ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ବୃଦ୍ଧି

An Independent Media

ବାଲିଚନ୍ଦ୍ରପୁର: ଦର୍ପଣ ତହସିଲ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ ବେଆଇନ୍ ଭାବେ ବାଲି, କଳା ମେଣ୍ଟାଲ୍, ମୋରମ୍, ବୋଲ୍ଡର ପରି ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳ ଦେଇ ଯାଇଥିବା ଚଣ୍ଡିଖୋଲ-ପାରାଦୀପ ୫ ନଂ (କ) ଜାତୀୟ ରାଜପଥରେ ଦିନ ରାତି ଖୋଲମ୍ ଖୁଲା ଏ ସବୁର ଚୋରା ଚାଲାଣ ହେଉଛି । ତହସିଲ୍ ପ୍ରଶାସନ ଓ ପୋଲିସ୍ର ମିଳିତ ସଲା ସୁତୁରା ଏ ସବୁ କାର୍ଯ୍ୟ ଚାଲିଥିବା ସାଧାରଣରେ ଅଭିଯୋଗ ହେଉଛି । ଏହା ଦ୍ୱାରା ସରକାରଙ୍କ ଦୈନନ୍ଦିନ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନି ହେଉଛି । ତେବେ ଲୋକ ଦେଖାଣିଆ ଭାବେ ପ୍ରଶାସନ ପକ୍ଷରୁ କିଛି ଗାଡ଼ି କୁ ଧରି ଆଣି ରଖାଯିବା ପରେ ପୁଣି ସେଇ ଗାଡ଼ି ଗୁଡ଼ିକୁ ବିନା ଜୋରିମାନା ଆଦାୟରେ ଛାଡ଼ି ଦିଆଯାଉଥିବା ଅଭିଯୋଗ ହେଉଛି । ନାମକୁ ମାତ୍ର ଗାଡ଼ିକୁ ଧରି ଆଣି ପୁଣି ଛାଡ଼ି ଦେବା ପଛରେ କିଛି ପ୍ରଶାସନିକ କର୍ମଚାରୀଙ୍କର ହାତ ରହୁଥିବା ନେଇ ସାଧାରଣରେ ଆଲୋଚନା ଚାଲିଛି । ଏପରି ହେଲେ ଆଗାମୀ ଦିନରେ ଏହି ଅଞ୍ଚଳରୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ଆହୁରି ବୃଦ୍ଧି ପାଇବା ସହ ବ୍ୟାପକ ମାତ୍ରାରେ ରାଜସ୍ୱ ହାନି ହେବା ସହ ମାଫିଆଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବା ର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ଏଠାରେ ପ୍ରକାଶ ଥାଉ କି ଆଜି ଜାତୀୟ ରାଜପଥରୁ କଳା ମେଣ୍ଟାଲ ବୋଝେଇ ଗାଡ଼ି (ଓଆର୍ ୦୯ ଇ ୧୨୮୯) ଥାନା ବାଉଣ୍ଡେରୀ ପାଖରେ ସକାଳ ସମୟରେ ଦେଖିବାକୁ ମିଳିଥିଲା । କିନ୍ତୁ ଉକ୍ତ ଗାଡ଼ିଟିକୁ କୌଣସି ସରକାରୀ ରାଜସ୍ୱ ଆଦାୟ ନ କରାଯାଇ ଥାନା ପକ୍ଷରୁ ଛଡ଼ା ଯାଇଥିବା ଶୁଣିବାକୁ ମିଳୁଛି । ଏ ବିଷୟରେ ଥାନା ଅଧିକାରୀଙ୍କୁ ପଚାରିଲେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।

error: Thank You Keep Visiting