ଶାଶ୍ୱତ ପ୍ରେମ ହିଁ ଈଶ୍ୱର-ବାବା ବୈକୁଣ୍ଠ ନାଥ

Straight to the Point
ଡ଼ଃ ସୁବାଷ ଚନ୍ଦ୍ର ମହାପାତ୍ର କେନ୍ଦ୍ରାପଡ଼ା, ଓଡ଼ିଶା

ନାନାବିଧ ସଂସ୍କୃତି, ବିଶ୍ୱାସ ଓ ସାମାଜିକ ଚଳଣୀରେ ଉଭା ଏ ଦେଶ ଭାରତବର୍ଷ ଏକ ଋଷି ପରମ୍ପରା ଓ ସଭ୍ୟତାର ଦେଶ । ଯେତେ ପାର୍ôଥବ ଉତ୍ଥାନ ପତନ ଭିତରେ ଗତି କରୁଥିଲେ ବି ଏ ଦେଶର ଜନମାନସ ସର୍ବାଗ୍ରେ ଗ୍ରହଣ କରିନିଏ ଗୁରୁ, ମୁନି, ଋଷି ଓ ସନ୍ନ୍ୟାସୀମାନଙ୍କର ମାର୍ଗଦର୍ଶନକୁ । ସେଇମାନେ ହିଁ ନିଜ ନିଜର ସଦା·ର, ସଦ୍ବାଣୀ ଓ ସତ୍ ଉପଦେଶଦାନରେ ବିପଥଗାମୀ ଜନତାଙ୍କୁ ମାର୍ଗଦର୍ଶନ ଦେଇଥାନ୍ତି ।
ଦେଶକୁ ପରାଧୀନତାର ବନ୍ଧନରୁ ମୁକ୍ତି କରିବା ପାଇଁ ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ ସେଥିପାଇଁ ଆକୁମାରୀ ହିମାଚଳରେ ଏକକ ଜନନାୟକ ହୋଇ ଉଭା ହୋଇଥିଲେ । ତାଙ୍କର ଆଦେଶରେ ଅନୁପ୍ରାଣିତ ହୋଇ ଅନେକ ସଦା·ରୀ ଗୃହୀ ତଥା ସନ୍ୟାସୀ ଦେଶ ସେବା ପାଇଁ ଲାଗି ପଡ଼ିଲେ । ସେମାନଙ୍କ ମଧ୍ୟରେ ସନ୍ୟାସୀ ବ୍ରତରେ ଦୀକ୍ଷିତ ବ୍ରହ୍ମ·ରୀ ବୈକୁଣ୍ଠନାଥ ତକ୍ରାଳୀନ କଟକ ଜିଲ୍ଲାର ମାହାଙ୍ଗା ଥାନା ଅନ୍ତର୍ଗତ ଜଳୌକା ପାହାଡ଼ର ମଣିନାଗ ଗୁମ୍ଫା ଓ ଅହିବଟ ମୂଳରୁ ସ୍ୱାଧୀନତା ସଂଗ୍ରାମୀର କାର୍ଯ୍ୟ ନିର୍ବାହ କରିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଜୀବନର ଉତ୍ତରଣ ପଥରେ ନିଜର ସାଧନ ଭଜନରେ ବ୍ୟାପୃତ ରହୁଥିଲେ । ନିର୍ଜନ ନଣ୍ଡା ପାହାଡ଼ରେ ତପସ୍ୟାରତ ରହିବା ସହିତ ସ୍ୱଭାଷା ସାହିତ୍ୟର ଉନ୍ନତି ପାଇଁ ବିପୁଳ ଆଧ୍ୟାମିôକ ସାହିତ୍ୟ ରଚନା କରି ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିଲେ । ପ୍ରତିଷ୍ଠା କରିଥିଲେ ଅନନ୍ୟ ଅଧ୍ୟାତ୍ମିକ ପତ୍ରିକା ଜଳୌକାବାଣୀ ଯାହା ୧୯୬୨ ମସିହାରୁ ଏଯାବତ୍ ନିରବଚ୍ଛିନ୍ନ ଭାବରେ ପ୍ରକାଶ ପାଇ ଆସୁଅଛି । କେବଳ ଜଣେ ଅଧ୍ୟାମିôକ ସାହିତ୍ୟ ସ୍ରଷ୍ଟା ନୁହଁନ୍ତି, ବାଦ୍ୟଯନ୍ତ୍ରର ମଧୁର ମୂର୍ଚ୍ଛନାରେ ପଶୁ, ପକ୍ଷୀ, ସରୀସୃପ ତଥା ସାଧାରଣ ଜନତାକୁ ସ୍ତବ୍ଧ ଚକିତ କରିପାରୁଥିଲେ । ଜଣେ ସଦ୍ଗୁରୁ ଭାବରେ ଜୀବେଦୟା, ପରୋପକାର ଓ ସମାଜ ସଂସ୍କାରକ ଭୂମିକାରେ ସାରାଜୀବନ ଅତିବାହିତ କରିଥିଲେ । ପଥଭ୍ରଷ୍ଟ ସମାଜକୁ ସତ୍ପଥରେ ଚଳାଇବା ପାଇଁ ନିଜ ଅନୁଗତ ଭକ୍ତ ଶିଷ୍ୟମାନଙ୍କୁ ଜଣେ ଜଣେ ‘ସତ୍ୟ ସେବକ’ ଭାବରେ ନିର୍ମାଣ କରିବାକୁ ଲାଗି ପଡ଼ିଥିଲେ । ଏଥିପାଇଁ ସ୍ଥାନେ ସ୍ଥାନେ ‘ସତ୍ୟସେବା ମଣ୍ଡଳ’ ଗଠନ କରି ତା’ର ମାର୍ଗଦର୍ଶନ ଦେଉଥିଲେ । ଦର୍ଶନ ମାତ୍ରକେ ପରକୁ ଆପଣାର କରୁଥିଲେ । ବଣର କୋକୀ, ସରୀସୃପ, ବାନର ତଥା ଶ୍ୱାନମାନେ ତାଙ୍କର ପାଦରେ ଲୋଟି ପଡୁଥିଲେ । ବୈକୁଣ୍ଠ ନାଥ କୁହନ୍ତି ଶାଶ୍ୱତ ପ୍ରେମ ହିଁ ମଣିଷ ଜୀବନର ମୂଳଧନ । ସମସ୍ତେ ସେଇଥିରେ ହିଁ ବଶୀଭୂତ ହୋଇଥାନ୍ତି । ଈଶ୍ୱର ଏଇ ପ୍ରେମ ଭିନ୍ନ ଅନ୍ୟ କିଛି ନୁହଁନ୍ତି । ସେ ରାମ, କୃଷ୍ଣ, ଯୀଶୁ, ଆଲ୍ଲା ହୋଇପାରନ୍ତି । ସେ ସମସ୍ତଙ୍କ ପାଇଁ ସମାନ ତାଙ୍କୁ ପାଇବାକୁ ହେଲେ ବୈକୁଣ୍ଠ ନାଥଙ୍କ ଭାଷାରେ
“ପାଇବୁ କାନ୍ଦି ଖୋଜିଲେ ଅନ୍ତର ଶୁଦ୍ଧିରେ”
ଶୁଦ୍ଧ ହୃଦୟରେ ଶାଶ୍ୱତ ପ୍ରେମ ଜନ୍ମ ନିଏ । ତାଙ୍କୁ ପାଇବାର ବ୍ୟାକୁଳତା ହିଁ ଈଶ୍ୱରଙ୍କୁ ଭକ୍ତର ନିକଟତର କରାଏ । ଏହି ମହାନ୍ ଧର୍ମଭିକ୍ଷୁ, ପରମ ଆଧ୍ୟାତ୍ମିକ ପୁରୁଷାକାର ୧୯୩୩ ମସିହରେ ଯେଉଁ ବିଜୟ ଅମାବାସ୍ୟାର ପବିତ୍ର ବ୍ରାହ୍ମ ମୁହୂର୍ତ୍ତିରେ ଗୁରୁଙ୍କ ଆଜ୍ଞାରେ ଜଳୌକା ମଣିନାଗ ଗୁମ୍ଫାରେ ପାଦ ଦେଇଥିଲେ ସେଇ ପୂଣ୍ୟ ତିଥିରେ, ୨୦୦୧ ଜୁନ୍ ମାସ ୨୧ ତାରିଖ ବିଜୟ ଅମାବାସ୍ୟା ନେତ୍ରୋତ୍ସବର ବ୍ରାହ୍ମ ମୁହୂର୍ତ୍ତରେ ଦିବ୍ୟଧାମ ଯାତ୍ରା କଲେ, ତାଙ୍କର ଆଶୀର୍ବାଦ ନିରବଚ୍ଛିନ୍ନ ଭାବରେ ଜନତାଙ୍କୁ ପ୍ରାପ୍ତ ହେଉଥାଉ, ଏହା ହିଁ ପ୍ରାର୍ଥନା ।

error: Thank You Keep Visiting