ଆମେରିକା କୌଶଳରେ ଚାଲିଛି ଭାରତରେ କରୋନା ମୁକାବଲା
ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି। ଭାରତ, ଆମେରିକା ଠାରୁ ଆରମ୍ଭ କରି ଆଫ୍ରିକା ଆଦି ୧୯୭ଟି ଦେଶ ଏହି ଭାଇରସର ଶିକାର ହୋଇଛନ୍ତି। ହେଲେ ଏହି ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛି। ଯାହାକି ଆମେରିକାନ୍ କୌଶଳ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।ଯଦିଓ ଭାରତ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଉଛି ହେଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫୦ ପାର୍ ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ୧୧ ଛୁଇଁଛି। ଯଦି ଏହି ହାରରେ ବଢ଼ିବ ତାହେଲେ ମେ ମାସ ଅଧା ବେଳକୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ଛୁଇଁବ ବୋଲି ବୈଜ୍ଞାନିକମାନେ କହିଛନ୍ତି।କୋଭ-ଆଇଏନଡି-୧୯ ଷ୍ଟଡି ଗ୍ରୁପ ବିଭିନ୍ନ ଦେଶର ଆକ୍ରାନ୍ତଙ୍କ ସଂଖ୍ୟା, ସମୟ ଆଦିର ତଥ୍ୟକୁ ସଂଗ୍ରହ କରି ଏଭଳି ଆକଳନ କରିଛି। ଏବେ କରୋନା ଦେଶରେ ଦ୍ୱିତୀୟ କିମ୍ବା ତୃତୀୟ ପର୍ଯ୍ୟାୟରେ ରହିଛି। ଅନ୍ୟ ଦେଶରେ ତୃତୀୟ ଷ୍ଟେଜରେ କରୋନା ଯେଉଁଭଳି ଭୟଙ୍କର ହୋଇଛି ସେଭଳି ହେଲେ ଦେଶର ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।