ଜଗଜ୍ଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା’

An Independent Media

“ଜାଣେନା, ପାରେନା, ନାହିଁ ତ ଘରେ, ଏ ତିନି କଥାକୁ ଦେବତା ଡରେ’ । ଏହି ତିନୋଟି କଥା କେବେ ବି କେହି ଶୁଣିବାକୁ ପାଇନାହାଁନ୍ତି ପରମରାଧ୍ୟା ଜଗଜ୍ଜନନୀ ଦିବ୍ୟମାତା ଶ୍ରୀମତୀ ଷୋଡ଼ଶୀବାଳା ଦେବୀ (ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଆ- ପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସହଧର୍ମିଣୀ)ଙ୍କ ନିକଟରୁ । ଶ୍ୱଶୁର, ଶାଶୁ କିମ୍ବା ସ୍ୱାମୀ ଯେତେବେଳେ ଯେଉଁ କାମ କଥା କୁହନ୍ତି, ବିନା ଦ୍ୱିଧାରେ ବିନା ଆପତ୍ତିରେ ବରଂ ପରମ ଆନନ୍ଦରେ ଆଗେଇ ଯାଆନ୍ତି “ହଁ ପାରିବି’ କହି । ସେଥିପାଇଁ ଘରର ସମସ୍ତ କାର୍ଯ୍ୟ ବଧୂ ଉପରେ ଛାଡ଼ି ଦେଇ ବାହାର କାମରେ ଚାଲିଯାଆନ୍ତି ଶାଶୁ ଶ୍ରୀମତୀ ମନମୋହିନୀ ଦେବୀ ।

ଜଗଜ୍ଜନନୀ ଶ୍ରୀ ଶ୍ରୀ ଷୋଡ଼ଶୀବାଳା ଦେବୀ

ସ୍ୱାମୀଙ୍କ ଜୀବନାଦର୍ଶକୁ ଉପଲବ୍ଧି କରି ନିଜକୁ ସମର୍ପି ଦିଅନ୍ତି ସେହି ଆଦର୍ଶରେ । ସ୍ୱାମୀଙ୍କୁ ଚିରଦିନ ଦେବତାଙ୍କ ଆସନରେ, ଈଶ୍ୱରଙ୍କ ଆସନରେ ବସାଇ ପୂଜା କରିଛନ୍ତି ହୃଦୟ ସିଂହାସନରେ । ଆଉ, ଜଣେ ଆଦର୍ଶ ନାରୀ ହୋଇ ପ୍ରତ୍ୟେକଟି କର୍ମ ନିଖୁଣ ଭାବେ ସଂପାଦନ କରି ଦେଖାଇ ଦେଇଛନ୍ତି ବିଶ୍ୱଜଗତକୁ । ଦିନକର ଘଟଣା – ସ୍ୱାମୀ ଡାକ୍ତରୀ ଚିକିତ୍ସା କରି ଫେରିଲେ ଘରକୁ । ବ୍ୟସ୍ତ ବିବ୍ରତ ହୋଇ କହିଲେ “ବଡ଼ବୌ (ବଡ଼ବୋହୁ) ତୁମ କାନର ମାଙ୍କେଡ଼ି ଦୁଇଟି ଦେବ ?’ ଜଣଙ୍କର ପୁଅ ଖୁବ୍ ଅସୁସ୍ଥ । ଔଷଧ କିଣିବା ପାଇଁ ପଇସା ନାହିଁ । କାଳବିଳମ୍ବ ନକରି ସେହିକ୍ଷଣି ହିଁ ମାଙ୍କେଡ଼ି (କାନଫୁଲ) ଦୁଇଟି ଖୋଲି ସ୍ୱାମୀଙ୍କ ଶ୍ରୀହସ୍ତରେ ଦେଇଦେଲେ ସହଧର୍ମିଣୀ । ନେଇ ଚାଲିଗଲେ ମଧ୍ୟ ସ୍ୱାମୀ ଦେବତା । କିନ୍ତୁ ବୋହୁର କାନରେ ମାଙ୍କେଡ଼ି ପଚାରିଲେ ଶାଶୁଦେବୀ – “ବୋହୁମା’ କାନର ମାଙ୍କେଡ଼ି କ’ଣ ହେଲା ?’ କିଛି ଉତ୍ତର ନଦେଇ ଛିଡ଼ା ହୋଇ ରହିଲେ କୂଳବଧୂ । ଉତ୍ତର ନପାଇ ଏବେ ଟିକେ କଡ଼ା ଗଳାରେ କହିଲେ ଶାଶୁଦେବୀ – “ହୁଏତ ହଜେଇ ଦେଇଛ, ନ ହେଲେ ବାପଘରେ ରଖି ଆସିଛ ।

ଆଉ କ’ଣ ହେବ ?’ ତଥାପି ବଧୂଟି ନିରୁତ୍ତର । ଶାଶୁଦେବୀ ବାରଣ୍ଡାରେ ବସିଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଆସି କହିଲା, – “ଏଇ ନିଅନ୍ତୁ ମା’ ମାଙ୍କେଡି ଦୁଇଟା । ଆପଣମାନେ ଗରିବଙ୍କର ମା’ବାପା । ଏଇ ସୁନା ଟିକକ ଆପଣ ନଦେଇଥିଲେ ମୋ ପୁଅକୁ ବଞ୍ଚାଇ ପାରିନଥାନ୍ତି । ଏହି ସୁନାକୁ ବନ୍ଧା ପକାଇ ପୁଅର ଔଷଧ ଆଣିଥିଲି । ମାସକ ପରେ ଆଜି ମୁକୁଳାଇ ଆଣିପାରିଛି ।’ କୃତଜ୍ଞତାରେ ମାଟିରେ ମଥାନତ କରି ଆଖିରୁ ଲୁହ ପୋଛି ପୋଛି ଚାଲିଗଲା ଲୋକଟି । ଏଥର ଶାଶୁଦେବୀଙ୍କର ବୁଝିବାରେ ଆଉ କିଛି ବି ବାକି ରହିଲାନି । ବୋହୁଟି ଘର ଭିତରେ ଥାଇ ସବୁ ଶୁଣି ମଧ୍ୟ ପଦେ ବି କଥା କହିଲେ ନାହିଁ ।

