କରୋନା ପ୍ରଭାବରେ ଅନେକ ଫିଲ୍ମର ଶୁଟିଙ୍ଗ ବନ୍ଦ ରହିଥିବା ବେଳେ ସଲମାନଙ୍କ ରାଧେ ଆଗେଇ ଚାଲିଛି
ମୁମ୍ବାଇ: ମାରାତ୍ମକ କରୋନା ଭୂତାଣୁ ପ୍ରତ୍ୟେକ କ୍ଷେତ୍ରକୁ ପ୍ରଭାବିତ କରିଛି। ହୋଟେଲ, ପର୍ଯ୍ୟଟନ, କ୍ରୀଡ଼ା, ମନୋରଞ୍ଜନ ଆଦି ପ୍ରତ୍ୟେକ କ୍ଷେତ୍ରରେ ବ୍ୟବସାୟ ମାନ୍ଦା ଚାଲିଛି। ଏହି କ୍ରମରେ ଭାରତରେ ଫିଲ୍ମ ଜଗତ ମଧ୍ୟ ବିଶେଷ ପ୍ରଭାବିତ ହେଉଛି। ନିକଟରେ ରିଲିଜ୍ ହୋଇଥିବା ତଥା ହେବାକୁ ଥିବା ଫିଲ୍ମଗୁଡ଼ିକୁ ନେଇ ନିର୍ମାତାମାନଙ୍କ ଚିନ୍ତା ବଢ଼ିଯାଇଛି। ହେଲେ ସଲମାନ ଖାନଙ୍କୁ କିନ୍ତୁ ଡରାଇ ପାରିନାହିଁ କରୋନା ଭୂତାଣୁ । ଫିଲ୍ମ ନିର୍ମାତାମାନେ ନିଜ ନିଜ ଫିଲ୍ମର ରିଲିଜ୍ ତାରିଖ ତଥା ଶୁଟିଂ ସେଡ୍ୟୁଲକୁ ଘୁଞ୍ଚାଇ ଦେଉଛନ୍ତି କିମ୍ବା ସ୍ଥଗିତ ରଖିଥିବା ଲଗାତର ଖବର ଆସୁଛି। ଏଭଳି ପରିସ୍ଥିତିରେ ଭାଇଜାନ କିନ୍ତୁ ତିଳେ ମାତ୍ର ପ୍ରଭାବିତ ହୋଇ ନାହାନ୍ତି। ନିଜ ଅପକମିଂ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ’ର ଶୁଟିଂ ଜାରି ରଖିଛନ୍ତି ସଲମାନ୍। ସେ ଯଥାଶୀଘ୍ର ଫିଲ୍ମର ଶୁଟିଂ ଶେଷ କରିବା ମୁଡରେ ଥିଲାଭଳି ଜଣାପଡ଼ୁଛି। ଯାହା ଖବର ମିଳିଛି ଗୋଆ ଏବଂ ମୁମ୍ବାଇରେ ସଲମାନ ଦୀର୍ଘ ଦିନ ଯାଏ ଶୁଟିଂ ଶେଷ କରିବା ପରେ ଏବେ ସେ ମୁମ୍ବାଇରେ ଏହି ଫିଲ୍ମ ପାଇଁ ଫାଇନାଲ ଶୁଟିଂ କରୁଛନ୍ତି। ତେବେ ଫିଲ୍ମର କିଛି ବଳକା ରହିଯାଇଥିବା ସିନ୍ ଏବଂ ସଲମାନଙ୍କ ଦିଶାଙ୍କ ସହ କିଛି ଗୀତର ଶୁଟିଂ କାମ ବାକି ରହିଛି। ଗୋଟିଏ ପଟେ କରୋନା ଭୂତାଣୁର ଆତଙ୍କ ଯୋଗୁ ସରକାର ସ୍କୁଲ, କଲେଜ୍, ସିନେମା ହଲ୍ ଆଦି ଜନଗହଳି ହେଉଥିବା ସ୍ଥାନକୁ ବନ୍ଦ କରିଦେଇଥିବା ବେଳେ ସଲମାନ କିନ୍ତୁ ନିଜ ଫିଲ୍ମର ଶୁଟିଂ ଫୁଲ୍ ଦମରେ ଚଲାଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଲମାନଙ୍କ ଫିଲ୍ମ ସେଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ଜାରି କରିଥିବା କରୋନା ସୁରକ୍ଷା ନିର୍ଦ୍ଦେଶାନାମା ପାଳନ କରାଯାଉଛି।