ଜେ ଏନ୍ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ, ଯୋଡ଼ାର ପ୍ରଥମ ବ୍ୟାଚକୁ ୧୦୦% ନିଯୁକ୍ତି ପ୍ରଦାନ

Straight to the Point

ଭୁବନେଶ୍ୱର,(ଓଡ଼ିଶା ଜର୍ଣ୍ଣାଲ): ଯୋଡ଼ା ଠାରେ ସ୍ଥାପନ କରାଯାଇଥିବା ଜେ ଏନ୍ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଟାନ (ଜେଏନ୍ଟିଭିଟିଆଇ)ର ପ୍ରଥମ ବ୍ୟାଚ୍କୁ ୧୦୦% ନିଯୁକ୍ତି ମିଳିଛି । ପ୍ରଥମ ବ୍ୟାଚ୍ରେ ୨୫ ଜଣ ସାଇଟ୍ ସେଫ୍ଟି ସୁପରଭାଇଜର୍ଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସମସ୍ତଙ୍କୁ ବିଭିନ୍ନ କଂପାନିରେ ନିଯୁକ୍ତି ମିଳିଛି । ନିଯୁକ୍ତି ପାଇଥିବା ୫୦% ଛାତ୍ରଛାତ୍ରୀ ହେଉଛନ୍ତି ଯୋଡ଼ା ଅଂଚଳର । ବର୍ତମାନ ଆଉ ୨୫ ଜଣ ଛାତ୍ରଛାତ୍ରୀଙ୍କ ଛଅ ମାସିଆ ତାଲିମ ଏହି ପ୍ରତିଷ୍ଠାନରେ ଚାଲିଛି । ପ୍ରାରମ୍ଭିକ ପ୍ରଦର୍ଶନ ବେଶ ଉତ୍ସାହଜନକ ରହିଥିବାରୁ ଅଧିକରୁ ଅଧିକ ବିଦ୍ୟାର୍ଥୀ ଏହି ପ୍ରଶିକ୍ଷଣ ଗ୍ରହଣ କରି ଉଜ୍ୱଳ ଭବିଷ୍ୟତ ସୁରକ୍ଷିତ କରିବେ ବୋଲି ଆଶା କରାଯାଉଛି ।

ଓଡ଼ିଶା ଓ ଝାଡ଼ଖଣ୍ଡର ପିଲାମାନଙ୍କୁ ଜେଏନ୍ଟିଭିଟିଆଇରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଠାରେ ସାଇଟ୍ ସେଫ୍ଟି ସୁପରଭାଇଜର୍, ଇଓଟି କ୍ରେନ୍ ଅପରେଟର-ତଥା-ରିଗର୍, ମେକାନିକାଲ ଫିଟର-ତଥା-ରିଗର୍, ଇଲେକ୍ଟ୍ରିସିଆନ୍, ୱେଲଡର୍-ତଥା-ଗ୍ୟାସ୍ କଟର ଓ ମେକାନିକାଲ ସୁପରଭାଇଜର୍ ତାଲିମ ଜେଏନ୍ଟିଭିଟିଆଇରେ ପ୍ରଦାନ କରାଯାଉଛି ।

ଜେଏନ୍ଟିଭିିଟିଆଇରେ ଯୋଡ଼ା, ନୂଆମୁଣ୍ଡି, ଚମ୍ପୁଆ ଏବଂ ଆଖପାଖ ଅଂଚଳର ପିଲାମାନେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ସେମାନେ ତାଲିମ ଶେଷ କରିବା ପରେ ଟାଟା ଷ୍ଟିଲ୍, ଟାଟା ସ୍ପଞ୍ଜ, ଟାଟା ଷ୍ଟିଲ ଭୂଷଣ, ଯୋଡ଼ା, ନୂଆମୁଣ୍ଡି, ୱେଷ୍ଟ ବୋକାରୋ ଏବଂ ଝରିଆ ଠାରେ ଥିବା ଟାଟା ଗ୍ରୁପର ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଉନ୍ତି । ସର୍ବନିମ୍ନ ବାର୍ଷିକ ବେତନ ପରିମାଣ ୨ ଲକ୍ଷ ୧୬ ହଜାର ଟଙ୍କା ରହିଛି ।

ଜେଏନ୍ଟିଭିଟିଆଇର ଏହି ପ୍ରଶିକ୍ଷଣ ଆମ ଜୀବନକୁ ନୂତନ ଦିଗ ପ୍ରଦାନ କରିଛି ଏବଂ ଆମେ ଟାଟା ଷ୍ଟିଲ୍ ପ୍ରତି କୃତଜ୍ଞ ବୋଲି ନିଯୁକ୍ତି ପାଇଥିବା ଦୁଇ ଜଣ ଛାତ୍ର ସୌମ୍ୟ ରଂଜନ ପରିଡ଼ା ଏବଂ ରଜତ ସାହୁ କହିଛନ୍ତି ।
ଟାଟା ଷ୍ଟିଲ୍ ତରଫରୁ ଜାମସେଦପୁର, ଯୋଡ଼ା ଓ କଳିଙ୍ଗନଗରରେ ତିନିଟି ଜେଏନଟିଭିଟିଆଇ ସ୍ଥାପନ କରାଯାଇଛି । ଏହି ସବୁ କେନ୍ଦ୍ରରେ ୭୦୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ୨୦୧୯ ଫେବ୍ରୁଆରିରୁ କଳିଙ୍ଗ ନଗର କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ।

error: Thank You Keep Visiting