ଏହିପରି ବହୁ ଘଟଣା ଘଟିଯାଇଛି ଏଇ ସ୍ୱାମୀ ମନୋବୃତ୍ତ୍ୟାନୁସାରିଣୀ ଜଗଜ୍ଜନନୀ ଶ୍ରୀ ଶ୍ରୀ ଷୋଡ଼ଶୀବାଳା ଦେବୀଙ୍କର ବାସ୍ତବ ଜୀବନରେ । ଧୈର୍ଯ୍ୟ ଓ ସହିଷ୍ଣୁତାର ପ୍ରତିମୂର୍ତ୍ତି ଥିଲେ ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଆ । ଯେଉଁଥିପାଇଁ ସାରା ବିଶ୍ୱରେ ଆଜି ସୃଷ୍ଟି ହୋଇଛି ତାଙ୍କର ସ୍ୱତନ୍ତ୍ର ପରିଚୟ ବିଶ୍ୱ ଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀମା’ ନାମରେ ସ୍ୱାମୀଙ୍କର ଇଛା ପରିପୂରଣ ପାଇଁ ସେ ସମସ୍ତ କିଛି ହିଁ କରିପାରନ୍ତି । ସେଥିପାଇଁ ଅନ୍ତିମ ସମୟରେ ସ୍ୱାମୀ ଦେବତା ବିଶ୍ୱପିତା ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶ୍ରୀମୁଖରୁ ସେଦିନ ସ୍ପଷ୍ଟ ଉଚାରିତ ହୋଇଥିଲା – “ତୁମେ କେବଳ ବଡ଼ଖୋକା (ବଡ଼ପୁଅ)ର ମା’ ନୁହଁ, ତୁମେ ସାରା ଜଗତର ମା’, ତୁମେ ବିଶ୍ୱ ଜନନୀ ।’ ଏହି ମହିୟସୀ କୂଳବଧୂ ଆଉ କେହି ନୁହନ୍ତି ହେଉଛନ୍ତି ଯୁଗାବତାର ପରମପ୍ରେମମୟ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଲୀଳା ସଙ୍ଗିନୀ ପରମା ପ୍ରକୃତି ପରମ ଆରାଧ୍ୟା ଶ୍ରୀ ଶ୍ରୀ ଲକ୍ଷ୍ମୀମା’ ।

ଆଜକୁ ୧୨୫ ବର୍ଷ ପୂର୍ବେ ୧୩୦୧ ସାଲ, ଶ୍ରାବଣ-୧୪ ଦିନ ଶ୍ରାବଣ କୃଷ୍ଣ ଦ୍ୱାଦଶୀ ତିଥିରେ ପୂର୍ବ ବଙ୍ଗଳା ଅନ୍ତର୍ଗତ ପାବନା ଜିଲ୍ଲା ଧୋପାଦହ ଗ୍ରାମ ନିବାସୀ ଶ୍ରୀଯୁକ୍ତ ରାମଗୋପାଳ ଭଟ୍ଟାଚାର୍ଯ୍ୟ ଏବଂ ଶ୍ରୀମତୀ ତ୍ରିନୟନୀ ଦେବୀଙ୍କର କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଧରାପୃଷ୍ଠରେ । ଆଜି ତାଙ୍କରି ପବିତ୍ର ଜନ୍ମ ଦିବସରେ ସମସ୍ତ ନାରୀ ଜଗତ ତାଙ୍କରି ପଥର ପଥିକ ହୋଇ, ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହୋଇ ହୋଇଉଠନ୍ତୁ ସୁଗୃହିଣୀ, ସ୍ୱାମୀ ମନୋବୃତ୍ତ୍ୟାନୁସାରିଣୀ, ଆଦର୍ଶନାରୀ ତଥା ଦେବ ସନ୍ତାନର ଜନନୀ । ପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ମାତୃଜାତିକୁ ସମ୍ମାନ ସହ ଆହ୍ୱାନ ଦେଇ କହିଛନ୍ତି – ମା’ମୋର, ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା, ପୁରୁଷ-ଜନସାଧାରଣଙ୍କ ଭିତରେ ଯେପରି ଏପରି ଗୋଟାଏ ଭାବର ସୃଷ୍ଟି କରେ – ଯେଉଁଥିରେ ସେମାନେ ଅବନତ ମସ୍ତକରେ, ନତଜାନୁ ହୋଇ, ସସମ୍ଭ୍ରମେ ଭକ୍ତଗଦ ଗଦ କଣ୍ଠରେ, – “ମା’ମୋର – ଜନନୀ ମୋର’, କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତ ହୁଅନ୍ତି, କୃତାର୍ଥ ହୁଅନ୍ତି – ତେବେ ହିଁ ତୁମେ ନାରୀ, ତେବେ ହିଁ ତୁମେ ସତୀ ।

error: Thank You Keep Visiting