ସଂପତ୍ତି ଲୋଭରେ ଭଉଣୀ-ଭିଣୋଇଙ୍କୁ ଗୁଣ୍ଡା ଲଗାଇ ଆକ୍ରମଣ ଉଦ୍ୟମ

Straight to the Point

ଭଦ୍ରକ (ସିପ୍ରା ରାୟ) – ସଂପତ୍ତି ଭାଗବଣ୍ଟୁରାକୁ ନେଇ ବିଭିନ୍ନ ସମୟରେ ଭଉଣୀ-ଭିଣୋଇ ପ୍ରତି ଆକ୍ରୋଶ ରଖିଆସୁଥିବା ଶାଳକ କେତେକ ଅସାମାଜିକ ଯୁବକଙ୍କ ଦ୍ୱାରା ସେମାନଙ୍କ ଘରଲୋକଙ୍କ ଉପରେ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ ଭଉଣୀ ପୂର୍ଣ୍ଣିମା ପତି ଭଦ୍ରକ ସହରାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ସେ ସପରିବାର ଭଦ୍ରକର ପୁରୁଣା ତହସିଲ ରୋଡ୍ରେ ରହିଆସୁଥିବାବେଳେ ସ୍ୱାମୀ ବିଦ୍ୟାଧର ନିଜ ଗ୍ରାମ ଧୁଷୁରୀ ଥାନା ଅଧୀନସ୍ଥ ପତ୍ରିବିନ୍ଧାକୁ ଯାଇଥିଲେ । ଅପରାହ୍ନ ପ୍ରାୟ ୨.୫୦ ମିନିଟ୍ ସମୟରେ ଦୁଇଜଣ ଅପରିଚିତ ଯୁବକ ଏକ ନମ୍ବର ବିହୀନ ପ୍ଳେଜର ବାଇକ୍ରେ ଆସି ଘର ଭିତରକୁ ବଳପୂର୍ବକ ପ୍ରବେଶ କରି ଶତବର୍ଷୟୀ ଶ୍ୱଶୁର ଭାବଗ୍ରାହୀ ପତିଙ୍କୁ ଟଣାଘୋଷରା ପୂର୍ବକ ମାଡମାରି ରକ୍ତାକ୍ତ କରିଦେଇଥିଲେ । ପୂର୍ଣ୍ଣିମା ଓ ତାଙ୍କ କନ୍ୟା ମିନର୍ଭା ଉକ୍ତ ଘଟଣାକୁ ପ୍ରତିବାଦ କରିବାରୁ ସେମାନେ ତାକୁ ମଧ୍ୟ ଆକ୍ରମଣ କରିଥିଲେ ।

ଭୟରେ ମା’ ଝିଅ ଘର ଭିତରକୁ ପଶି ଭିତରପଟୁ କବାଟ ବନ୍ଦ କରିଦେବା ପରେ ୨ ଅଭିଯୁକ୍ତ କବାଟକୁ ଗୋଇଠା ମାରି ତାହା ଖୋଲିବାରେ ସଫଳ ନହେବାରୁ ପଳାୟନ କରିଥିଲେ । ତେବେ ଅଭିଯୋଗକାରିଣୀ ପୂର୍ଣ୍ଣିମା ନିଜର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ତାଙ୍କର ସାନଭାଇ ନିରଂଜନ ଓ ମଦନ ଦୀକ୍ଷିତ୍ଙ୍କ ଇଙ୍ଗିତରେ ଏଭଳି କାର୍ଯ୍ୟ ଅତୀତରେ କରାଯାଇଥିବାବେଳେ ଏଥର ମଧ୍ୟ ତାହା କରାଯାଇଛି । ସେମାନଙ୍କର ପ୍ରକୃତ ଲକ୍ଷ୍ୟ ତାଙ୍କ ସ୍ୱାମୀ ବିଦ୍ୟାଧରଙ୍କୁ ଆକ୍ରମଣ କରିବାର ଥିଲା । ମାତ୍ର ସେ ଗ୍ରାମକୁ ଯାଇଥିବାରୁ ସେମାନେ ବିଫଳ ହୋଇ ପଳାୟନ କରିଛନ୍ତି । ନିଜର ୨ ଭାଇଙ୍କ ଏଭଳି କ୍ରମାଗତ ଆକ୍ରମଣ ସଂପର୍କରେ ସେ ବିଗତ ଦିନରେ ଭଦ୍ରକ ଟାଉନ୍ ଥାନାରେ ଏକାଧିକ ଅଭିଯୋଗ କରାଯାଇ ମାମଲା ରୁଜୁ ହୋଇଛି । ତେବେ ଆଜିର ଘଟଣା ଘଟାଇଥିବା ଦୁଇ ଯୁବକଙ୍କ ନିକଟରେ କେତେକ ମାରଣାସ୍ତ୍ର ଥିବା ବିଷୟ ସିସିଟିଭିର ଫୁଟେଜ୍ରୁ ଜଣାପଡିଥିବାରୁ ଏହି ଘଟଣା ସଂପର୍କରେ ତୁରନ୍ତ ତଦନ୍ତ ପୂର୍ବକ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ଣ୍ଣିମା ଦାବି କରିଛନ୍ତି ।

error: Thank You Keep Visiting