ମା’ କ୍ଷୀର ହିଁ ଅମୃତ

An Independent Media

ଶିଶୁ ଦେଶ ତଥା ଜାତିର ଭବିଷ୍ୟତ । ମାନବ ଜାତିର ଭବିଷ୍ୟତ ଉଜ୍ଜ୍ୱଳ ତଥା ଉନ୍ନତ କରିବାକୁ ହେଲେ ସ୍ତନ୍ୟପାନର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଶିଶୁ ସୁସ୍ଥ, ସୁନ୍ଦର ଓ ହୃଷ୍ଟପୁଷ୍ଟ ହୋଇପାରିବାର ଲକ୍ଷ୍ୟ ରଖି ପର୍ଯ୍ୟାପ୍ତ ଜନସଚେତନତା ସୃଷ୍ଟି କରିବା ହେଉଛି ବିଶ୍ୱ ସ୍ତନ୍ୟପାନ ସପ୍ତାହ (ଅଗଷ୍ଟ ୧-୮)ର ଲକ୍ଷ୍ୟ । ପ୍ରକୃତରେ ମା’ କ୍ଷୀର ହିଁ ଅମୃତ ସମାନ । ଶିଶୁ ସ୍ୱାସ୍ଥ୍ୟ ଉନ୍ନତି ଓ ସମୃଦ୍ଧି ପାଇଁ ମା’ କ୍ଷୀରର ବିକଳ୍ପ ଖାଦ୍ୟ କିଛି ନାହିଁ । ଜନନୀ ଜଠରେ ଶିଶୁ ସ୍ୱାଭାବିକ ଭାବରେ ସୁରକ୍ଷିତ ହୋଇଥାଏ । ପ୍ରତ୍ୟେକ ଶିଶୁ ଜନ୍ମପରେ କେବଳ ମା’ କ୍ଷର ୬ ମାସ ବୟସ ପର୍ଯ୍ୟନ୍ତ ଖାଇବା ଉଚିତ । ତେବେ ଦୁଇ ବର୍ଷ ପର୍ଯ୍ୟନ୍ତ ଏବଂ ତା’ ପରେ ମଧ୍ୟ ସ୍ତନ୍ୟପାନ କରାଯାଇପାରେ । ଆମ ଦେଶରେ ବର୍ତ୍ତମାନ ବି ପ୍ରଥମ ଘଣ୍ଟା ଭିତରେ ସ୍ତନ୍ୟପାନ ମାତ୍ର ୩୨%, ଯଦି ଏହାକୁ ସଚେତନତା ମାଧ୍ୟମରେ ବଢ଼ାଯାଇପାରନ୍ତା, ତେବେ ଅନେକ ଶିଶୁଙ୍କୁ ଅକାଳ ମୃତ୍ୟୁ କବଳରୁ ରକ୍ଷା କରାଯାଇ ପାରନ୍ତା । ସୁଖର କଥା ଯେ, ଓଡ଼ିଶାର ଏ କ୍ଷେତ୍ରରେ ସ୍ଥାନ ହେଉଛି ଭାରତରେ ସପ୍ତମ ଯାହାକି ଖୁସିର ବିଷୟ ।

ଶିଶୁକୁ ସ୍ତନ୍ୟପାନ କରାଉଥିବା ମା ପାଇଁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚର ଅନୁମୋଦନ ଅନୁଯାୟୀ ମାଆଟି ପ୍ରଥମ ଛଅମାସରେ ଦୈନିକ ଅଧିକ ୫୫୦ କ୍ୟାଲୋରୀ ଓ ଦ୍ୱିତୀୟ ଛଅ ମାସ ମଧ୍ୟରେ ଅଧିକ ୪୦୦ କ୍ୟାଲୋରୀର ଖାଦ୍ୟ ଦରକାର କରିଥାଏ । ମାଆ କ୍ଷୀରରେ ଥିବା ପ୍ରୋଟିନ୍ (ଲାକ୍ଟ ଆଲବୁମିନ) ଏବଂ ଫ୍ୟାଟିଏସିଡ଼୍ ଲାକ୍ଟୋଜ୍ ଶିଶୁ ସହଜରେ ହଜମ କରିଥାଏ । ଏହା ଶିଶୁର ମସ୍ତିଷ୍କ ବୃଦ୍ଧି ଓ ବିକାଶରେ ସାହାଯ୍ୟ କରେ । ତେଣୁ ମା’କ୍ଷୀର ଖାଉଥିବା ଶିଶୁ ଭଲ ପାଠ ପଢ଼େ, ବିଶେଷ କରି ଭଲ ଗଣିତ କରେ ଏବଂ ପ୍ରତ୍ୟୁତ୍ପନ୍ନମତ୍ତିତା ବଢ଼ାଇ ଥାଏ । ମା କ୍ଷୀର ଅନ୍ତନାଳୀରେ କ୍ଷତିକାର ଜୀବାଣୁ ବୃଦ୍ଧି ବାଧା ଦିଏ । ତେଣୁ ଶିଶୁକୁ ସଂକ୍ରମଣ ଜନିତ ପେଟରୋଗ ଓ ଝାଡ଼ା ହୁଏନାହିଁ । ଶିଶୁର ପେଟ ଟଣା (କଲିକ୍) ଓ ବାୟୁଦୋଷ ରହେ ନାହିଁ । ଏହା ସଂପୂର୍ଣ୍ଣ ଦୂଷିତ କରଣରୁ ମୁକ୍ତ ।

ମା’କ୍ଷୀରରେ ପ୍ରଚୁର ପରିମାଣରେ ପୁଷ୍ଟିସାର, ସ୍ନେହସାର, ଜୀବସାର, ଲୌହ, ଜଳ, ଧାତବ ପଦାର୍ଥ ଓ ପାଚକରସ ରହିଥାଏ, ଯାହାକି ସମ୍ପୂର୍ଣ୍ଣ ରୂପେ ଜୀବାଣୁମୁକ୍ତ, ସଂକ୍ରମଣରହିତ ଓ ପରିସ୍କାର ଅଟେ । ଏହା କ୍ଷତିକାରକ ଜୀବାଣୁମାନଙ୍କୁ ଖାଦ୍ୟନଳୀରେ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଏହା ମା ଓ ଶିଶୁ ଉଭୟଙ୍କ ମଧ୍ୟରେ ଉଷ୍ମ ଆବେଗ ସୃଷ୍ଟି କରିଥାଏ । ମା’ମାନେ ହୁଏତ ଜାଣି ନଥାନ୍ତି ଯେ ଶିଶୁକୁ ସ୍ତନ୍ୟପାନ ଦ୍ୱାରା ପ୍ରସବୋତ୍ତର ରକ୍ତପାତ କମାଇ ଏହା ମା’ଟିକୁ ରକ୍ତହୀନତାରୁ ବଞ୍ଚାଇଥାଏ । ଏହା ସହ ଶରୀରରେ ଚର୍ବି ଜମିବାକୁ ଦିଏ ନାହିଁ ଓ ସ୍ତନକର୍କଟ ତଥା ଡିମ୍ବାଶୟ କର୍କଟ ରୋଗରେ ପ୍ରତିରୋଧକ ଭାବେ କାର୍ଯ୍ୟ କରିଥାଏ । ଶିଶୁଟି ମା’ କ୍ଷୀରକୁ ଟାଣି ଖାଇଲେ ଅକ୍ସିଟୋସିନ୍ ନାମକ ଏକ ହରମୋନ କ୍ଷରଣ ହୁଏ, ଯାହା ମା’ର ଜରାୟୁକୁ ପୂର୍ବାବସ୍ଥାକୁ ଫେରାଇ ଆଣିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କ୍ଷୀର ଖୋଉଥିବା ମା’କୁ ମାତ୍ର ୫୦୦ କ୍ୟାଲୋରୀରୁ ଅଧିକ ଖାଦ୍ୟ ଦେବା ଆବଶ୍ୟକ, ଯାହା କମ୍ ଖର୍ଚ୍ଚରେ ଘରୋଇ ଖାଦ୍ୟରୁ ମିଳିଥାଏ । ଦୁଃଖର ବିଷୟ ଅନେକ ମା ସମ୍ପ୍ରତି ସ୍ୱାସ୍ଥ୍ୟହାନିର କାରଣ ଦର୍ଶାଇ ନିଜ ଶିଶୁଟିକୁ ସ୍ତନ୍ୟପାନ ନ କରାଇ ଡବା କ୍ଷୀର ଉପରେ ନିର୍ଭରଶୀଳ ହେଉଛନ୍ତି । ସେମାନେ ମନେରଖିବା ଉଚିତ, ସ୍ତନ୍ୟପାନ ମା’ ଓ ଶିଶୁ ମଧ୍ୟରେ ସୂକ୍ଷ୍ମ ଯୋଗାଯୋଗ ସୃଷ୍ଟି କରାଇ ମା’ଟିକୁ କେବଳ ମାନସିକ ନୁହେଁ, ଆଧ୍ୟାତ୍ମିକ ଭାବରେ ତୃପ୍ତି ପ୍ରଦାନ କରିଥାଏ । ସ୍ତନ୍ୟପାନରେ କୌଣସି ଅସୁବିଧା ହେଲେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଅଭିଜ୍ଞ ଚିକିତ୍ସକଙ୍କ ପରାମର୍ଶ ନିଆଯାଇପାରେ, କିନ୍ତୁ ଯାହାବି ହେଲେ କ୍ଷୀର ପିଲାଟିକୁ ପ୍ରଦାନ କରାଯିବା ଜରୁରୀ ।

ପୁରାଣ କାହାଣୀ ଅନୁଯାୟୀ ପ୍ରଭାସ ଯଜ୍ଞ ସମୟରେ ଯଶୋଦା ଓ ଦେବକୀଙ୍କ ଭିତରେ କିଏ ଶ୍ରୀକୃଷ୍ଣଙ୍କର ପ୍ରକୃତ ମା’ ଭାବେ ବିତର୍କ ସୃଷ୍ଟି ହେବାରୁ ଦୁଇଜଣଙ୍କୁ ପରୀକ୍ଷା ଦେବାକୁ ହୋଇଥିଲା । ବାଳଗୋପାଳଙ୍କୁ ପ୍ରେମପୂର୍ଣ୍ଣ ଭାବେ ସ୍ମରଣ କରି ଯଶୋଦାଙ୍କ ବକ୍ଷ ତିନ୍ତିଯାଇଥିଲା । ତେଣୁ କେବଳ ଜଣେ ଜନ୍ମଦେଇଦେଲେ ମା ହୁଏନା । ଶିଶୁକୁ ସ୍ତନ୍ୟପାନ ଠାରୁ ଉପଯୁକ୍ତ ଲାଳନପାଳନର କ୍ଷେତ୍ର ହିଁ ଆରମ୍ଭ ହୋଇଥାଏ । ଏହା ଶିଶୁଟିକୁ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସମର୍ଥ ହୋଇଥାଏ । ପ୍ରତିବର୍ଷ ସ୍ତନ୍ୟପାନ ସପ୍ତାହ ଅବସରରେ ସରକାର ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ଚଳିତ ବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହକୁ ଗୁରୁତ୍ୱ ଦେଇ ‘ଜରୁରୀ କାଳୀନ ପରିସ୍ଥିତିରେ ମାତୃ ସ୍ତନ୍ୟପାନର ଗୁରୁତ୍ୱ’ ବିଷୟ ଶୀର୍ଷକ ରଖାଯାଇଛି । ଶିଶୁକୁ ସ୍ତନ୍ୟପାନ କରାଇବା ନିମନ୍ତେ ମା ମାନଙ୍କୁ ସଚେତନ ଓ ନୈତିକ ସମର୍ଥନ ଯୋଗାଇବା ସମସ୍ତଙ୍କର ଦାୟିତ୍ୱବୋଧ । ମା’କ୍ଷୀରର ଶକ୍ତି ଯେ କେବେ ବେଶୀ ତାହା ସମସ୍ତେ ଜାଣିଥାନ୍ତି । ତେଣୁ ଯଥାର୍ଥରେ କୁହାଯାଏ – ମା’ କ୍ଷୀର ସିନା ଅଟେ ଅମୃତ ସମାନ, ଅନ୍ୟ ଯେତେ ଖାଦ୍ୟ ତା’ଠାରୁ ନ୍ୟୂନ ।

error: Thank You Keep Visiting