ଗୁପ୍ତଚର ଭୂମିକାରେ ଦେଖାଦେବେ ଅର୍ଜୁନ କପୁର
ରାଜକୁମାର ଗୁପ୍ତା ନିର୍ଦେଶିତ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଡେଡ୍’ରେ ମୁଖ୍ୟ ଭୂମିକାରେ ଅର୍ଜୁନ କପୁର ଅଭିନୟ କରୁଛନ୍ତି। ଏଥିରେ ସେ ଜଣେ ଗୁପ୍ତଚର ଭୂମିକାରେ ଦେଖାଦେବେ। ସତ ଘଟଣା ଉପରେ ଆଧାରିତ ଏଇ ଚଳଚ୍ଚିତ୍ରରେ ଅର୍ଜୁନ ଜନୈକ ଗୁପ୍ତଚର ରବୀନ୍ଦ୍ର କୌଶିକଙ୍କ ଭୂମିକାରେ ଦେଖାଦେବେ ବୋଲି ଜଣାପଡ଼ିଛି। କୌଶିକ ଜଣେ କଳାକାର ଥିଲେ। ଲକ୍ଷ୍ନୌରେ ଏକ ନାଟକରେ ଅଭିନୟ କରୁଥିବା ସମୟରେ ଇଣ୍ଟେଲିଜେନ୍ସ ଅଧିକାରୀମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ଅଧିକାରୀଙ୍କ ପ୍ରସ୍ତାବରେ କୌଶିକ ରାଜି ହୋଇ ଦିଲ୍ଲୀ ଆସି ୨ ବର୍ଷ ପ୍ରଶିକ୍ଷଣ ନେଲେ। ପରେ ନିଜ ନାମ ଅହମ୍ମଦ ଶାକିର୍ରେ ପରିବର୍ତ୍ତନ କରି ପାକିସ୍ତାନ ଯାଇଥିଲେ। ସେତେବେଳେ କୌଶିକଙ୍କୁ ମାତ୍ର ୨୩ ବର୍ଷ। ସେଠାରେ ଜଣେ ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ପରେ ପ୍ରଥମେ ପାକିସ୍ତାନ ଆର୍ମରେ ସେ କ୍ଲର୍କ ପରେ ମେଜର୍ ଭାବେ ପଦୋନ୍ନତି ପାଇଥିଲେ। ୧୯୭୨-୮୩ ମଧ୍ୟରେ କୌଶିକ ଖୁବ୍ ଜରୁରୀ ଓ ଗୁପ୍ତ ତଥ୍ୟ ଭାରତୀୟ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଥିଲେ। ପରେ ପାକିସ୍ତାନୀ ସେନା ହାତରେ ଧରାପଡ଼ିଥିଲେ କୌଶିକ। ୪୭ ବର୍ଷ ବୟସରେ ପାକିସ୍ତାନ ଜେଲ୍ରେ ହିଁ ସେ ପ୍ରାଣ ହରାଇଥିଲେ। ଏହି ସତ ଘଟଣାରେ ଅଭିନୟ ପୂର୍ବରୁ ଅର୍ଜୁନ ବିଭିନ୍ନ ଐତିହାସିକଙ୍କ ସହ ବିଚାର ବିମର୍ଶ ମଧ୍ୟ କରିଥିଲେ। ଏହା ତାଙ୍କ କ୍ୟାରିୟରର ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ହେବ ବୋଲି ଆଶା କରାଯାଉଛି।