ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରି ଛାତ୍ରୀଙ୍କ ନିକଟରୁ ଜୋତା ପ୍ରହାର ଖାଇଲେ ଅଟୋ ଚାଳକ

Straight to the Point

ଭଦ୍ରକ: ଆମ ଏ ସମାଜରେ ସମସ୍ତେ ନାରୀଟିଏକୁ ଅବଳା-ଦୁର୍ବଳା କହି ସହାୟତାର ହାତ ବଢାଇବାକୁ ବିଭିନ୍ନ ଭାବେ ପରାମର୍ଶ ଦେଇଥାନ୍ତି । ଏପରିକି ସଭା ସମିତିରେ ବହୁ ବିଶିଷ୍ଟ ବ୍ୟକ୍ତି ନାରୀଟିଏ ଯୁଗେ ଯୁଗେ ନିର୍ଯ୍ୟାତିତା ହେଉଥିବାର ବିଷୟ ଭାଷଣବାଜିରେ କହି ସେମାନଙ୍କୁ ବିବିଧ ଭାବେ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥାନ୍ତି । କିନ୍ତୁ ବାସ୍ତବରେ ବହୁ କମ୍ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କ କଥା ଓ କାର୍ଯ୍ୟକୁ ବଜାୟ ରଖିଥାନ୍ତି । କିନ୍ତୁ ଭଦ୍ରକ ସହରର ଜନଗହଳିପୂର୍ଣ୍ଣ ବନ୍ତଛକସ୍ଥିତ ଅଟୋଷ୍ଟାଣ୍ଡ ନିକଟରେ ସ୍ପଷ୍ଟ ଦିବାଲୋକରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯେ ଜଣେ ଛାତ୍ରୀ ଅଟୋ ଚାଳକ ଦ୍ୱାରା ଅଶ୍ଳୀଳ ଆଚରଣର ସମ୍ମୁଖୀନ ହୋଇ ଉପସ୍ଥିତ ଲୋକଙ୍କୁ ସହାୟତା ମାଗି ବିଫଳ ହେବା ପରେ ନିଜେ ଆଇନ୍କୁ ହାତକୁ ନେଇ ପିନ୍ଧିଥିବା ଜୋତାରେ ଉତ୍ତମ ମଧ୍ୟମ ଦେବାକୁ ପଛାଇନାହିଁ । ଛାତ୍ରୀଟିର ଏଭଳି ସାହସିକ ପଦକ୍ଷେପକୁ ଆଜି ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଇଥିବାବେଳେ ଉପସ୍ଥିତ ଥିବା ଦେଖଣାହାରୀ ଦର୍ଶକଙ୍କୁ ଘୋର ତିରଷ୍କାର କରାଯାଇଛି ।

ଘଟଣାଟି ଏହିପରି, ଜଣେ ଛାତ୍ରୀ ଚରମ୍ପା ରେଳଷ୍ଟେସନ ନିକଟରୁ ଅପରାହ୍ନ ପ୍ରାୟ ୪ଟା ସମୟରେ ଏକ ଅଟୋରେ ବନ୍ତ ଛକ ବସ୍ଷ୍ଟାଣ୍ଡକୁ ଆସିବା ପାଇଁ ଅଟକାଇଥିଲେ । ମାତ୍ର ପଛସିଟ୍ରେ ବସିଥିବା ପୁରୁଷ ଯାତ୍ରୀମାନଙ୍କ ମଧ୍ୟରୁ କେହି ଜଣେବି ଚାଳକ ପାଖ ଆଗ ସିଟ୍କୁ ଆସିବା ପାଇଁ ଆଗ୍ରହ ପ୍ରକାଶ ନକରିବାରୁ ବାଧ୍ୟହୋଇ ଛାତ୍ରୀଟି ଚାଳକ ନିକଟ ସିଟ୍ରେ ବସିବାକୁ ବାଧ୍ୟ ହୋଇଥିଲା । ମାତ୍ର ଆସିବା ରାସ୍ତାରେ ଅଟୋ ଚାଳକ ଯୁବକଟି ପାଖରେ ବସିଥିବା ଛାତ୍ରୀଟି ପ୍ରତି ବହୁବାର ଆପତ୍ତିଜନକ ବ୍ୟବହାର କରିଥିଲା । ତେବେ ଗାଡିଟି ଚାଲୁଥିବାରୁ ଛାତ୍ରୀଟି ନୀରବ ରହି ବନ୍ତଛକରେ ତାହା ପହଞ୍ôଚବା ପରେ ସମସ୍ତ ବିଷୟ ଉପସ୍ଥିତ ଯାତ୍ରୀ ଓ ପାଖରେ ଥିବା ଜନସାଧାରଣଙ୍କୁ ଜଣାଇ ସାହାଯ୍ୟ ଭିକ୍ଷା କରିଥିଲା । କିନ୍ତୁ କେହିବି ଜଣେ ତାଙ୍କୁ ସହାୟତାର ହାତ ବଢାଇନଥିଲେ । ଫଳରେ ବାଧ୍ୟହୋଇ ଛାତ୍ରୀଟି ନିଜର ପିନ୍ଧିଥିବା ଚପଲ ଖୋଲି ମନଇଚ୍ଛା ଯୁବ ଅଟୋ ଚାଳକଟିକୁ ପିଟିଥିଲେ । ଏହି ଘଟଣାଟି ସମସ୍ତଙ୍କ ପାଇଁ ବେଶ୍ ରୋଚକ ହୋଇଥିଲେ ବି କେହି ଜଣେ ମାତ୍ର କେଇମିଟର ଦୂରରେ ଥିବା ପୁଲିସ୍ ଫାଣ୍ଡିକୁ ଜଣାଇନଥିଲେ । ଏହି ଘଟଣା ଆଜି ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଉଭୟପକ୍ଷରୁ ସହରାଞ୍ଚଳ ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇନଥିଲେ ବି ଥାନାଧିକାରିଣୀ ସରୋଜିନୀ ସିଂ ସୋସିଆଲ ମିଡିଆରୁ ଏହା ଜାଣି ଆଜିଠାରୁ କୌଣସି ଅଟୋର ଆଗସିଟ୍ରେ ମହିଳାମାନେ ବସିବା ଉପରେ ରୋକ୍ ଲଗାଇଛନ୍ତି ।

error: Thank You Keep Visiting