ଏକୋହମ୍ ବହୁଷ୍ୟାମ୍

Straight to the Point

ମୁଁ ଥିଲି ଏକା, ସଂପୂର୍ଣ୍ଣ ନିଃସଙ୍ଗ । ଭାବିଲି, କିପରି ଏହି ନିଃସଙ୍ଗତାର ଯନ୍ତ୍ରଣା ଲାଘବ ହୁଅନ୍ତାକି? ତେଣୁ ନିଜକୁ ନିଜେ ଭଲପାଇବା (ପ୍ରେମ) ପାଇଁ ମୁଁ ନିଜକୁ ପରିଣତ କଲି ଅନେକରେ । ସୃଷ୍ଟି ହେଲା ଏକ ଅନନ୍ତବ୍ୟାପୀ ଅଖଣ୍ଡ ଶବ୍ଦ ଓଁ । କ୍ରମେ କ୍ରମେ ଆସିଲେ ଆକାଶ, ବାୟୁ, ଅଗ୍ନି, ଜଳ ଓ ଭୂମି । ଅନ୍ଧକାର ଉଭେଇ ଗଲା । ତାରକାମାନେ ଫୁଟି ଉଠିଲେ, ଠିକ୍ ବଗିଚାରେ ଫୁଲପରି । ଦିବ୍ୟଦ୍ରଷ୍ଟା ମହର୍ଷିମାନଙ୍କ ଅନ୍ତଃଚେତନାରେ ଝଙ୍କୃତ ହୋଇଉଠିଲା – “କାମସ୍ରଜଗ୍ରେ ସମବର୍ତ୍ତତାଧି, ମନସୋରେତିଃ ପ୍ରଥମଂ ଯଦାସୀତ୍ । ସତୋ ବଂଧୁମସିତ ନିର ବିନ୍ଦନ୍, ହୃଦି ପ୍ରତିଷ୍ୟା କବୟୋ ମନୀଷା । ।’ ପ୍ରଳୟର ଅବଧିଶେଷ ହେବାପରେ ପରମାତ୍ମା ସୃଷ୍ଟି ରଚନା ପାଇଁ ସଂକଳ୍ପ କରନ୍ତି । ପୁନରାୟ ସୃଷ୍ଟି ରଚନାର ପ୍ରୟୋଜନ କ’ଣ? ମନ୍ତ୍ରରେ ଏହାର ଉତ୍ତର ଦର୍ଶାଇ ଦିଆଯାଇଛି ଯେ, ପ୍ରଳୟ ପୂର୍ବରୁ ଯେଉଁ ସୃଷ୍ଟି ଥିଲା, ସେଥିରେ ଜୀବଗଣ ନିଜ ନିଜ ପୁଣ୍ୟାପୁଣ୍ୟ କର୍ମ ସଂପାଦନ କରିଥିଲେ । ପ୍ରଳୟ କାଳରେ ଏମାନେ ପ୍ରସୁପ୍ତ ଅବସ୍ଥାରେ ଥିବାରୁ ସୁଖ ଦୁଃଖାଦି କର୍ମଫଳ ଭୋଗ କରିପାରି ନଥିଲେ ।

ଏଣୁ ପୁନରାୟ ସୃଷ୍ଟିର ପ୍ରୟୋଜନ ହେଲା । (ଋଗ୍ବେଦ ସୌରଭ) ଲକ୍ଷ ଲକ୍ଷ ବର୍ଷ ଧରି ବିବର୍ତ୍ତନ ପ୍ରକ୍ରିୟାର ଶେଷରେ ଆସିଲା ବିଧାତାର ଶ୍ରେଷ୍ଠତମ ସୃଷ୍ଟି ଏହି “ମଣିଷ’ । ଯିଏକି ସ୍ରଷ୍ଟାର ଏହି ଅନନ୍ତ ରହସ୍ୟ ବୁଝିବାକୁ ଏକମାତ୍ର ସମର୍ଥ । ମଣିଷ ପରେ ପୃଥିବୀରେ ଏହାଠାରୁ ଆଉ ଅଧିକ ଯୋଗ୍ୟ ପ୍ରାଣୀ ଏଯାବତ୍ ସୃଷ୍ଟି ହୋଇନାହାନ୍ତି । “ଯହୁଁ ମାନବ ସୃଷ୍ଟି ହେଲା, ତହିଁ ବିଶ୍ରାମ ସର୍ବଲୀଳା । ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ ।’ (ଭାଗବତ) କିନ୍ତୁ ଏହି ଭବ୍ୟ ସୃଷ୍ଟିର ଯେ କର୍ଣ୍ଣଧାର ସେ ରହିଗଲେ ନାଟ୍ୟ ରଙ୍ଗମଞ୍ଚର ନେପଥ୍ୟରେ । ମାନବ “ନିଷିଦ୍ଧ ଫଳ’ ଖାଇ ହେଲା ଅଜ୍ଞାନ । କାଳକ୍ରମେ ଦେଖାଗଲା “ଯେତେ ମତି, ସେତେ ମତ’ । ଜଗତର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଦେଖାଗଲା ଅସଂଖ୍ୟ ବାଦ ବା ଗୋଷ୍ଠୀ । ସେମାନେ ମୋଟାମୋଟି ବିଭକ୍ତ ହୁଅନ୍ତି ଦୁଇ ଗୋଷ୍ଠୀରେ – “ସାକାର ଏବଂ ନିରାକାର’ ପନ୍ଥୀ । ଏ ତତ୍ତ୍ୱର ମୂଳଦୁଆ କିନ୍ତୁ ଅଛି ଅସ୍ଥିର ବାଲିଗଦା ଉପରେ, କେତେ ଦିନ ବା ସ୍ଥାୟୀ? କେତେ ଦିନ ସେ ତିଷ୍ଠି ପାରିବ? “ଭକ୍ତିହୀନ ଜ୍ଞାନ – ମୂଳଦୁଆ ନ ଥାଇ କାନ୍ଥ । ଜ୍ଞାନ ହୀନ ଭକ୍ତି, କାନ୍ଥ ନଥିବା ମୂଳଦୁଆ ।’ (ଭଗବାନ ସତ୍ୟସାଇ ବାବା) କାଳକ୍ରମେ ଏକେଶ୍ୱରବାଦର ଶ୍ରେଷ୍ଠ ପ୍ରବକ୍ତା ଆଚାର୍ଯ୍ୟ ଶଙ୍କରଙ୍କ “ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି’ ପ୍ରବର୍ତ୍ତିତ ହେଲା “ଜୀବ ବ୍ରହ୍ମୈ ବ କେବଳମ୍’ ତତ୍ତ୍ୱରେ ।

