ଲକ୍-ଡାଉନ୍ କ’ଣ? ପୋଲିସର ଉତ୍ତର..
ଭୁବନେଶ୍ବର : ଲକ୍-ଡାଉନ୍ କ’ଣ? ଏହି ସମୟରେ ସାଧାରଣ ଲୋକଙ୍କୁ କ’ଣ କରିବାକୁ ପଡ଼ିବ? କେଉଁମାନେ ବାହାରକୁ ଯାଇ ପାରିବେ ଓ କେଉଁମାନେ ଯାଇ ପାରିବେ ନାହିଁ? କେଉଁ ପ୍ରତିଷ୍ଠାନ ବନ୍ଦ ରହିବ? କାର୍ଯ୍ୟାନୁଷ୍ଠାନ କ’ଣ ରହିବ? ଏଭଳି ଏକାଧିକ ପ୍ରଶ୍ନ ରାଜ୍ୟର ସବୁ ପୁଲିସ ଅଧିକାରୀ ଓ ଥାନାକୁ ଲକ୍ଷ ଲକ୍ଷ ଲୋକ ବାରମ୍ବାର ପଚାରିଥିଲେ। ପୁଲିସ ଡିଜି, ଓଡ଼ିଶା ପୁଲିସ, ପୁଲିସ କମିସନରଙ୍କ ସମେତ ବିଭିନ୍ନ ଜିଲ୍ଲା ପୁଲିସ ଟ୍ବିଟର୍, ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିଥିଲେ ସାଧାରଣ ଜନତା। ଓଡ଼ିଶା ପୁଲିସ ପକ୍ଷରୁ ଟ୍ବିଟର୍ରେ ବିସ୍ତୃତ ଭାବେ ଏହାର ଗୋଟି ଗୋଟି କରି ସବୁ ଉତ୍ତର ଦିଆଯାଇଛି।
ଜରୁରୀକାଳୀନ ସେବା ମେଡିକାଲ, କ୍ଲିନିକ୍ରେ କାର୍ଯ୍ୟରତ ଡାକ୍ତର, ଷ୍ଟାଫ୍, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଅଗ୍ନିଶମ, ଓଡ୍ରାଫ୍, ପୁଲିସ, ଜେଲ ବିଭାଗ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ଗଣମାଧ୍ୟମ କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟୀ ଯାଇ ପାରିବେ। ବିନା କାମରେ ଯିବାର କୌଣସି ଆବଶ୍ୟକତା ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ପରିବାରର ଜଣେ ସଦସ୍ୟ ଚାଲି ଚାଲି ଯାଇ ପାଖ ମାର୍କେଟ୍ରୁ ଆଣି ପାରିବେ।