୫ମ ବିବାହକୁ କେନ୍ଦ୍ର କରି ଭିଣୋଇ ହାଣିଲା ଶଳାକୁ

Straight to the Point

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରିପୁର ପଂଚାୟତ ସଇଦାବାଦ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଭିଣୋଇର ଭୁଜାଲୀ ମାଡରେ ଶଳାର ମୃତ୍ୟୁ ଘଟିଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଭିଣୋଇର ଦୁଇ ବଖରା ଘର ପୋଡି ଦେବା ସହ ଦୁଇଟି ଅଟୋରିକ୍ସାକୁ ମଧ୍ୟ ଜାଳି ଦେଇଛନ୍ତି । ଏହଭଳି ଏକ ଅଭାବନୀୟ ଘଟଣାରେ ଅଧିକ ଗଣ୍ଡଗୋଳକୁ ଆଶଙ୍କା କରି ପୁଲିସ ପକ୍ଷରୁ ଏକ ପ୍ଲାଟୁନ ସଶସ୍ତ୍ର ଫୋର୍ସ ମୁତୟନ କରାଯାଇଛି ।

ତେବେ ଅଭିଯୁକ୍ତ ଭିଣୋଇ ଓ ଏହି ହତ୍ୟା ନିମନ୍ତେ ତାକୁ ସହାୟତା କରିଥିବା ତାର ଜଣେ ଭାଇ ଫେରାର ହୋଇ ଯାଇଥିବା ବେଳେ ଗ୍ରାମାଞ୍ଚଳ ପୁଲିସ କୌଶଳ କ୍ରମେ ମୁଖ୍ୟ ଅଭିଯୁକ୍ତ ଭିଣୋଇକୁ ଭଦ୍ରକରୁ ଗିରଫ କରିବାରେ ସକ୍ଷମ ହୋଇଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସଇଦାବାଦ ଗ୍ରାମର ସେକ୍ ଭାଲୁ ଓରଫ ସିଦ୍ଦିକ ସେହି ଗ୍ରାମର ସେକ୍ ସକିମଙ୍କୁ ଭଉଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଇତି ମଧ୍ୟରେ ସେକ୍ ଭାଲୁ ମୋଟ ୪ଟି ବିବାହ କରି ସେମାନଙ୍କୁ ତଲାକ ଦେବା ପରେ ନିକଟରେ ପଞ୍ଚମ ବିବାହ କରିଥିଲା । ଏହାକୁ ସେକ୍ ସକିମ୍ ବିରୋଧ କରିବା ନେଇ ୫ ଦିନ ପୂର୍ବରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ତେବେ ଆଜି ସକାଳେ ଏହି ଘଟଣା ଉଗ୍ର ରୂପ ନେବା ପରେ ସେକ ଭାଲୁ ପ୍ରତିଶୋଧ ପରାୟଣ ହୋଇ ଏକ ଭୂଜାଲୀ ଦ୍ୱାରା ଶଳା ସକିମ୍କୁ ସ୍ପଷ୍ଟ ଦିବାଲୋକରେ ହାଣି ହତ୍ୟା କରିଥିଲା । ଏଥିରେ ତାର ଜଣେ ସମ୍ପର୍କୀୟ ଭାଇ ସେକ୍ କାଦିର ସିଦ୍ଦିକକୁ ସହଯୋଗ କରିଥିଲା । ଏହି ଘଟଣା ପ୍ରଚାର ହେବା ପରେ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ସିଦ୍ଦିକର ଘର ଓ ଦୁଇଟି ଅଟୋରେ ନିଆଁ ଲଗେଇ ଦେଇଥିଲେ ।

ଖବର ପାଇ ଉଭୟ ପୁରୁଣାବଜାର ଓ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସିଦ୍ଦିକ ଓ କାଦିର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପୁଲିସ ମୃତଦେହ ଜବତ କରି ଡାକ୍ତରଖାନା ଆଣିବା ସହ ସାଇଣ୍ଟିଫିକ୍ ଟିମ ଡକାଇ ଏହାର ତଦନ୍ତ କରିଥିଲା । ଗ୍ରାମାଞ୍ଚଳ ଥାନା ଆଇଆଇସି ଦୟାନିଧି ଦାସ ଏହାର ତଦନ୍ତ କରି ଅଭିଯୁକ୍ତକୁ ଠାବ କରିବାକୁ ଜାଲ ବିଛାଇ ଶେଷରେ ମୁଖ୍ୟ ଅଭିଯୁକ୍ତ ସିଦ୍ଦିକକୁ ଭଦ୍ରକ ଟାଉନରୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ସହଯୋଗୀ କାଦିର ଫେରାର ରହିଛି । ଖୁବ୍ ଶୀର୍ଘ କାଦିରକୁ ଧରାଯିବ ବୋଲି ଆଇଆଇଆଇସି ଶ୍ରୀ ଦାସ କହିଛନ୍ତି । ଏ ନେଇ ଗ୍ରାମାଞ୍ଚଳ ଥ।।ନରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।

error: Thank You Keep Visiting