ସ୍ମାର୍ଟ ଯୁଗରେ ସ୍ମାର୍ଟ ଚୋରର ସ୍ମାର୍ଟ କାରନାମା

An Independent Media

କଲକାତା: ସ୍ମାର୍ଟ ଯୁଗର ସାଜିଦ୍ ହୁସେନ୍ ନାମକ ଜଣେ ଯୁବକ ଚୋରି କରିବା ପାଇଁ ଏକ ସ୍ମାର୍ଟ ଉପାୟ ଅବଲମ୍ବନ କରିଛନ୍ତି । ଝାଡ଼ଖଣ୍ଡ ମଧୁପୁର ଅଞ୍ଚଳର ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ ଚତୁରତାର ସହ ଚୋରି କରିବା ପାଇଁ ସେ ବିଭିନ୍ନ ବିମାନବନ୍ଦରକୁ ବାଛି ନେଇଥିଲେ । ଏଥିପାଇଁ ସେ ଶସ୍ତା ଓ ଫେରସ୍ତ କରାଯାଇପାରୁଥିବା ବିମାନ ଟିକେଟ୍ କିଣି ଅତ୍ୟନ୍ତ ସ୍ମାର୍ଟ ବେଶରେ ଟର୍ମିନାଲ୍ ଭିତରକୁ ଯାଉଥିଲେ । ଯାତ୍ରୀମାନେ ଧାଡ଼ିରେ ଛିଡ଼ା ହେବା ସମୟରେ ଓ ବନ୍ଦର ଭିତର ଯାତ୍ରୀମାନଙ୍କ ଭିଡ଼ର ସୁଯୋଗ ନେଇ ହୁସେନ୍ ଯାତ୍ରୀମାନଙ୍କଠାରୁ ମନିପର୍ସ ଓ ମୋବାଇଲ ଆଦି ଜିନିଷ ଚୋରି କରି ନେଉଥିଲେ । ପରେ ଶୌଚାଳୟ ଯାଇ ପୋଷାକ ପରିବର୍ତ୍ତନ କରି ବିମାନରେ ଚାଲି ଯାଉଥିଲେ କିମ୍ବା ଟିକଟକୁ ବାତିଲ କରି ଟର୍ମିନାଲ ବାହାରକୁ ଖସି ଆସୁଥିଲେ । ହେଲେ କଥାନୁସାରେ ଚୋର ଘର ସବୁଦିନ ଅନ୍ଧାର ନୁହେଁ ଏକଥା ହୁସେନ୍ ଭୁଲିଯାଇଥିଲେ ।

ସୂଚନାନୁସାରେ କଲକାତାରୁ କୋଚି ଯାଉଥିବା ଜଣେ ଯାତ୍ରୀଙ୍କଠାରୁ ସେ ଚୋରି କରିବା ପରେ ଯାତ୍ରୀଙ୍କ ଅଭିଯୋଗକୁ ଆଧାର କରି ସିଆଇଏସ୍ଏଫ୍ ସିସିଟିଭି ଯାଞ୍ଚ କରିଥିଲେ । ଏହାପରେ ହୁସେନଙ୍କ କାରନାମା ପଦାକୁ ଆସିଥିଲା । ପ୍ରଥମେ ଫୁଟେଜ୍ ଯାଞ୍ଚବେଳେ କିଛି ଜଣାପଡ଼ିନଥିଲା । କିଛି ସମୟ ପରେ ବିମାନବନ୍ଦର କର୍ମଚାରୀମାନେ ଏକ ଖାଲି ମନିପର୍ସ ଆଣି କର୍ତ୍ତୃପକ୍ଷଙ୍କୁ ଦେଇଥିଲେ । ଯେଉଁ ସ୍ଥାନରୁ ମନି ପର୍ସ ମିିଳିଥିଲା ସେହି ସ୍ଥାନର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା । ଜଣେ ବ୍ୟକ୍ତି ମନିପର୍ସ ପଡ଼ିଥିବା ସ୍ଥାନରୁ ଶୌଚାଳୟକୁ ଯାଇଥିବା ଏବଂ ସେଠାରୁ ପୁଣି ଆଉ ଏକ ସାର୍ଟ ପିନ୍ଧି ବାହାରିବା ସିସିଟିଭି ଫୁଟେଜରୁ ଦେଖାଯିବା ପରେ ସନ୍ଦେହରେ ହୁସେନଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ହୁସେନଙ୍କୁ ପୋଲିସ ଜିମା ଦିଆଯାଇଥିଲା । ହୁସେନଙ୍କ ନିକଟରୁ ସୁନା ଚେନ୍, କାନଫୁଲ ଓ ନଗଦ ୩୫୦୦ ଟଙ୍କା ଜବତ କରାଯାଇଥିବା ପୋଲିସ୍ ପ୍ରକାଶ କରିଛି ।

error: Thank You Keep Visiting