ନାଲକୋରେ ସତର୍କତା ସଚେତନତା ସପ୍ତାହ ପାଳିତ
ଭୁବନେଶ୍ୱର: ନବରତ୍ନ କମ୍ପାନୀ ନାଲକୋର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ତଥା ଏହାର ଅନ୍ୟାନ୍ୟ ୟୁନିଟ୍ ମାନଙ୍କରେ ସତର୍କତା ସଚେତନତା ସପ୍ତାହ ପାଳନ କରାଯାଇଛି । ଏ ବର୍ଷର ବିଷୟ ବସ୍ତୁ ଥିଲା “ଦୁର୍ନୀତି ଦୂରକର, ନୂଆ ଭାରତ ଗଢ଼” । ସପ୍ତାହବ୍ୟାପି ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ କର୍ମଚାରୀ ମାନଙ୍କୁ ସାଧୁତା ଶପଥ କରାଇବା ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୦୦ ଟି ସ୍କୁଲ ଓ କଲେଜର ୪୦୦ ରୁ ଉଦ୍ଧ୍ୱର୍ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ନାଲକୋର ନିଗମ କାର୍ଯ୍ୟାଳୟଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ ବିଭାଗ) ଶ୍ରୀ ଅସିତ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଉତ୍ସବରେ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡଃ. ତପନ କୁମାର ଚାନ୍ଦ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସତର୍କତା ସଚେତନତା ସପ୍ତାହ ପାଳନର ଗୁରୁତ୍ୱ ପ୍ରତିପାଦନ କରି ସେ କହିଥିଲେ ଯେ ଦକ୍ଷ ସତର୍କତା ବ୍ୟବସ୍ଥା ସୁଶାସନ ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏହି ସତର୍କତା ବ୍ୟବସ୍ଥାକୁ ଦୃଢ଼ କରିବାକୁ ହେଲେ ସାଙ୍ଗଠନିକ ସଂସ୍କୃତି ଏବଂ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବାକୁ ପଡିବ ବୋଲି ସେ କହିଥିଲେ । ଡଃ. ଚାନ୍ଦ ନାଲ୍କେରେ ନିଆ ଯାଇଥିବା ବିଭିନ୍ନ ପ୍ରକାରର ସତର୍କତା ସମ୍ବନ୍ଧୀୟ କାର୍ଯ୍ୟ ପ୍ରଣାଳୀ ଓ ତାର ସୁବିନିଯୋଗ ଉପରେ ମଧ୍ୟ ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ କମ୍ପାନୀର ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ସାମଲ, ଆଇ.ଏ.ଏସ୍, ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ପ୍ରବନ୍ଧକ (ସତର୍କତା) ଶ୍ରୀ ଏ.କେ. ମୂର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ସଂପ୍ରତି ଚାଲିଥିବା ବିଭିନ୍ନ ପ୍ରକାର ଆଉଟରିଚ୍ କାର୍ଯ୍ୟକ୍ରମରେ ନାଲକୋ ନିଜକୁ ସାମିଲ କରି ଅନ୍ଲାଇନ୍ ଏବଂ ପ୍ରତ୍ୟକ୍ଷ ଭାବରେ ଭୁବନେଶ୍ୱର, କଟକ, ଅନୁଗୁଳ, ଦାମନଯୋଡ଼ି ଆଦି ବିଭିନ୍ନ ସ୍ଥାନ ମାନଙ୍କରେ ଥିବା ସ୍କୁଲ ଏବଂ କଲେଜ ଗୁଡିକରେ ସାଧୁତା ଶପଥ କରାଇବା ସହ ସମାଜରୁ ଦୂର୍ନୀତି ନିବାରଣ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ମଧ୍ୟ ପ୍ରତିବଦ୍ଧ ।