ଚୋରା ଡ୍ରଗ୍ସ ବେପାରୀଙ୍କୁ ମୃତ୍ୟୁଦଣ୍ଡ!

Straight to the Point

ଚଣ୍ଡିଗଡ଼ : ଚୋରା ଡ୍ରଗ୍ସ ଚାଲଣ ଏବଂ ଚୋରା ବେପାର ମାମଲାରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପଞ୍ଜାବ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ ପ୍ରକାଶ କରିଛନ୍ତି। ନିକଟରେ ପଞ୍ଜାବ ସରକାରଙ୍କ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ନିର୍ବାଚନୀ ପ୍ରଚାରରେ ପଞ୍ଜାବକୁ ଡ୍ରଗ୍ସ ମୁକ୍ତ କରିବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ଏହି ପ୍ରତିଶ୍ରୁତି ପୂରଣ କରିବା ପାଇଁ ପଞ୍ଜାବ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ପଞ୍ଜାବଙ୍କୁ ଡ୍ରଗ୍ସ ମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ସପକ୍ଷରେ ମୁଁ ଛିଡ଼ା ହୋଇଛି ଓ ଏହାକୁ ପୂରଣ କରିବି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ନାରକୋଟିକ୍‍ ଏବଂ ସାଇକୋଟ୍ରୋପିକ୍‍ ସବଷ୍ଟାନସେସ୍‍ (ଏନ୍‍ଡିପିଏସ୍‍) ଆଇନରେ ବାରମ୍ବାର ଡ୍ରଗ୍ସ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ପ୍ରାବଧାନ ରହିଛି। ରାଜ୍ୟରେ ଚୋରା ଡ୍ରଗ୍ସ ବେପାର ଏବଂ ଚାଲଣ ବୃଦ୍ଧି ପାଇବା ପରେ ଲୋକେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ଜୁଲାଇ ୧ରୁ ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅବାଧ ଡ୍ରଗ୍ସ ବେପାରକୁ ବିରୋଧ କରି ଲୋକେ କଳା ଦିବସ ପାଳନ କରିଥିଲେ। ଲୋକଙ୍କ ଚାପରେ ପଡ଼ି କଂଗ୍ରେସ ବାଧ୍ୟହୋଇ ଏପରି ନିଷ୍ପତ୍ତି ନେଇଥିବା ବିରୋଧୀମାନେ କହିଛନ୍ତି। ଉଲ୍ଲେଖ ଯେ କଳା ଦିବସ ପାଳନରେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଓ ସାଧାରଣ ଲୋକ ଏକାଠି ହୋଇଥିଲେ। ଚୋରା ଡ୍ରଗ୍ସ ବେପାର ଓ ଚାଲଣକୁ ବନ୍ଦ କରିବା ଦିଗରେ ସରକାରଙ୍କ ବିଫଳତାକୁ ସେମାନେ ତୀବ୍ର ନିନ୍ଦା କରିଥିଲେ।

error: Thank You Keep Visiting