କରୋନା ସଂକ୍ରମଣ ଭୟରେ ଜନଗଣନା କାର୍ଯ୍ୟ ବିଳମ୍ବ ହେବ
ଭୁବନେଶ୍ବର: ଜନଗଣନାର ପ୍ରାଥମିକ ତାଲିକା ପ୍ରସ୍ତୁତ ପାଇଁ ଯେଉଁ ଅବଧି ସ୍ଥିର କରାଯାଇଛି, ସେଥିରେ ପୁନର୍ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ।ଏପ୍ରିଲ ୧ ରୁ ୩୦ ସେପ୍ଟେମ୍ବର ମଧ୍ୟରେ ଜନଗଣନାର ପ୍ରାଥମିକ କାର୍ଯ୍ୟ ସାରିବାକୁ କେନ୍ଦ୍ର ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କରୋନା ଭାଇରସର ମୁକାବିଲା ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିବାରୁ ଏଥିରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସାରିବାକୁ ସାରା ଦେଶରେ ୩୦ ଲକ୍ଷ କର୍ମଚାରୀଙ୍କର ଆବଶ୍ୟକତା ରହିଛି। ଏମାନଙ୍କର ଟ୍ରେନିଂ ଠାରୁ ଆରମ୍ଭ କରି ଫିଲଡ଼ ଭିଜିଟ ଜରିଆରେ ତଥ୍ୟ ସଂଗ୍ରହ ଉପରେ କରୋନା ଭାଇରସ ବିପଦ ରହିଛି। ରାଜ୍ୟ ସରକାରଙ୍କ କର୍ମଚାରୀମାନେ ଏବେ କରୋନା ସଂକ୍ରମଣକୁ ଆଖିରେ ସେହି କାମରେ ଲାଗି ପଡ଼ିଛନ୍ତି। ତେଣୁ ପୂର୍ବ ନିଷ୍ପତ୍ତିର ପୁନର୍ବିଚାର କରିବାକୁ କେନ୍ଦ୍ରକୁ ଏହି ଚିଠି ଲେଖାଯାଇଛି ବୋଲି ସିଏମଓ ପକ୍ଷରୁ କୁହାଯାଇଛି ।