୩ର ସେମାନଙ୍କୁ ପୃଥକ ପୃଥକ ଡେଥ୍ ସେଲ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା। ପ୍ରତ୍ୟେକଙ୍କୁ ୧୨ ଜଣ ଲେଖାଏ ସୁରକ୍ଷାକର୍ମୀ ଜଗି ରହିଥିଲେ। ଗତକାଲି ରାତିରେ ମୁକେଶ ଓ ବିନୟ ଖାଦ୍ୟ ଗ୍ରହଣ କରିଥିଲେ। କିନ୍ତୁ ପୱନ ଓ ଅକ୍ଷୟ ଖାଇ ନଥିଲେ। ମୁକେଶକୁ ତା’ ପରିବାର ଲୋକେ ଶେଷ ଥର ପାଇଁ ସାକ୍ଷାତ କରିଥିଲେ। ଆଜି ସକାଳେ ସମସ୍ତଙ୍କୁ ଚା’ ଓ ଜଳଖିଆ ଦିଆଯାଇଥିଲା। କିନ୍ତୁ କେହି ଗ୍ରହଣ କରି ନଥିଲେ। ୪ ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ପରେ ‘ନିର୍ଭୟା’ଙ୍କ ମା’ ଆଶା ଦେବୀ କହିଛନ୍ତି ଯେ ଡେରିରେ ହେଲେ ବି ତାଙ୍କ ଝିଅକୁ ନ୍ୟାୟ ମିଳିଲା। ଏଥିପାଇଁ ସେ ସୁପ୍ରିମ୍‌କୋର୍ଟଙ୍କୁ ପ୍ରଶଂସା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାର ଓ ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି। କିନ୍ତୁ ନ୍ୟାୟିକ ବ୍ୟବସ୍ଥାରେ କିଛି ଛିଦ୍ର ଥିବା ଏହି ମାମଲାରୁ ଜଣାପଡ଼ିଛି ବୋଲି କହିଛନ୍ତି।

error: Thank You Keep Visiting