କରୋନା ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢୁଛି
ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ସମଗ୍ର ରାଜ୍ୟକୁ ମଙ୍ଗଳବାର ମଧ୍ୟରାତ୍ରରୁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହି ମହାମାରୀର କୌଣସି ପ୍ରତିକାର ନ ଥିବାରୁ ଲୋକମାନେ ନିଜର ତଥା ପରିବାର ବର୍ଗଙ୍କ ଜୀବନ ବଞ୍ଚାଇବା ପାଇଁ ପଦାକୁ ନ ବାହାରିବା ସକାଶେ ରାଜ୍ୟ ସରକାର ବାରମ୍ବାର ନିବେଦନ କରୁଛନ୍ତି। ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ତେଜରାତି, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା, ଚିକେନ୍, ଔଷଧ ଆଦି ଦୋକାନ ଖୋଲା ରହିଛି। କାଁ ଭାଁ ତେଜରାତି ଦୋକାନ ଖୋଲା ରହିଥିବା ବେଳେ ଏ ସବୁ ଦୋକାନରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଲକ୍ଡାଉନ୍ର ସୁଯୋଗ ନେଇ ଗ୍ରୋସରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୋକାନଗୁଡିକ ଚଢ଼ା ଦରରେ ବିକ୍ରି କରିବା ଆରମ୍ଭ କରିଛନ୍ତି।