କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

Straight to the Point

ଜୀବନ ସଂଘର୍ଷମୟ ।ଏହାରି ଭିତରେ ସେହି ବ୍ୟକ୍ତି ହିଁ ଜିତାପଟ ନିଏ ଯେ ବିପଦକୁ ଡରିଯାଏ ନାହିଁ । ତାକୁ ସାମନା କରିବାର ସାହସ ସଞ୍ଚୟ କରିଥାଏ । ପ୍ରତିକୂଳ ପରିସ୍ଥିତିରେ ଜିଇଁବାର ସ୍ୱପ୍ନ ଦେଖେ । ଦୁଃଖରେ ଭାଙ୍ଗି ନ ପଡି ଆଗେଇ ·ଲେ । ନିଜର ପ୍ରତିଭାକୁ ବିକାଶ କରିବାର ପ୍ରୟାସ ଜାରି ରଖେ । ସୁଖ ଦୁଃଖ ତ ପ୍ରକୃତିର ନିୟମ । ଦୁଃଖକୁ ଟାଳିବା ପାଇଁ ନିଷ୍ଠା ଓ ଧୈର୍ଯ୍ୟର ସହିତ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହୋଇଥାଏ । ଏକଥା ଯେ ବୁଝନ୍ତି ସେ ହିଁ ପ୍ରକୃତ ମଣିଷ ପଦବାଚ୍ୟ । ଏହିପରି ଏକ ଯୋଗଜନ୍ମା ମଣିଷ ମାଟିମାଆ ବୁକୁରେ ଜନ୍ମ ନେଇ ମାଟିକୁ ମହାନ କରିଛନ୍ତି । ଯୁବକାବସ୍ଥାରୁ ତାଙ୍କ ସୁନ୍ଦର ଚେହେରା ଉପରେ କୁଷ୍ଠରୋଗ ଦାଉସାଧିଛି । ଅଙ୍ଗୁଳି କଲମ ଧରିବାର ସାମର୍ଥ୍ୟ ହରାଇଛନ୍ତି । କିନ୍ତୁ ସେଥିରୁ ଜନ୍ମ ନେଇଛି ସଂଗୀତ,ନାଟକ ଓ ଉପନ୍ୟାସ ଆଦି । ରଚନା ମଧ୍ୟରେ ମଜ୍ଜି ରହି ସେ ଭୁଲି ଯାଇଛନ୍ତି ଜୀବନର ସମସ୍ତ ଦୁଃଖକୁ । ସମୟ ଆସିଛି ବାପା ଓ ମାଆ ତାଙ୍କୁ ଅନାଥ କରି ଆରପାରିକୁ ·ଲିଯାଇଛନ୍ତି । ଭାଇଭଉଣୀଙ୍କ ଦାୟିତ୍ୱ ସମ୍ଭାଳିବାକୁ ସେ ଅଣ୍ଟା ଭିଡିଛନ୍ତି । ଅଟକି ଯାଇନାହିଁ ତାଙ୍କ ଲେଖନୀମୁନ । ଏହି ମହାନ ବ୍ୟକ୍ତିଜଣକ ଅନ୍ୟକେହି ନୁହଁନ୍ତି । ସେ ହେଉଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ତାଙ୍କର ଜନ୍ମ ୧୮୮୮ମସିହା ଡିସେମ୍ବର ମାସ ୯ତାରିଖରେ ଭଦ୍ରକର ତାଳପଡା ଗ୍ରାମରେ । ପିତା ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତା ରାଧାମଣି ଦେବୀ ଦିବ୍ୟସୁନ୍ଦର ପୁତ୍ରକୁ ଜନ୍ମ ଦେଇ ଖୁସିପ୍ରକଟ କରିଥିଲେ । ମାର୍ଗଶୀର ମାସ ଗୁରୁବାରରେ ଜନ୍ମ ନେଇଥିବାରୁ ତାଙ୍କ ନାମଥିଲା ଲକ୍ଷ୍ମୀକାନ୍ତ ।

ପିତା ଭାଗବତ ପ୍ରସାଦ ପୁତ୍ରର ଶିକ୍ଷାପ୍ରତି ଖୁବ୍ ସଚେତନ ଥିଲେ । ପୁତ୍ରର ପାଠପଢା ପ୍ରତି ସର୍ବଦା ଯତ୍ନଶୀଳ ଥିଲେ । ପିଲାବେଳୁ ଲକ୍ଷ୍ମୀକାନ୍ତ ଥିଲେ ଖୁବ୍ ବୁଦ୍ଧିମାନ । ଶିକ୍ଷକ ଶ୍ରେଣୀରେ ପଢାଉଥିବା ବେଳେ ସେ କବିତା ଲେଖିବାରେ ମଜ୍ଜିଯାଉଥିଲେ । ସେଥିପାଇଁ ତାଙ୍କୁ ଗାଳି ଶୁଣିବାକୁ ପଡୁଥିଲା । ୧୯୦୭ମସିହାରେ ସେ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । କଟକ ରେଭେନସା କଲେଜରେ ନାମଲେଖାଇ ଆଇ.ଏ ପାଶ୍ କଲେ ।୧୯୧୩ମସିହାରେ ବି.ଏ ପାସପରେ କୁଷ୍ଠରୋଗାକ୍ରାନ୍ତ ହେଲେ । ଉଚ୍ଚଶିକ୍ଷିତ ପୁତ୍ରର ବ୍ୟାଧି ଅବସ୍ଥା ଦେଖି ପିତା ସହିପାରୁ ନଥିଲେ । ପୁତ୍ରର ସାହିତ୍ୟ ଅନୁରାଗ ଦେଖି ସେ ଏକ ପ୍ରେସ ସ୍ଥାପନ କରିଥିଲେ । ଏହାଦ୍ୱାରା ତାଙ୍କ ପୁତ୍ରକୁ ମାନସିକ ଶାନ୍ତି ମିଳିବ ଓ ସେ ରୋଜଗାରକ୍ଷମ ହେବ । ମାତୃଭାଷାର ଉନ୍ନତି ପାଇଁ ଲକ୍ଷ୍ମୀକାନ୍ତ ଏକ ପତ୍ରିକା ପ୍ରକାଶ କଲେ ଯାହାର ନାମ ସେ ଦେଇଥିଲେ ‘ଡଗର’ । ଏହି ପତ୍ରିକା ମାଧ୍ୟମରେ ସେ ବହୁ ସଂଖ୍ୟାରେ ଲେଖକ ଲେଖିକା ସୃଷ୍ଟି କରିଯାଇଛନ୍ତି । ଓଡିଆ ଭାଷା ସାହିତ୍ୟର ସମୃଦ୍ଧିର ପଥ ପରିଷ୍କାର କରିଛନ୍ତି ।