ଶେଷରେ ସେ ସ୍ୱୀକାର କଲେ – ପୁରୁଷ ଓ ପ୍ରକୃତି ହେଉଛନ୍ତି ଦୁଇ । ଅନ୍ୟ ନିରାକାରବାଦୀମାନେ ବି ବୁଝିଲେ ଯେ – “ନିରାକାର ବ୍ରହ୍ମ ସେତ ସାକାର ହୋଇ – ଯୁଗେ ଯୁଗେ ବିରାଜନ୍ତି ପାଳନ୍ତି ସେ ମହୀ ।’ (ସନ୍ଥକବି ଭୀମଭୋଇ) ଆଜିର ନିରାକାରବାଦୀ ଦିନେ ନା ଦିନେ ସାକାର ଥିଲେ ବା ଭବିଷ୍ୟତରେ ବି ହେବେ । କଳିଯୁଗର ପୂର୍ଣ୍ଣାବତାର ଭଗବାନ ଶ୍ରୀ ସତ୍ୟସାଇ ଏକଦା ପ୍ରଫେସର ଜନ ହିସଲପଙ୍କୁ ପ୍ରଶ୍ନୋତ୍ତରରେ କହିଲେ “ଯେତେବେଳେ ମୁଁ ପୁରୁଷ ଲୋକଙ୍କ ସହ ଥାଏ ମୁଁ ସେତେବେଳେ ଜଣେ ପୁରୁଷ, ଯେତେବେଳେ ମୁଁ କିଛି ସ୍ତ୍ରୀ ଲୋକଙ୍କ ସହ ଥାଏ ସେତେବେଳେ ମୁଁ ଜଣେ ସ୍ତ୍ରୀ, ଯେତେବେଳେ ବାଳକମାନଙ୍କ ସହ ଥାଏ ସେତେବେଳେ ମୁଁ ଜଣେ ବାଳକ, ମାତ୍ର ମୁଁ ଯେତେବେଳେ ଏକୁଟିଆ ଥାଏ ସେତେବେଳେ ମୁଁ ସ୍ୱୟଂ ପରବ୍ରହ୍ମ ।’ ଜୀବ ବିଜ୍ଞାନୀମାନେ କହନ୍ତି ଜୀବନର ଦୁଇଟି ଅବସ୍ଥା – “ବ୍ୟକ୍ତି ଓ ଅବ୍ୟକ୍ତ’ । ଉପଯୁକ୍ତ ପରିବେଶ ଆସିଲେ ନିର୍ଜୀବ ହୁଏ ସଜୀବ । ଧାନ ମଞ୍ଜିର ଏକ କ୍ଷୁଦ୍ର ଅଂଶରେ ଥାଏ – ଚେର, ମୂଳ, କାଣ୍ଡ, ପତ୍ର, ଫଳ ଓ ପୁନର୍ବାର ଧାନ ହେବାର ସମସ୍ତ ନକ୍ସା (ସଂଭାବନା) ମଧ୍ୟରେ ସଂରକ୍ଷିତ ଥାଏ । ଆଜିର ଗୋଟିଏ ମାତ୍ର ଶସ୍ୟ ଦାନାରେ ଭବିଷ୍ୟତର ଶହ ଶହ ଦ୍ରୁମ ସଂଗୁପ୍ତ ଥାଏ ।

error: Thank You Keep Visiting