ମାତୃଭୂମିର ସଚ୍ଚାସେବକ ଖୁଦିରାମ

Straight to the Point

ଦିନେ ପିଲାମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ କକ୍ଷ ମ୍ମରେ ଥିବା ମହାପରୁଷଙ୍କ ଫଟୋଚିତ୍ର ଦେଖୁଥିଲେ । ଗୋଟିଏ ଫଟୋକୁ ନେଇ ସେମାନଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଲା । ସେମାନଙ୍କ ଯୁକ୍ତିତର୍କ ଶୁଣି ପ୍ରଧାନ ଶିକ୍ଷକ ଆସି ପହଞ୍ôଚଲେ । ସେ ସେମାନଙ୍କ ଯୁକ୍ତିତର୍କର କାରଣ ବୁଝିବାକୁ ଚାହିଁଲେ ଓ ଜାଣିଲେ । ଶେଷରେ ସେ କହିଲେ ଏ ଫଟୋଚିତ୍ର ଭାରତବର୍ଷର ଜଣେ ମହାନ୍ ଦେଶପ୍ରେମୀଙ୍କର ଯେ କି ଛୋଟବେଳରୁ ବଡ ବଡ କଥା ଚିନ୍ତା କରୁଥିଲେ । ଦେଶ ପାଇଁ କାମ କରି ଶେଷରେ ସେ ପ୍ରାଣବଳି ଦେଲେ । ପିଲାମାନଙ୍କ ମଧ୍ୟରୁ ଦୁଇ ଜଣ ଅତି ଆଗ୍ରହର ସହିତ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କଲେ । ଅନ୍ୟ ଜଣେ କହିଲା ସାର୍ ତାଙ୍କ ନାମ ପ୍ରଥମେ କୁହନ୍ତୁ । ଶେଷରେ ପ୍ରଧାନ ଶିକ୍ଷକ ଉତ୍ତର ଦେଲେ ଫଟୋଚିତ୍ରଟି ଦେଶପ୍ରେମୀ ଖୁଦିରାମ ବୋଷଙ୍କର । ଆଉ ରହିଲା ତାଙ୍କ ବିଷୟରେ ଜାଣିବାର କଥା । ତୁମେ ସବୁ ବସ, ମୁଁ ଯାହା କହୁଛି ଶୁଣ । ଶିକ୍ଷକ କହି ଚାଲିଲେ ।
ସେଦିନ ଥିଲା ୧୮୮୯ ମସିହା ଡିସେମ୍ବର ମାସ ୩ ତାରିଖ । ଓଡିଶାର ମେଦିନୀପୁର ଜିଲ୍ଲାର ମୋହବଣୀ ଏକ ଗ୍ରାମ । ସେଠାରେ ଜନ୍ମଗ୍ରହଣ କଲେ ଖୁଦିରାମ । ପିତା ତ୍ରୈଲୋକ୍ୟନାଥ ବସୁ ଓ ମା’ ଲକ୍ଷ୍ମୀପ୍ରିୟା ଦେବୀଙ୍କର ସେ ଥିଲେ ନୟନର ତାରା । ମାତ୍ର ୬ ବର୍ଷ ବୟସରେ ସେ ପିତୃମାତୃହରା ହୋଇଗଲେ । ତାଙ୍କର ସାହା ଭରଷା ବୋଲି କେହି ନ ଥିଲେ । ଶେଷରେ ସେ ତାଙ୍କ ବଡ ଭଉଣୀଙ୍କ ଘରେ ରହି ପାଠ ପଢିଲେ । ପାଠପଢା ପ୍ରତି ତାଙ୍କର ଆଗ୍ରହ ନଥିଲା କିନ୍ତୁ ଅନ୍ୟ ସବୁ କାମରେ ସେ ଥିଲେ ଆଗରେ । ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ସେ ଚାହୁଁଥିଲେ । ଅନ୍ୟାୟ ଦେଖିଲେ ସହିପାରୁ ନଥିଲେ । ସେ ଯେ ହେଉନା କାହିଁକି ମୁହଁତୋଡ ଜବାବ ଦେଉଥିଲେ । ସେ ଥିଲେ ଖୁବ୍ ନିର୍ଭୀକ ଓ ସାହସୀ । ଏହିପରି ଭାବରେ କିଛି ଦିନ ବିତିଗଲା । ଦିନେ ଏକ ମହାନ ଦେଶସେବକ ସତ୍ୟେନ୍ଦ୍ରନାଥ ବସୁଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ସେ ଏକ ଗୁପ୍ତ ସମିତି ଗଠନ କରିଥିଲେ । ଉଦ୍ଦେଶ୍ୟ ଥିଲା ସାହସୀ ଓ ଉତ୍ସାହୀ ଦେଶପ୍ରେମୀ ଯୁବକମାନେ ଏଥିରେ ଯୋଗଦେଇ ମାତୃଭୂମିର ମୁକ୍ତି ପାଇଁ ଆନ୍ଦୋଳନ କରିବେ । ଆବଶ୍ୟକ ପଡିଲେ ପ୍ରାଣଦାନ କରିବାକୁ ପଛାଇବେ ନାହିଁ । ପ୍ରଥମ ଦେଖାରେ ସତ୍ୟେନ୍ଦ୍ରନାଥ ଖୁଦିରାମଙ୍କୁ ନିଜର କରିନେଲେ । ଶେଷରେ ତାଙ୍କର ପାଠରେ ଡୋରି ବନ୍ଧା ହେଲା । ସେ ସାଜିଲେ ବିପ୍ଳବୀ । ଇଂରେଜ ସରକାରଙ୍କୁ ମୁକାବିଲା କରିବା ନିମିତ୍ତ ସେ ନିୟମିତ କୁସ୍ତି କସରତ, ବ୍ୟାୟାମ ଓ ଖଣ୍ଡା ଚାଳନା କରିବା ଶିକ୍ଷା କରୁଥିଲେ । ସତ୍ୟେନ୍ଦ୍ରନାଥ ତାଙ୍କୁ ଏ ଶିକ୍ଷା ପ୍ରଦାନ କରୁଥିଲେ । ମାତୃଭୂମିର ଦୁଃଖ ତାଙ୍କୁ ଖୁବ୍ ବାଧିଲା । ସେ ଓ ତାଙ୍କ ସାଥୀ ନିଜ ଦେଶର ତିଆରି ବସ୍ତ୍ର ପିନ୍ଧିବା ପାଇଁ ଲୋକମାନଙ୍କୁ ବୁଝାଉଥିଲେ । ବିଦେଶୀ ଜିନିଷ ଦେଖିଲେ ତାକୁ ନିଆଁ ଲଗାଇ ପୋଡି ପକାଉଥିଲେ । ତଥାପି ଇଂରେଜମାନଙ୍କର ଅନ୍ୟାୟ ଅତ୍ୟାଚାର ବଢି ବଢି ଚାଲିଥିଲା । ଅନେକ ନିରୀହ ଭାରତୀୟଙ୍କୁ ପ୍ରାଣଦଣ୍ଡ ମିଳିଲା । ସେତେବେଳେ କେତେଜଣ ଇଂରେଜ କର୍ମଚାରୀ ଖୁବ୍ ନିଷ୍ଠୁର ଥିଲେ ।
ସ୍ୱାଧୀନତା ସଂଗ୍ରାମୀଙ୍କୁ କଠୋର ଦଣ୍ଡ ଦେଉଥିଲେ । ସେମାନଙ୍କୁ ଗୁପ୍ତରେ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଲା ଗୁପ୍ତ ସମିତି । ସେମାନଙ୍କ ମଧ୍ୟରୁ ଖୁବ୍ ଅତ୍ୟାଚାରୀ ଥିଲେ କିଙ୍ଗସ୍ଫୋର୍ଡ ସାହେବ । ତାଙ୍କୁ ଅଧିକ ଦିନ ବଞ୍ଚାଇ ରଖିବାକୁ ଗୁପ୍ତ ସମିତି ଚାହୁଁ ନଥିଲା । ତେବେ ତାଙ୍କୁ ହତ୍ୟା କରିବ କିଏ ? ସବୁରି ଆଖି ପଡିଲା ଖୁଦିରାମଙ୍କ ଉପରେ । ମାତୃଭୂମି ପାଇଁ ଚରମ ତ୍ୟାଗ ସ୍ୱୀକାର କରିବାକୁ ସେ ପ୍ରସ୍ତୁତ ଥିଲେ । ସେ ଥିଲେ ଏକ ବିରଳ ଦେଶପ୍ରେମୀ । ଏଥିପାଇଁ ପାଇଁ ତାଙ୍କର ଏକ ସହଯୋଗୀ ମଧ୍ୟ ଥିଲେ । ତାଙ୍କ ନାମ ହେଉଛି ପ୍ରଫୁଲ୍ଲ ଚାକି । ହାତରେ ଥିଲା ବୋମା ଏବଂ ପିସ୍ତଲ । ଦିନେ ହଠାତ୍ ଏକ ଘୋଡାଗାଡି ଉପରକୁ ବୋମା ନିକ୍ଷେପ କଲେ । ଅନ୍ଧାର ମଧ୍ୟରେ ଘୋଡାଗାଡିଟି ଜଳିଗଲା । କିଙ୍ଗସଫୋର୍ଡ ମରିଯାଇଛନ୍ତି ବୋଲି ସେମାନେ ଭାବିଲେ । କିନ୍ତୁ ମରିଥିଲେ ଦୁଇ ଇଂରେଜ ରମଣୀ । ଇଂରେଜମାନେ ହତ୍ୟାକରୀଙ୍କୁ ଖୋଜି ବୁଲିଲେ । କୌଶଳମତେ ଉଭୟଙ୍କୁ ଧରିଲେ । ପଫୁୁଲ୍ଲ ଚାକି ନିଜକୁ ଗୁଳି କରି ହତ୍ୟା କଲେ । ଖୁଦିରାମଙ୍କୁ ବନ୍ଦୀ କରି ମୁଜାଫରପୁର ଜେଲରେ ରଖାଗଲା ଏବଂ ତାଙ୍କର ବିଚାର ଚାଲିଲା । ଶେଷରେ ତାଙ୍କୁ ଫାଶୀ ଦଣ୍ଡାଦେଶ ମିଳିଲା । ୧୯୦୮ ମସିହା ଅଗଷ୍ଟ ମାସ ୧୯ ତାରିଖରେ ଏହି ମହାନ ଦେଶପ୍ରେମୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଇଂରେଜ ସରକାର ଆଶ୍ୱସ୍ତି ଲାଭ କଲା । ଫାଶୀଖୁଣ୍ଟକୁ ଯିବା ସମୟରେ ତାଙ୍କ ମନରେ ଟିକିଏ ବି ଭୟ ନଥିଲା । ହସି ହସି ସେ ମୃତ୍ୟୁବରଣ କରିଥିଲେ । ଯାହାଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ । ଏପରି ଏକ ମହାନ ଦେଶପ୍ରେମୀଙ୍କ ପାଇଁ ଆମ ଜାତି ଗର୍ବିତ । ସେ ଥିଲେ ଏକ ସଚ୍ଚା ଦେଶସେବକ । ପିଲାମାନେ ! ତୁମ୍ଭେମାନେ ଦେଶକୁ ଭଲପାଇବା ଉଚିତ । ସ୍ୱାର୍ଥପର ନ ହୋଇ ଦେଶ ପାଇଁ କାମ କରିବ । ତୁମ୍ଭେମାନେ ହେଉଛ ଭବିଷ୍ୟତର ନାଗରିକ । ଆମ ଦେଶ ତୁମଠାରୁ ଅନେକ କିଛି ଆଶା କରୁଛି । ପ୍ରଧାନ ଶିକ୍ଷକଙ୍କ କଥା ନସରୁଣୁ ହଠାତ୍ ଏକ ଗାଡି ବିଦ୍ୟାଳୟ ପଡିଆ ମଧ୍ୟକୁ ପ୍ରବେଶ କଲା । ଜଣେ ଶିକ୍ଷୟିତ୍ରୀ ଆସି ଖବର ଦେଲେ, “ସାର୍ ! ଉଚ୍ଚପଦସ୍ଥ ଅଧିକାରୀ ଆସିଛନ୍ତି ।” ସାର୍ ନିଜ କାହାଣୀକୁ ବିରାମ ଦେଲେ । ପିଲାମାନଙ୍କୁ ଶ୍ରେଣୀକକ୍ଷ ମଧ୍ୟକୁ ଚାଲିଯିବା ପାଇଁ ସୂଚନା ଦେଲେ । ନିଜେ ଯାଇ ଅଧିକାରୀଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟାଳୟ ମଧ୍ୟକୁ ପାଛୋଟି ଆଣିଲେ ।

error: Thank You Keep Visiting