ବେଧଡକରେ ଚାଲିଛି ଚୋରା କୋଇଲା ବ୍ୟବସାୟ,ପିକ୍ଅପ୍ ଭ୍ୟାନ ଜବତ୍
କଣିହାଁ : କଣିହାଁ ଥାନା ଇଲାକାରେ ଲଗାମ୍ ଲାଗି ପାରୁନି ଚୋରା କୋଇଲା ବ୍ୟବସାୟ । ଅସାଧୁ ପୋଲିସ୍ କର୍ମଚାରୀ ସହିତ କୋଇଲା ମାଫିଆଙ୍କ କ୍ଷୀର ନୀର ସଂପର୍କରେ ଜାତୀୟ ସଂପତ୍ତି ହରିଲୁଟ୍ ହେଉଛି ବୋଲି କଣିହାଁ ଅଞ୍ଚଳରେ ଯୋର ଚର୍ଚ୍ଚା ଧରିଛି । ଖବର ପାଇ କଣିହାଁ ଥାନାରେ ନବନିଯୁକ୍ତ ହୋଇଥିବା ଏ.ଏସ୍.ଆଇ ସୁରେଶ ଚନ୍ଦ୍ର ବେହେରା ବିଳମ୍ବିତ ରାତିରେ ବଡଗୁଣ୍ଡରୀ ମୁରଧାପୁର ରାସ୍ତା ଦେଇ ବାରିହାପୁର ଅଭିମୂଖେ ଯାଉଥିବା ଏକ ଚୋରା କୋଇଲା ବୋଝେଇ ପିକ୍ ଅପ୍ ଭ୍ୟାନ ନଂ ଓଡି ୧୯ବି ୪୦୫୨ ଲେଖାଯାଇଥିବା ଗାଡିକୁ ଜବତ କରିବାରେ ସଫଳ ହୋଇଥିବା ବେଳେ ଘଟଣା ସ୍ଥଳରୁ ଚାଳକ ଫେରାର୍ ହୋଇଯାଇଥିଲା ।
ତେବେ ସଂପୃକ୍ତ ଗାଡିଟିକୁ କଣିହାଁ ଥାନା ପରିସରରେ ରଖା ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତଦନ୍ତକାରୀ ଅଧିକାରୀ ଶ୍ରୀଯୁକ୍ତ ବେହେରା ଘଟଣାର ଖୋଳତାଡ ଆରମ୍ଭ କରି ସତ୍ୟତା ଏବଂ ଏହି ଦୀର୍ଘ ଦିନର ବ୍ୟବସାୟ ପଛରେ କେଉଁ କାରଣ ଲୁଚିଛି ବୋଲି ଅଧିକ ତଦନ୍ତ ଜାରୀ ରଖିଛନ୍ତି । ମିଳିଥିବା ସୂଚନା ମୁତାବକ ଜୈନେକ ଅସାଧୁ ପୋଲିସ୍ କର୍ମଚାରୀ ମାସିକିଆ ବଟି ନେଇ କୋଇଲା ମାଫିଆଙ୍କୁ ଅନୁକମ୍ପା ଦେଖାଇ ଆସୁଥିବା ଅଂଚଳରେ ଯୋର ଚର୍ଚ୍ଚା ପାଲଟିଛି । ଏସ୍.ପିଙ୍କ ବଦଳୀ ଆଦେଶକୁ ଦୀର୍ଘ ୬ ମାସ ଧରି ଜେନୈକ ପୁଲିସ୍ ଅଧିକାରୀ ବେଖାତର କରି ଏଭଳି ଜାତୀୟ ସଂପତ୍ତିକୁ ଲୁଟ୍ ପଛର ଖଳନାୟକ ସାଜି ଷ୍ଟେସନରୁ ତାଙ୍କର ମୋହ ଛାଡୁ ନଥିବା ଅଂଚଳ ଅଧିବାସୀ ପ୍ରକାଶ କରନ୍ତି । ଏଣୁ ଜାତୀୟ ସଂପତ୍ତି ହରିଲୁଟ୍ ଦୀଗରେ ରୋକ୍ ଲଗାଇ ଏସ୍.ପି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହୋଇଛି ।