ଶ୍ରୀକ୍ଷେତ୍ରେ ଶ୍ରୀଗୁଣ୍ଡିଚା ଯାତ୍ରା

Straight to the Point
ବିପିନ ବିହାରୀ ମହାନ୍ତି

ଅଧ୍ୟକ୍ଷ,ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ, ବିପିନ ବିହାରୀ ପାଠାଗାର,ଜଟଣୀ

ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା କେବଳ ଓଡ଼ିଶାରେ ନୁହେଁ, ଭାରତର ବିଭିନ୍ନ ପ୍ରାନ୍ତରେ ପାଳିତ ହୁଏ । ଏବେ ବିଦେଶରେ ମଧ୍ୟ ଏହା ପାଳିତ ହେଉଛି । ତେବେ ରଥଯାତ୍ରା କହିଲେ ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରାକୁ ବୁଝାଏ । ଏହି ଯାତ୍ରାରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନ ଚକ୍ର ଅର୍ଥାତ୍ ଜୀଉମାନେ ଶ୍ରୀମନ୍ଦିର ପରିତ୍ୟାଗ କରି ନବଦିନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି । ଏଣୁ ଏହି ଯାତ୍ରାକୁ ଶ୍ରୀଗୁଣ୍ଡିଚା ଯାତ୍ରା କୁହନ୍ତି । ଏହି ଯାତ୍ରାର ଅନ୍ୟାନ୍ୟ ନାମ ହେଲା-ନୀଳାଦ୍ରୀଯାତ୍ରା, ଘୋଷଯାତ୍ରା,ପତିତପାବନ ଯାତ୍ରା ତଥା ମହାବେଦୀ ଯାତ୍ରା । ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ ପୁଷ୍ୟାନକ୍ଷତ୍ର ଯୁକ୍ତ ଶୁକ୍ଲ ଦ୍ୱିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ଅଣବସର ପରେ ଆଷାଢ଼ ଅମାବାସ୍ୟା ଦିନ ନେତ୍ରତ୍ସୋବ ଓ ନବଯୌବନ ଦର୍ଶନ ପରେ ଏ ଯାତ୍ରା ପାଳିତ ହୁଏ ।
ରଥଯାତ୍ରା ନିମନ୍ତେ ରଥଗୁଡ଼ିର ନିର୍ମାଣ କାର୍ଯ୍ୟ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଥାଏ । ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ତିନିଟି ରଥ ନିର୍ମିତ ହୁଏ । ଶ୍ରୀଜଗନ୍ନାଥଙ୍କ ରଥର ନାମ ‘ନନ୍ଦିଘୋଷ’ । ଏଥିରେ ୭୪୨ ଖଣ୍ଡ କାଠ ଲାଗିଥାଏ । ଏହି ରଥର ଉଚ୍ଚତା ୩୩ ହାତ, ୫ ଆଙ୍ଗୁଳି । ଏଥିରେ ଅଷ୍ଟାଦଶ ସିଦ୍ଧିର ପ୍ରତୀକ ଭାବେ ୧୮ଟି ଚକ ଥାଏ: କିନ୍ତୁ ଅଭିଲିଖିତରେ ଏହି ସଂଖ୍ୟା ୧୬ ଅଟେ । ଏହି ରଥ ପିତନାଲି ବର୍ଣ୍ଣର ବସ୍ତ୍ର ଦ୍ୱାରା ଆବୃତ । ଏହି ରଥର ରକ୍ଷକ : ନୃସିଂହ ; ସାରଥୀ : ଦାରୁକ : ଏଥିରେ ଦୂତ ଥିବା ଅଶ୍ୱମାନେ ଧଳା ରଙ୍ଗର । ସେମାନଙ୍କର ନାମ ହେଲା-ରେଚିକା,ମୋଚିକା,ସୁଖ୍ମା ଓ ଅମୃତା । ପାଶ୍ୱର୍ ଦେବତା ରୂପେ ଦକ୍ଷିଣ ଭାଗରେ ଥାନ୍ତି : ବରାହ, କୃଷ୍ଣ ଓ ଗୋପୀନାଥ; ପଶ୍ଚାତ୍ଭାଗରେ ଥାନ୍ତି : ନୃସିଂହ, ରାମ ଓ ନାରାୟଣ; ବାମଭାଗରେ ଥାନ୍ତି: ତ୍ରିବିକ୍ରମ, ହନୁମାନ ଓ ରୁଦ୍ର ଏବଂ ସମ୍ମୁଖ ଭାଗରେ ଥାନ୍ତି: ଇନ୍ଦ୍ର,କୃଷ୍ଣ ଓ ସପ୍ତର୍ଷି । ଏହି ରଥର ଶୀର୍ଷରେ ଚକ୍ର ଓ ଗରୁଡ଼ ଅଦୃଶ୍ୟ ଥିବାରୁ, ଏ ରଥର ନାମ ଗରୁଡ଼ଧ୍ୱଜ ବୋଲି ରଖାଯାଇଛି । ଏଥିର ଋଷି ହେଉଛନ୍ତି ‘ପଣ୍ଡୁ’ । ଏଥିରେ ଲାଗିଥିବା ଶୁଆର ନାମ : ଶିବ ଓ ପରମ । ରଥର ଦଧିନଉତି ଓ ନେତର ନାମ ଯଥାକ୍ରମେ- ହରିଣ୍ୟଗର୍ଭ ଓ ଉନ୍ମାନା । ଏହାର ଦ୍ୱାରପାଳ : ଜୟବିଜୟ ଏବଂ ରଥଦେବୀ ହେଉଛନ୍ତି : ଯୋଗମାୟା ।
ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ । ଏହାର ଶୀର୍ଷରେ ‘ତାଳ’ ଥିବାରୁ ଏହାର ନାମକରଣ ଏପରି ହୋଇଅଛି । ଏଥିରେ ଲାଗିଥିବା କାଠ ସଂଖ୍ୟା-୭୩୧; ଏହାର ଉଚ୍ଚତା-୩୨ ହାତ, ୧୦ ଆଙ୍ଗୁଳି; ଏଥିରେ ୧୬ଟି କଳାର ପ୍ରତୀକ ଭାବେ ୧୬ଟି ଚକ ଥାଏ ; କିନ୍ତୁ ଅଭିଲିଖିତ ତଥ୍ୟ ଅନୁସାରେ ଏହି ସଂଖ୍ୟା ୧୪ ଅଟେ । ଏ ରଥ ନୀଳ ଓ ନାଲି ବସ୍ତ୍ରଦ୍ୱାରା ଆବୃତ । ଏହାର ରକ୍ଷକ; ଶେଷ(ବାସୁଦେବ); ସାରଥି; ସୁଦ୍ୟୁମ୍ନ(ମାତଳୀ); ଏଥିରେ ସଂପୃକ୍ତ ଅଶ୍ୱମାନେ ମାନେ ହେଲେ କୃଷ୍ଣବର୍ଣ୍ଣ ଏବଂ ସେମାନେ ହେଲେ: ସ୍ଥିରା, ଧୃତି, ସ୍ଥିତି ଓ ସିଦ୍ଧା । ପାଶ୍ୱର୍ଦେବତା ଭାବେ ଦକ୍ଷିଣ ଭାଗରେ ଗଣେଶ, କାର୍ତିକେୟ ଓ ତ୍ରିମ୍ବକ; ବାମଭାଗରେ ନାତାମ୍ବର, ଗଜାନ୍ତକ, ଶେଷଦେବ ଓ ମହେଶ୍ୱର । ପଶ୍ଚାତ୍ ଭାଗରେ ହଳାୟୁଧ, ମୃତ୍ୟୁଞ୍ଜୟ, ହରିହର ଓ ସମ୍ମୁଖ ଭାଗରେ ରୁଦ୍ର, ସାତ୍ୟକୀ ଓ ଅଷ୍ଟବସୁ ଥାଆନ୍ତି । ଏ ରଥର ପାଶ୍ୱର୍ ଦେବତାମାନେ ରୁଦ୍ର ସଂପ୍ରଦାୟର । ଏହାର ଦଧିନଉତି ଓ ଶୁଆର ନାମ ଯଥାକ୍ରମେ ଭୁବନକୋସ ଓ ଦ୍ୱାସୁପୂର୍ଣ୍ଣ । ଏହି ରଥର ଋଷି ଓ ନେତଙ୍କର ନାମ ଯଥାକ୍ରମେ-ଅଙ୍ଗୀରା ଓ ଉନ୍ମନି । ଏହାର ଦ୍ୱାରପାଳ ହେଉଛନ୍ତି – ନନ୍ଦ, ସନନ୍ଦ ।
ସୁଭଦ୍ରାଙ୍କ ରଥର ନାମ ‘ଦେବଦଳନ ବା ଦର୍ପଦଳନ ବା ପଦ୍ମ୍ଧ୍ୱଜ’ା ଏଥିରେ ବ୍ୟବହୃତ କାଠସଂଖ୍ୟା ୭୧୧ । ଏହାର ଉଚ୍ଚତା ୩୧ ହାତ; ଏଥିରେ ୪ ହାତ ପରିଧି ବିଶିଷ୍ଟ ଚତୁର୍ଥ ଭୁବନର ପ୍ରତୀକ ସ୍ୱରୂପ ୧୪ଟି ଚକ ଥାଏ । ମାତ୍ର ଅଭିଲିଖିତ ବା ରେକର୍ଡଭୁକ୍ତ ତଥ୍ୟ ଅନୁସାରେ ଏହି ସଂଖ୍ୟା ୧୨ ଅଟେ । ଏହା କୃଷ୍ଣ ଓ ଲୋହିତବର୍ଣ୍ଣ ବସ୍ତ୍ର ଦ୍ୱାରା ଆବୃତ । ଏହାର ରକ୍ଷକ ହେଉଛନ୍ତି ବନଦୁର୍ଗା ; ସାରଥୀ ହେଉଛନ୍ତି ଅର୍ଜୁନ ଏବଂ ୪ ଅଶ୍ୱଙ୍କ ନାମ ହେଉଛି ଅଧର୍ମ, ଅଜ୍ଞାନ, ଅପରାଜିତା ଓ ଜିତା(ପ୍ରଜ୍ଞା, ଅନୁଜ୍ଞା, ଘୋରା ଓ ଅଘୋରା) । ଏହାର ଦ୍ୱାରପାଳିକା ହେଉଛନ୍ତି ଗଙ୍ଗା ଓ ଯମୁନା । ଦର୍ପଦଳନ ରଥ ନେତର ନାମ -ନାଦାମ୍ବିକା ଓ ଋଷିଙ୍କ ନାମ ଯାଜ୍ଞବାଲ୍ୟକ । ଦ୍ୱାରପାଳିକା ହେଲେ-ଗଙ୍ଗା, ଯମୁନା । ଏହି ରଥର ଦକ୍ଷିଣ ଭାଗରେ ଅଛନ୍ତି : ଚଣ୍ଡୀ, ଚାମୁଣ୍ଡା ଓ ଉଗ୍ରତାରା; ପଶ୍ଚାତ୍ଭାଗରେ ଅଛନ୍ତି : ବନଦୁର୍ଗା, ମହିଷାମର୍ଦ୍ଦିନୀ ଓ ବରାହୀ; ବାମ ଭାଗରେ ଥାଆନ୍ତି; ଶ୍ୟାମାକାଳୀ, ମଙ୍ଗଳା ଓ ବିମଳା ଏବଂ ସମ୍ମୁଖ ଭାଗରେ ଥାଆନ୍ତି ଶ୍ରୀଦେବୀ, ଭୂଦେବୀ ଓ ଅଷ୍ଟଭୈରବୀ । ଏମାନେ ସମସ୍ତେ ଶକ୍ତିରୂପିଣୀ ଭାବେ ସ୍ଥାନ ପାଇଥାନ୍ତି ।
ଏଠାରେ ସୂଚୀତ କରାଇ ଦେଉ ଯେ ସୁଭଦ୍ରାଙ୍କ ରଥ ଅର୍ଥାତ୍ ‘ଦର୍ପଦଳନ’ ରଥରେ ସୁଦର୍ଶନଙ୍କ ସହ ସୁଭଦ୍ରା ବିଜେ କରିଥାନ୍ତି । ରଥ ନିର୍ମାଣର ମୁଖ୍ୟ ଅଂଶଗୁଡ଼ିକ ହେଲେ ଚକ୍ରଦାଣ୍ଡିଆ, ଅର, ବାଙ୍କୀ, ହଂସପଟା, କଣି, ଶଙ୍ଖଦ୍ୱାର, ଜାଲି, ଗଙ୍ଗପଟା, ସିଂହାସନ, କନକ ମୁଣ୍ଡାଇ, ଭୂମି, ଷୋଳବାହନ, ମକରଦଣ୍ଡା, ବସନ୍ତ, ଦ୍ୱାରଘୋଡ଼ା, ସାରଥୀପିଢ଼ି, କୁମ୍ଭପାଟି, ରାହୁପାଟି, ଆଠନାହାକା,ପିଢ଼,ଚାଷୀପଟା,ଦଣ୍ଡା, ପାରାଭାଡ଼ି, ଖପୁରୀ,ପାଦ, ଓଲଟାଶୁଆ, ଦଧିନଉତି, କଣ୍ଠି, ଦଣ୍ଡ, କଳସ ଓ କେତନ ।
ଆଷାଢ଼ ଶୁକ୍ଲପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରା ଆରମ୍ଭ ହୁଏ । ସେଦିନ ଜୀଉମାନଙ୍କୁ ଧାଡ଼ି ପହଣ୍ଡି ବିଜୟକ୍ରମେ ରଥାରୁଢ଼ କରାଯାଏ । ପ୍ରଥମେ ସୁଦର୍ଶନ, ତାପରେ ଯଥାକ୍ରମେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ରଥକୁ ବିଜେ କରାଯାଏ । ଏହାପରେ ବଳଭଦ୍ର ଓ ଜଗନ୍ନାଥଙ୍କ ରଥକୁ ଯଥାକ୍ରମେ, ରାମକୃଷ୍ଣ ଓ ମଦନମୋହନଙ୍କୁ ନିଆଯାଏ । ଏହାପରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା କାର୍ଯ୍ୟ କରାଯାଏ । ସେ ବଳଭଦ୍ରଙ୍କ ରଥ ପରେ ଶ୍ରୀଜଗନ୍ନାଥଙ୍କ ରଥ ଏବଂ ଶେଷରେ ସୁଭଦ୍ରାଙ୍କ ରଥ ଛେରାପହଁରା କରନ୍ତି । ଏହା ପରେ ଆରମ୍ଭ ହୁଏ ରଥଟଣା । ପ୍ରଥମେ ବଳଭଦ୍ରଙ୍କ ରଥ ଟଣା ହୁଏ, ଏହାପରେ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାଯାଏ ଏବଂ ଏହି କ୍ରମରେ ତିନିରଥଙ୍କୁ ଘଂଟ, ହୁଳହୁଳି ଓ ହରିବୋଲ ଧ୍ୱନିରେ ଓ ପଟୁଆରରେ ଗୁଣ୍ଡିଚା ମନ୍ଦିରରେ ଲଗାଯାଏ । ଏଥୁଅନ୍ତେ ଜୀଉମାନଙ୍କୁ ଗୋଟି ପହଣ୍ଡି ଯୋଗେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରାଯାଏ । ଯେଉଁଠି ସେ ଆଷାଢ଼ ଶୁକ୍ଲ ନବମୀ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି ।
ରଥଯାତ୍ରାର ଚତୁର୍ଥ ଦିବସରେ ହେରାପଂଚମୀ ବା ରଥେ ବିଜୟଉତ୍ସବ ପାଳିତ ହୁଏ । ସପ୍ତମୀ ଦିନ ସଂଧ୍ୟା ଦର୍ଶନ ହୁଏ ; ଅଷ୍ଟମୀ ଦିବସରେ ରଥଗୁଡିକର ଦକ୍ଷିଣମୋଡ଼ କରାଯାଏ ଏବଂ ନବମୀ ଦିବସ ଅର୍ଥାତ୍ ଦଶମୀ ତିଥି ବା ବାହୁଡ଼ାଯାତ୍ରା ଓ ଲକ୍ଷ୍ମୀନାରାୟଣ ଭେଟ ହୁଏ । ଏକାଦଶୀ ଦିନ ରଥରେ ସୁନାବେଶ ଦର୍ଶନ ହୁଏ ଏବଂ ଦ୍ୱାଦଶୀ ଦିନ ଅଧରପଣା ଉତ୍ସବ ଏବଂ ତାପରେ ଠାକୁରେ ନୀଳାଦ୍ରୀ ବିଜେ ସମୟରେ ଯେହେତୁ ଜଗନ୍ନାଥ ଲକ୍ଷ୍ମୀଙ୍କୁ ଗୁଣ୍ଡିଚା ବିଜେରେ ସଙ୍ଗରେ ନେଇନଥିଲେ ସେହି କାରଣରୁ ଜଗନ୍ନାଥଙ୍କ ଉପରେ ଅଭିମାନ ଓ ରୋଷଜନିତ ଏକ କଳିହୁଏ । ଯେଉଁଥିପାଇଁ ଲକ୍ଷ୍ମୀ ଜଗନ୍ନାଥଙ୍କୁ ମନ୍ଦିରକୁ ସହଜେ ପ୍ରବେଶ କରାଇ ଦିଅନ୍ତି ନାହିଁ । ଏହି କଳିରେ ଉଭୟଙ୍କ ତରଫରୁ ସେବାୟତମାନେ ନାନା ଯୁକ୍ତି ଉପସ୍ଥାପନା କରନ୍ତି । ଶେଷରେ ମହାଲକ୍ଷ୍ମୀଙ୍କୁ ଶ୍ରୀଜଗନ୍ନାଥଙ୍କର ରସଗୋଲା ଉପହାରରେ ଏହି କଳିର ପରିସମାପ୍ତି ଘଟେ । ଏହା ଦାମ୍ପତ୍ୟ ପ୍ରେମର ମାନ ଅଭିଯାନ ତଥା ପରସ୍ପର ପ୍ରତି ନିଗୁଢ଼ ଆନ୍ତରିକତାର ଏକ ବାସ୍ତବ ଚିତ୍ର ।
ରଥଯାତ୍ରାରେ ବ୍ୟବହୃତ ତିନୋଟି ରଥ ଆର୍ଯ୍ୟସତ୍ୟର ପ୍ରତୀକ ରୂପେ କଳ୍ପନା କରାଯାଇଛି । ଏହାକୁ ତିନିତାଳରେ ବିଭକ୍ତ କରି କେହି କେହି କୁହନ୍ତି- ଉପର ମହଲାରେ ସହସ୍ର ଦଳପଦରେ ସ୍ୱୟଂ ମହାପ୍ରଭୁ, ମଧ୍ୟମ ମହଲାରେ ପାଶ୍ୱର୍ ଦେବାଦେବୀ ଓ ତଳ ମହଲାରେ କାମ, କ୍ରୋଧ,ଲୋଭ,ମୋହ, ମଦ ଓ ମାତ୍ସାର୍ଯ୍ୟା ଆଦି ଅବସ୍ଥାପିତ ବୋଲି କୁହନ୍ତି । ଏହି ତଳମହଲାରେ ସର୍ବଦା ଈର୍ଷା, ଦ୍ୱେଶ,କେଁ କଟର,ଘାତ, ପ୍ରତିଘାତ, ନ୍ୟାୟ, ଅନ୍ୟାୟ, ସୁବିଧା, ନାନା ଅସୁବିଧା ମାନ ବିରାଜମାନ । ଯେଉଁମାନେ କି ଏଠାରେ ରଥର ଚକ ।
ଶ୍ରୀଜଗନ୍ନାଥ କାଷ୍ଠନିର୍ମିତ ପ୍ରତୀକାତ୍ମକ ଠାକୁର । ଏ ରଥଯାତ୍ରା ମଧ୍ୟ ତାଙ୍କ ପ୍ରତୀକାତ୍ମକ ଯାତ୍ରା ଯାହା ବଡ଼ଦାଣ୍ଡକୁ ପବିତ୍ର କରାଏ ଏବଂ ତାରି ସ୍ପର୍ଶରେ ପାପୀ ହୁଏ ପାପମୁକ୍ତ । ଶାସ୍ତ୍ର ମତେ ରଥ ଉପରେ ଶ୍ରୀଜୀଉମାନଙ୍କ ଦର୍ଶନରେ ଜୀବନ ଧନ୍ୟ ହୋଇଥାଏ ଏବଂ ପୁର୍ନଜନ୍ମର ଅନ୍ତ ଘଟେ । ନଷ୍ୟଧମ୍ ମହାକାବ୍ୟରେ ଲେଖାଅଛି :
‘ଦୋଳାରୁଢ଼ଂ ତୁଗୋବିନ୍ଦମ୍ ମଂଚସ୍ଥ ମଧୁସୁଦନମ୍
ରଥସ୍ତ୍ୱଂବାମନଂଦୃଷ୍ଟ୍ୱା ପୁର୍ନଜନ୍ମ ନବିଦ୍ୟତେ ।।’

error: Thank You Keep Visiting