ଜଣେ ସଫଳ ନାଟ୍ୟକାର ଭାବରେ କାନ୍ତକବି ଅଶେଷ ସୁନାମର ଅଧିକାରୀ । ସେ ସମୟରେ ନାଟକଗୁଡିକ ଦର୍ଶକମାନଙ୍କର ମନୋରଞ୍ଜନ କରିବା ସହିତ ଖୁବ୍ ଶିକ୍ଷଣୀୟ ଥିଲା । କର୍ଣ୍ଣ,ବ୍ରଜବର୍ଜନ, କାଳୀୟଦଳନ,ବସନ୍ତ ବିଳାସ,ଲକ୍ଷ୍ମୀ ଚଣ୍ଡାଳୁଣୀ ଆଦି ବେଶ୍ ଜନପ୍ରିୟ ହୋଇପାରିଥିଲା । ତାଙ୍କ ଲେଖାର ଭାଷା ଖୁବ୍ ସରଳ ,ସାବଲୀଳ ଓ ହୃଦୟସ୍ପର୍ଶୀ ଥିଲା । ଅନେକ କ୍ଷୁଦ୍ରଗଳ୍ପ ତାଙ୍କ ଲେଖନୀମୁନରୁ ଜନ୍ମ ନେଇଛି । କିମ୍ବଦନ୍ତୀକୁ ନେଇ ସେ ଅନେକ ଗଳ୍ପ ରଚନା କରିଛନ୍ତି । ସମାଜର ପ୍ରତ୍ୟେକ ଶ୍ରେଣୀର ବ୍ୟକ୍ତିଙ୍କୁ ସେ ଗଳ୍ପରେ ସ୍ଥାନିତ କରିଛନ୍ତି । ‘ବୁଢାଶଙ୍ଖାରୀ’ତାଙ୍କର ଏକ ସଫଳ କ୍ଷୁଦ୍ରଗଳ୍ପ । ଅନେକ ଗୁଡିଏ ପ୍ରବନ୍ଧର ସେ ମଧ୍ୟ ରଚୟିତା । ତାଙ୍କ ଜୀବନର ସ୍ମରଣୀୟ ଘଟଣାଗୁଡିକୁ ଶୈଶବ,ସ୍ମୃତି,ବାଲ୍ୟସ୍ମୃତି,କୈଶୋର ସ୍ୱପ୍ନ,ମଙ୍ଗଳ ମହୁରୀ, ରୋଗଶଯ୍ୟା ଆଦି ପ୍ରବନ୍ଧ ତୋଳିଧରିଛନ୍ତି । ଏତଦ୍ଭିନ୍ନ ସେ ଅନେକ ଗୀତିକବିତା,କାହାଣୀ କବିତା,କୀର୍ତ୍ତନ ପଦ୍ୟାବଳୀ,ଶିଶୁମାନଙ୍କ ପାଇଁ ଗୀତ ଏବଂ ମାଳିକାର ସ୍ରଷ୍ଟା । ପାଲାବାଲା ଓ ଗାଁରେ ବୁଲୁଥିବା ଯୋଗୀମାନଙ୍କ ପାଇଁ ସେ ମଧ୍ୟ ଅନେକ କବିତା ରଚନା କରିଛନ୍ତି । କାନ୍ତକବିଙ୍କ ‘କଣାମାମୁ’ଏକ ସଫଳ ଉପନ୍ୟାସ । ତଥାକଥିତ ସମାଜର ହୀନଚକ୍ରାନ୍ତକାରୀ ଶାସକମାନଙ୍କର ମୁଖା ସେ ଖୋଲି ଦେଇଛନ୍ତି । ଗାଁ ଟାଉଟରମାନଙ୍କ କାର୍ଯ୍ୟକଳାପକୁ ସେ ପଦାରେ ପକାଇଦେଇଛନ୍ତି । ‘କଣାମାମୁଁ’ଙ୍କୁ କେନ୍ଦ୍ରକରି ରଚିତ ଉପନ୍ୟାସର ପ୍ରତ୍ୟେକ ପୃଷ୍ଠା ଖୁବ୍ ଜୀବନ୍ତ ଓ ରସପୂର୍ଣ୍ଣ ହୋଇଛି ତାଙ୍କ କଳା·ତୁରୀରେ । ତାଙ୍କ ଦେଶପ୍ରେମମୂଳକ କବିତା ସେତେବେଳେ ଭାରତୀୟମାନଙ୍କ ହୃଦୟରେ ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ କରିଥିଲା । ଅନେକ ସ୍ୱାଧୀନତା ସଂଗ୍ରାମର ରଡ ନିଆଁକୁ ଝାସ ଦେଇଥିଲେ ।
ସଂଗୀତ ଥିଲା ତାଙ୍କ ଜୀବନର ଚିର ସହଚର । ସଂଗୀତ ମାଧ୍ୟମରେ ନିଜ ଜୀବନର ଦୁଃଖକୁ ଭଗବାନଙ୍କୁ ଜଣାଇ ଅଭିମାନଭରା କଣ୍ଠରେ ଗାଇଛନ୍ତି:

ସବୁଥିରୁ ବଞ୍ôଚତ କରି
କେଉଁ ଯଶବାନା ଉଡାଇବ ହେ
ଯାହାଦେଇଥିଲ ସବୁତ ନେଲଣି
ଆଉ ଏବେ କିସ ଛଡାଇବ ହେ ।

ମାତୃଭୂମିର ଏହି ମହାନ ସେବକ , ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟାଙ୍କ ଜୀବନଦୀପ ଲିଭିଯାଇଥିଲା ୧୯୫୩ମସିହା ଫେବୃୟାରୀ ମାସ ୨୪ତାରିଖ ଦିନ । ଦୁଃଖରେ ମ୍ରିୟମାଣ ହୋଇଗଲେ ସମସ୍ତେ । ଓଡିଆ ସାହିତ୍ୟ ଆକାଶର ଧୃବତାରା ଅସ୍ତମିତ ହୋଇଗଲେ ସବୁଦିନପାଇଁ । କାନ୍ତକବି ଅମର ରହେ ଧ୍ୱନିରେ ଚତୁର୍ଦ୍ଦିଗ ମୁଖରିତ ହୋଇ ଉଠୁଥିଲା ସେଦିନ ।

error: Thank You Keep Visiting