ଜଣେ ଝିଅ ଚାହିଁଲେ ୫ପ୍ରେମିକ ରଖିପାରିବ କହି ଅଡୁଆରେ ନେହା ଧୁପିଆ

ମୁମ୍ୱାଇ : ନିଜ ବୟାନ ପାଇଁ ଏବେ ବିବାଦରେ ଅଭିନେତ୍ରୀ ନେହା ଧୁପିଆ। ଏକ ରିୟାଲିଟି ସୋ’ରେ ସେ ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ଏବେ ଲୋକେ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ତାଙ୍କ ବୟାନକୁ ନେଇ କିଛି ଲୋକ ତାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ଜଣାପଡ଼ିଛି। ବଲିଉଡ୍ ଅଭିନେତ୍ରୀ ନେହା ଧୁପିଆ ଦେଇଥିବା ମନ୍ତବ୍ୟ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ତାଙ୍କର ମିମ୍ସ ଶେଆର୍ କରି ଟ୍ରୋଲ କରୁଛନ୍ତି। ନେହା ବର୍ତ୍ତମାନ ଏମ୍ଟିଭିର ରିଆଲିଟି ଶୋ ରୋଡିଜ୍ର ମେଣ୍ଟର ରହିଛନ୍ତି। ଏହି ଶୋର ଗୋଟିଏ ଏପିସୋଡ୍ର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ପ୍ରତିଯୋଗୀ କହିଛନ୍ତି, ‘ମୋ ଗାର୍ଲଫ୍ରେଣ୍ଡ ୫ଟି ପୁଅକୁ ଡେଟ୍ କରୁଥିବାରୁ ମୁଁ ଗାର୍ଲଫ୍ରେଣ୍ଡକୁ ଚାପୁଡ଼ା ମାରିଛି।’ ଭାଇରାଲ୍ ଭିଡିଓରେ ଚାପୁଡ଼ା ମାରିଥିବା ପ୍ରତିଯୋଗୀଙ୍କ ଉପରେ ନେହା ରାଗୁଥିବା ଦେଖିବାକୁ ମିଳିଛି। ରାଗିଯାଇ ନେହା କହିଛନ୍ତି, ‘ପାଞ୍ଚ ଜଣ ବୟଫ୍ରେଣ୍ଡ ରଖିବା ଝିଅର ଇଚ୍ଛା ହୋଇଥାଇପାରେ। କିନ୍ତୁ ତୁମେ ତାକୁ ଚାପୁଡ଼ା ମାରିବା ପାଇଁ କେହି ନୁହେଁ।’
ଏହି ମନ୍ତବ୍ୟ ଦେବା ପରେ ନେହା ୟୁଜର୍ସଙ୍କ ଟ୍ରୋଲିଙ୍ଗର ଶିକାର ହୋଇଛନ୍ତି। ସୋଶାଲ ମିଡିଆରେ ନେହାଙ୍କର ମିମ୍ସ ଘୁରି ବୁଲୁଛି। କିଛି ୟୁଜର ତାଙ୍କୁ ଫେକ୍ ନାରୀବାଦୀ ବୋଲି କହି କମେଣ୍ଟ କରିଛନ୍ତି। ନେହାଙ୍କର ଭିଡିଓ ଦେଖିବା ପରେ ଜଣେ ୟୁଜର କହିଛନ୍ତି, ‘ନେହା ତୁମର ଟିକିଏ ବୁଝିବା ଶକ୍ତି ରହିବା ଦରକାର। ସବୁସ୍ଥାନରେ ଲେକଚର୍ ଦେବାର ଆବଶ୍ୟକତା ନାହିଁ। ତୁମ ପରି ଲୋକ ଏମ୍ଟିଭି ରୋଡିଜ୍କୁ ଜଜ୍ କରିବା ପାଇଁ ଯୋଗ୍ୟତା ରଖନ୍ତି ନାହିଁ। ଏପରି ଲୋକଙ୍କୁ ଶୁବ୍ ଶୀଘ୍ର ଶୋରୁ ବାହାର କରିବା ଉଚିତ।’