ଆସନ୍ତାକାଲି ରିଲିଜ ହେଉଛି ଆମୀରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୁସ୍ତାନ’
ମୁମ୍ବାଇ: ଆମୀର ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ ନଭେମ୍ବର ୮ରେ ରିଲିଜ୍ ହେବ। ସେଥିପାଇଁ ଆମୀର ଏବେ ଏହାର ପ୍ରମୋଶନ୍ରେ ଲାଗି ପଡ଼ିଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ଆମୀର ଖାନ୍ ଓ ଅମିତାଭ୍ ବଚ୍ଚନଙ୍କୁ ପରଦାରେ ଏକାଠି ଦେଖିବାକୁ ମିଳିବ। ଫିଲ୍ମର କଣ୍ଟେଣ୍ଟ୍ ବି ଖୁବ୍ ୟୁନିକ୍। ନିକଟରେ ଆମୀର ଏହି ଫିଲ୍ମର ପ୍ରମୋଶନ୍ ପାଇଁ ଟିଭି ଶୋ’ ‘କଫି ୱିଥ୍ କରନ୍’ରେ ପହଞ୍ଚିଥିଲେ। ସେଠାରେ ସେ ଏହି ଫିଲ୍ମ ସମ୍ପର୍କରେ ଅନେକ କଥା ଆଲୋଚନା କରିଥିଲେ। ସେ ଏହି ଫିଲ୍ମ କାହିଁକି ସାଇନ୍ କରିଛନ୍ତି ଓ ଏହି ଫିଲ୍ମକୁ ନେଇ ତାଙ୍କର କେଉଁ ଭୟ ରହିଛି, ସେ ବିଷୟରେ ବି ଶୋ’ର ହୋଷ୍ଟ୍ କରନ୍ଙ୍କୁ ମଧ୍ୟ କହିଛନ୍ତି।
ଆମୀର କହିଛନ୍ତି, ‘‘ଏହି ଫିଲ୍ମରେ ଥିବା ମୋ ଚରିତ୍ର ମୋତେ ଖୁବ୍ ପସନ୍ଦ ଆସିଥିଲା। ସେଥିପାଇଁ ମୁଁ ଏହି ଫିଲ୍ମ ସାଇନ୍ କଲି। ଏହି ଫିଲ୍ମରେ ମୁଁ ଏକ ରଙ୍ଗିଲା ଚରିତ୍ରରେ ଅଭିନୟ କରିଛି। ଏହି ଚରିତ୍ର ସମ୍ପୂର୍ଣ୍ଣ ଭାବେ ଦୁଷ୍ଟ ଓ ଏକ ଅବିବେକୀ ଚରିତ୍ର। ଆପଣ କେବେ ବି ଏମିତି ଚରିତ୍ରକୁ ନିଜ ଆଖ ପାଖରେ ରଖିବାକୁ ଚାହିଁବେନି। ଯଦିଓ ଆପଣ ଏହାକୁ ଦେଖିବାକୁ ପସନ୍ଦ କରିବେ, କିନ୍ତୁ ଏହି ଚରିତ୍ରର ବ୍ୟକ୍ତିଙ୍କ ସହ ବନ୍ଧୁତା କରିବାକୁ ଆଦୌ ଚାହିଁବେନି। କାହିଁକି ନା ଆପଣ ତାଙ୍କ ଉପରେ ବିଶ୍ୱାସ କରିପାରିବେ ନାହିଁ। ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ରେ ମୋ ଚରିତ୍ର ଏମିତି । ଆଉ ଏମିତି ଚରିତ୍ରରେ ଅଭିନୟ କରି ଖୁବ୍ ଭଲ ଲାଗିଲା। କାରଣ ଏମିତି ଚରିତ୍ରରେ ମୁଁ ପ୍ରଥମ ଥର ପାଇଁ ଅଭିନୟ କରୁଛି।’’