ଯନ୍ତ୍ରଣା ଉପଶମକାରୀ ଟାବ୍ଲେଟ୍ ସାରିଡନ୍ ଆଉ ବଜାରରେ ମିଳିବନି

An Independent Media

ନୂଆଦିଲ୍ଲୀ: ଯନ୍ତ୍ରଣା ଉପଶମକାରୀ ଟାବ୍ଲେଟ୍ ସାରିଡନ୍ ଆଉ ବଜାରରେ ମିଳିବନି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଔଷଧକୁ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରିଛନ୍ତି । ଏଥି ସହିତ ଆହୁରି ୬ଟି ଔଷଧ ସମେତ ୩୨୮ଟି ଔଷଧର ମିଶ୍ରଣ ଉପାଦାନର ଉତ୍ପାଦନ, ବିତରଣ ଓ ବିକ୍ରି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି । ୧.୩ ଲକ୍ଷ କୋଟି ଟଙ୍କାର ଭାରତୀୟ ଔଷଧ ବଜାରରେ ସେହି ସବୁ ଔଷଧର ଅବଦାନ ଏକ ଚତୁର୍ଥାଂଶ ଥିବାରୁ କେତେକ ବ୍ରାଣ୍ଡେଡ୍ ଔଷଧ କମ୍ପାନୀ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି । ବେଆଇନ୍ ଘୋଷିତ ଅନ୍ୟ ଔଷଧଗୁଡ଼ିକ ହେଲା ସ୍କିନ୍ କ୍ରିମ୍ ପାନଡର୍ମ, ମଧୁମେହ ଉପଶମକାରୀ ଔଷଧ ଗ୍ଲୁକୋନର୍ମ ପିଜି, ଆଣ୍ଟିବାଓଟିକ୍ସ ଲୁପିଡିକ୍ଲୋକ୍ସ, ଆଣ୍ଟିବ୍ୟାକ୍ଟ୍ରେରିଆଲ୍ ଟାକ୍ସିମ୍ ଏ ଜେଡ୍ ।
୨୦୧୬ ମାର୍ଚ୍ଚ ୧୦ ତାରିଖରେ ଏହି ସବୁ ଔଷଧକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷେଧାଦେଶ ଘୋଷଣା କରିଥିଲେ । ଏହାପରେ ବିଭିନ୍ନ ଔଷଧ ନିର୍ମାତା ବିଭିନ୍ନ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଫେରାଦ ହୋଇଥିଲେ । ପ୍ରସଙ୍ଗର ଗୁରୁତ୍ୱ ଦୃଷ୍ଟିରୁ ସୁପ୍ରିମକୋର୍ଟ ଡ୍ରଗ୍ସ ଟେକ୍ନିକାଲ୍ ଆଡଭାଇଜରି ବୋର୍ଡ ଗଠନ ପାଇଁ ନିର୍ଦେଶ ଦେବା ସହିତ ବୋର୍ଡର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି କହିଥିଲେ । ପୁଙ୍ଖାନୁପୁଙ୍ଖ ପରୀକ୍ଷା ପରେ ବୋର୍ଡ ଉପରୋକ୍ତ ଔଷଧ ରୋଗୀଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ସୁପାରିସ କରିଥିଲେ । ଅପରପକ୍ଷରେ ନିଷେଧ ତାଲିକାରେ ଥିବା ୧୫ଟି ଥଣ୍ଡା, କାଶ ଓ ଯନ୍ତ୍ରଣା ଉପଶମକାରୀ ଔଷଧକୁ ସୁପ୍ରିମକୋର୍ଟ ବାଦ୍ ଦେବାକୁ କହିଥିଲେ ।

error: Thank You Keep Visiting