ସିଆଇଆଇ କଲେଜିୟମରେ ଟାଟା ଷ୍ଟିଲ ସାମିଲ

Straight to the Point

ନୂଆଦିଲ୍ଲୀ: ଦେଶରେ ଷ୍ଟାର୍ଟଅପ୍ ପରିବେଶ ପ୍ରତି ସହାୟତା ଯେଗାଣ ଉଦ୍ଦେଶ୍ୟରେ ସିଆଇଆଇ ନେତୃତ୍ୱରେ ଗଠିତ କଲେଜିୟମରେ ଟାଟା ଷ୍ଟିଲ ସାମିଲ ହୋଇଛି । ଭବିଷ୍ୟତ ବ୍ୟବସାୟ ଦିଗରେ ଏହି କଲେଜିୟମ ସହାୟତା ପ୍ରଦାନ କରିବ । ଷ୍ଟାର୍ଟଅପ୍ଗୁଡ଼ିକୁ କର୍ପୋରେଟ ସଂସ୍ଥା ସହ ସଂଯୋଗୀକରଣ କରିବା ପାଇଁ ସିଆଇଆଇର ଉଦ୍ୟମ ପ୍ରତି ଦେଶର ଯେଉଁ ପ୍ରମୁଖ ୧୦ଟି କର୍ପୋରେଟ ସଂସ୍ଥା ସହଯୋଗ ପ୍ରଦାନ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଣୀ ଷ୍ଟିଲ କଂପାନୀ ଭାବେ ଟାଟା ସାମିଲ ହୋଇଛି । ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଷ୍ଟାର୍ଟଅପ୍ରେନ୍ୟୁର ପୁରସ୍କାର ୨୦୧୮ରେ ଟାଟା ଷ୍ଟିଲ ଯୋଗଦେଇ ଅଗ୍ରଣୀ ଷ୍ଟାର୍ଟଅପ୍ଗୁଡ଼ିକୁ ପୁରସ୍କାର ପ୍ରଦାନ କରିଥିଲେ । ୨୦୧୮ରେ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ଷ୍ଟାର୍ଟଅପ୍ ଭାବେ ଇନୋକୁଲ ମେଟରିଆଲ ଏଣ୍ଡ ଆଡ଼ିଟିଭ ପ୍ରାଇଭେଟ ଲିମିଟେଡ଼କୁ ଟାଟା ଷ୍ଟିଲ ପୁରସ୍କାର ପ୍ରଦାନ କରିଥିଲା । ଧାତବ ଶିଳ୍ପ ସଂସ୍ଥାଗୁଡ଼ିକ ଯେଉଁ ସମସ୍ୟାର ସମ୍ମୁଖୀନ ହେଊଛନ୍ତି ତାହାର ସମାଧାନ ନୂତନ କିସମ ରସାୟନ ପ୍ରସ୍ତୁତି କ୍ଷେତ୍ରରେ ଇନୋକୁଲ ଏକ ଗବେଷଣାତ୍ମକ ଷ୍ଟାର୍ଟଅପ୍ ।

ପୁରସ୍କାର ପାଇଁ ଆବେଦନପତ୍ର ଯାଞ୍ଚ ପ୍ରକ୍ରିୟାରେ ଟାଟା ଷ୍ଟିଲର କର୍ପୋରେଟ ଷ୍ଟ୍ରାଟେଜି ଏଣ୍ଡ ପ୍ଲାନିଂ ମୁଖ୍ୟ ଦେବାଶିଷ ଚୌଧୁରୀ ସାମିଲ ହୋଇଥିବାବେଳେ ବିଚାରକମଣ୍ଡଳୀରେ ମୁଖ୍ୟ ସୂଚନା ଅଧିକାରୀ ଜୟନ୍ତ ବାନାର୍ଜୀ ସାମିଲ ହୋଇଥିଲେ । ନିଜର ଦୀର୍ଘ ଇତିହାସରେ ଟାଟା ଷ୍ଟିଲ ନିରନ୍ତର ବିକାଶ ଓ ନୂତନତ୍ୱ ପ୍ରତି ଗୁରୁତ୍ୱ ଦେଇଥାଏ । ସଂପ୍ରତି ଦ୍ରୁତ ପରିବର୍ତ୍ତନ ଓ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶରେ ତିଷ୍ଠି ରହିବା ପାଇଁ ନୂତନତ୍ୱରେ ସହଯୋଗିତାର ଆବଶ୍ୟକତା ରହିଛି । ଏଥିପାଇଁ ସଂସ୍ଥା ବାହାରେ ଥିବା ଯୁବ ମେଧାବୀଙ୍କୁ ସାମିଲ କରାଯିବାର ଆବଶ୍ୟକତା ରହିଛି । ତେଣୁ ଷ୍ଟାର୍ଟଅପ୍ଗୁଡ଼ିକ ସହ ସହଭାଗିତା ସମସ୍ୟା ସମାଧାନ କରିବାରେ ସହାୟକ ହୋଇପାରିବ । ବିଶ୍ୱବ୍ୟାପୀ ଷ୍ଟାର୍ଟଅପ୍ଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତାସଂପନ୍ନ ଓ ସର୍ଜନାଶୀଳ ହେଉଥିବା ଦେଖାଯାଉଛି । ଏମାନେ ବର୍ତ୍ତମାନର ବ୍ୟବସାୟ ପ୍ରତି ମଧ୍ୟ ଆହ୍ୱାନ ସୃଷ୍ଟି କରୁଛନ୍ତି । ପ୍ରଯୁକ୍ତିଚାଳିତ ଶିଳ୍ପ ପରିବେଶରେ ବୃହତ ଶିଳ୍ପ ପାଇଁ ଷ୍ଟାର୍ଟଅପ୍ର ସହାୟତା ଏବେ ଅପରିହାର୍ଯ୍ୟ ହୋଇପଡ଼ିଛି ।

ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ କହିଛନ୍ତି ଯେ, ଏବେ ବ୍ୟବସାୟିକ ପରିବେଶ ଦ୍ରୁତ ଗତିରେ ବଦଳୁଛି । ତେଣୁ ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗୀ ମାନସିକତାକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ଏବଂ ନୂଆ ପ୍ରଯୁକ୍ତିଯୁକ୍ତ ବ୍ୟବସାୟ ଓ ଷ୍ଟାର୍ଟଅପ୍କୁ ଉତ୍ସାହିତ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏହାଦ୍ୱାରା ଦେଶରେ ସମ୍ବଳ ସୃଷ୍ଟି ହେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ । ଷ୍ଟାର୍ଟଅପ୍ ପ୍ରତି ବିଭିନ୍ନ ସ୍ତରରୁ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

One thought on “ସିଆଇଆଇ କଲେଜିୟମରେ ଟାଟା ଷ୍ଟିଲ ସାମିଲ

Comments are closed.

error: Thank You Keep Visiting