ବାଡ ଯେବେ ଫସଲ ଖାଏ …

Straight to the Point

-ଚିଟ୍ ଫଣ୍ଡ ମାଧ୍ୟମରେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ
-ଟଙ୍କା ମାଗିଲେ ପୁଲିସ୍ ସ୍ୱାମୀଙ୍କ ଦ୍ୱାରା ମାଡ ଓ ହତ୍ୟା ଧମକ, ଏସ୍ପିଙ୍କୁ ଭେଟିଲେ ଜମାକାରୀ

ଭଦ୍ରକ: ଭଦ୍ରକ ସହରାଞ୍ଚଳ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ଜନୈକ କର୍ମଚାରୀଙ୍କ ପତ୍ନୀ ଏକ ଚିଟ୍ଫଣ୍ଡା ଭଳି ସଂସ୍ଥାରେ କେତେକ ଲୋକଙ୍କୁ ଜଡିତ କରି ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇ ତାହା ମାଗିବାରୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରୁ ମାରିଦେବାର ଧମକ ଦେବା ଏବଂ ଏହା ବିରୁଦ୍ଧରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରି ବିଫଳ ହୋଇଥିବା ନେଇ କିଛି ଜମାକାରୀ ଆଜି ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ଭେଟିଛନ୍ତି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡିତ ଏ ଦିଗରେ ଏକ ନିରପେକ୍ଷ ତଦନ୍ତ ସହ ଜମାକାରୀଙ୍କୁ ଉଚିତ୍ ନ୍ୟାୟ ଦେବା କ୍ଷେତ୍ରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସଙ୍କୁ ଦାୟିତ୍ୱ ଦେଇଛନ୍ତି । ମାତ୍ର ସଂପୃକ୍ତ ଜମାକାରୀମାନେ ଆସନ୍ତା ୭ ଦିନ ମଧ୍ୟରେ କୌଣସି ନ୍ୟାୟ ନପାଇଲେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭଦ୍ରକ ଚାଷୀ ମୂଲିଆ ସଂଘର ସଭାପତି ସୁଶାନ୍ତ ଜେନାଙ୍କ ନେତୃତ୍ୱରେ ଭେଟିଥିବା ଭଦ୍ରକ ସହରାଞ୍ଚଳ ଥାନାର ଜଗନ୍ନାଥପୁର ଗ୍ରାମନିବାସୀ ଗୀତାଞ୍ଜଳି ଯେନା, ଗୌରାଙ୍ଗ ଯେନା, ପ୍ରମିଳା ଯେନା, ବାସନ୍ତୀ ଯେନା, ହାସିନା ଖାତୁନ, ନିଶିପଦ୍ମା ମହାରଣା, ମେହେରୁନ୍ ନିଶା, ମଧୁସୂଦନ ଦତ୍ତ, ଚନ୍ଦ୍ରକାନ୍ତ ପତି ପ୍ରମୁଖ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଦ୍ରକ ସହରାଞ୍ଚଳ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟ କରୁଥିବା ସନ୍ତୋଷ ନାୟକଙ୍କ ପତ୍ନୀ ଶକୁନ୍ତଳା ସାହୁ ଏକ ଚିଟ୍ଫଣ୍ଡ ସଂସ୍ଥା ଜରିଆରେ ସେମାନଙ୍କ ଭଳି ବହୁ ଜମାକାରୀଙ୍କୁ ଫସାଇ ଲକ୍ଷାଧିକ ଟଙ୍କା ନେଇଥିଲେ । ଏପରିକି ଏମାନଙ୍କ ମଧ୍ୟରୁ କେତେକଙ୍କୁ ଚାକିରୀ କରାଇଦେବାର ମଧ୍ୟ ପ୍ରଲୋଭନ ଦେଇଥିବା ବିଷୟ ସହରାଞ୍ଚଳ ଥାନାରେ ଅଭିଯୋଗ ହୋଇଥିବା ନେଇ ଥାନାଧିକାରିଣୀ ସରୋଜିନୀ ସିଂ ଗଣମାଧ୍ୟମକୁ କହିଛନ୍ତି । ତେବେ ଶ୍ରୀମତୀ ସାହୁ ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ ହୋଇଥିବାରୁ ଟଙ୍କା ମାଗିବାରେ ନିଜ ସ୍ୱାମୀଙ୍କ ମାଧ୍ୟମରେ ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ଟଣାଘୋଷରା, ହତ୍ୟା ଧମକ ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏହି ଜମାକାରୀଙ୍କ ଅଭିଯୋଗ ମୂଳେ ସାଧାରଣ ଲୋକଟିଏ ନାମରେ ଏତଲା ହେଲେ ପୁଲିସ୍ ସଂଗେ ସଂଗେ ସେମାନଙ୍କ ବିରୁଦେ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାବେଳେ ଗତ ୧୫ ତାରିଖରୁ ଆଜିପର୍ଯ୍ୟନ୍ତ ୬ ଦିନ ବିତିଯାଇଥିଲେ ବି ନିଜ ବିଭାଗର ବଦନାମ ହେବେ ବୋଲି ଗ୍ରାମାଞ୍ଚଳ ପୁଲିସ୍ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନନେଇ ସେମାନଙ୍କୁ ବାରମ୍ବାର ହଇରାଣ କରୁଥିବା ନେଇ ଗୀତାଞ୍ଜଳି ଯେନାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ଗତକାଲି ଗ୍ରାମାଞ୍ଚଳ ଥାନା ପକ୍ଷରୁ ସେମାନଙ୍କୁ ସନ୍ଧ୍ୟା ୭ଟାରେ ଥାନାକୁ ଡକାଇ ରାତି ୧୦ଟା ପର୍ଯ୍ୟନ୍ତ ଅଟକାଇ ଅପରପକ୍ଷ ଆସୁଛନ୍ତି ବୋଲି କହି ବିଭିନ୍ନ ଆଳରେ କିଛି ହୋଇପାରିବ ନାହିଁ ବୋଲି ମନା କରିବା ଘଟଣା ଏହାର ନିଛକ ଉଦାହରଣ । ଏଣୁ ଜଣେ ପୁଲିସ୍ କର୍ମଚାରୀ ପୋଷାକରେ ଥାଇ ନିଜ ସ୍ତ୍ରୀକୁ ଲଗାଇ ସାଧାରଣ ଲୋକଙ୍କ ଠାରୁ ମିଛ କହି ଟଙ୍କା ହଡପ କରିବା ଏବଂ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମୋବାଇଲ୍ ଫୋନ୍ରେ ହତ୍ୟା ଧମକ ଶୁଣିବା କେତେଦୂର ନ୍ୟାୟ ସଂଗତ ବୋଲି ଅଭିଯୋଗକାରୀମାନେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପ୍ରଶ୍ନ କରିଥିଲେ । ଏବଂ ଏଭଳି ଏକ ବ୍ୟକ୍ତିଙ୍କୁ ପୁଲିସ୍ ବିଭାଗରେ ରଖିଲେ ତାଙ୍କ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିଯିବ ବୋଲି ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ତେବେ ସାଧାରଣ ଜନତାଙ୍କ ଟଙ୍କା ହଡପ କରିଥିବା ବ୍ୟକ୍ତି ଓ ତାଙ୍କୁ ସହଯୋଗ କରୁଥିବା ପୁଲିସ୍ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସେମାନେ ଅର୍ଥ ହରାଇଥିବା ସମସ୍ତ ମହିଳା ଓ ପୁରୁଷମାନଙ୍କୁ ନେଇ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

error: Thank You Keep Visiting