ଆଜି ଭଗବାନ ଏକା : ନାହାନ୍ତି ଭକ୍ତ
ପୁରୀ : ଏକା ଏକା ରତ୍ନସିଂହାନରେ ବସିଛନ୍ତି ମହାପ୍ରଭୁ। ନୀତିକାନ୍ତି ଚାଲିଛି, ସେବକମାନେ ସେବାପୂଜା କରୁଛନ୍ତି। ହେଲେ ଶ୍ରଦ୍ଧାଳୁଙ୍କ ବିନା ଖାଁ ଖାଁ ଶ୍ରୀମନ୍ଦିର। ଆନନ୍ଦ ବଜାର ବି ଶୂନଶାନ। ନାହିଁ ଭକ୍ତଙ୍କ ଗହଳି ଚହଳି। ଭଗବାନଙ୍କ ଠାରୁ ଭକ୍ତଙ୍କୁ ଦୂରେଇ ଦେଇଛି ମହାମାରୀ କରୋନା। ପ୍ରାଣଘାତି କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଜିଲା ପ୍ରଶାସନ ନେଇଛି ଏମିତି ଏକ କଠୋର ନିଷ୍ପତ୍ତି । ଏହାକୁ ମାନି ନେଇଛନ୍ତି ଭକ୍ତ। ଯାଉନାହାନ୍ତି ମନ୍ଦିର। ଆଉ ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ଉପରେ ରହିଥିବା ଏହି କଟକଣାର ପ୍ରଭାବ ମହାପ୍ରଭୁଙ୍କଠାରେ ଦେଖିବାକୁ ମିଳୁଛି। ଏବେ ଫୁଲ ଏବଂ ତୁଳସୀର ଅଭାବ ପରିଲକ୍ଷିତ ହୋଇଛି ।ଭକ୍ତ ତ ନାହାନ୍ତି ଭଗବାନଙ୍କୁ ତାଙ୍କ ମନପସନ୍ଦର ଜିନିଷ ଯୋଗାଇବା କିଏ ? ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ଫୁଲ, ତୁଳସୀ ଦେଇଥାନ୍ତି। ଫଳରେ ଠାକୁରଙ୍କ ବେଶରେ ଏହା ଲାଗିଥାଏ। ପର୍ଯ୍ୟାପ୍ତ ପରିମାଣରେ ଫୁଲ, ତୁଳସୀରେ ଛାଇ ଯାଉଥିଲା ମହାପ୍ରଭୁଙ୍କ ମୁଖ। କିନ୍ତୁ ଏବେ ଏସବୁ ନିଅଣ୍ଟ ପଡୁଥିବାର ଦେଖା ଯାଉଛି।